ଗ୍ରୀନ ଜୋନରେ ରହୁଥିବା ସହରବାସୀ ଚିନ୍ତାରେ, ପ୍ରଶାସନ ଦୃଷ୍ଟି ଦେବାକୁ ନିବେଦନ
ରାୟଗଡ,୧୦/୫: ରାଜ୍ୟରେ ଏବେ ସୁରତ, କେରଳରୁ ଫେରନ୍ତା ପ୍ରବାସୀ ଓଡିଆଙ୍କ ମଧ୍ୟରେ ଅନେକ କରୋନା ପଜିଟିଭ୍ କେସ ଦେଖିବାକୁ ମିଳୁଥିବା ବେଳେ ରାଜ୍ୟ ସରକାର ମଧ୍ୟ ଫେରନ୍ତା ପ୍ରବାସୀଙ୍କୁ କ୍ୱାରେନଟାଇନରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳାର କେରଡା ଅଂଚଳ ଦେଇ ରବିବାର ଦିନ ଶତାଧିକ ପ୍ରବାସୀ ଚାଲି ଚାଲି ଓ ସାଇକେଲ ଯୋଗେ ଆନ୍ଧ୍ର ପଟୁ ରାୟଗଡ ସହର ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ଳଅନେକ ପ୍ରବାସୀମାନେ କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ସଂକ୍ରମିତ ରାଜ୍ୟଗୁଡିକରୁ ସଡକ ପଥ ଓ ରେଳ ଧାରଣା ବାଟ ଦେଇ ଝାରଖଣ୍ଡ, ଛତିଶଗଡକୁ ଅନେକ ଯାଉଥିବା ବେଳେ ଏଥିରେ ଓଡିଶାର ବିଭିନ୍ନ ଜିଲ୍ଳାଗୁଡିକକୁ ଯିବା ପାଇଁ ମଧ୍ୟ ପ୍ରବାସୀ ଓଡିଆ ଭାଇଭଉଣୀମାନେ ରହିଥିବା ଦେଖିବାକୁ ମିଳିଥିଲା । ବର୍ତମାନ ରାୟଗଡ ଜିଲ୍ଳା ସୀମାନ୍ତର ପଡୋଶୀ ଆନ୍ଧ୍ରପ୍ରଦେଶର କମରଡା ଗ୍ରାମରେ ଦୁଇଟି ପଜିଟିଭ୍ କେସ ରହିଥିବା ବେଳେ ଉକ୍ତ ଅଂଚଳରୁ ମଧ୍ୟ ପ୍ରତିଦିନ ଆନ୍ଧ୍ରର ପରିବା ଓ ଫଳ ବ୍ୟବସାୟୀମାନେ ରାୟଗଡ ସହରକୁ ଅବାଧରେ ପ୍ରବେଶ କରି ସହରରେ ବ୍ୟବସାୟ କରି ଚାଲିଯାଉଥିବା ଶୁଣିବାକୁ ମିଳୁଛି ।
ସୀମାନ୍ତ କେରଡା ଠାରେ ରାୟଗଡ ଜିଲ୍ଳାକୁ ଥିବା ପ୍ରବେଶ ପଥରେ ସିଆରପିଏଫ ଯବାନ, ଶେଷଖାଲ ଥାନା ପୋଲିସ ଓ ଅନ୍ୟ ପ୍ରଶାସନିକ କର୍ମଚାରୀମାନେ ପ୍ରବାସୀମାନଙ୍କ ପ୍ରବେଶ ଉପରେ ନଜର ରଖିଥିବା ବେଳେ ଅନେକ ଗଳାବାଟ ଦେଇ ଅବାଧରେ ରାୟଗଡ ସହର ଦେଇ ଯାଉଛନ୍ତି । ରବିବାର ସକାଳୁ ନେଇ ଅପରାହ୍ନ ପର୍ଯ୍ୟନ୍ତ ପ୍ରବାସୀମାନେ ସାଇକେଲରେ ନିଜ ବ୍ୟାଗ ବସ୍ତାନି ଓ ଚାଲି ଚାଲି ଯାଉଥିବା ପ୍ରବାସୀମାନେ ନିଜ ଲୁଗାପଟା ଜିନିଷପତ୍ର ନେଇ ଫେରୁଥିବା ଦେଖିବାକୁ ମିଳିଥିଲା ।
ଏହି ପ୍ରବାସୀମାନେ କେହି ହେଲେ ମାସ୍କ ବ୍ୟବହାର କରୁ ନ ଥିବା ଦେଖିବାକୁ ମିଳିଥିଲା । ରାୟଗଡ ଜିଲ୍ଳାକୁ ଫେରୁଥିବା ପ୍ରବାସୀମାନେ ପଂଜୀକରଣ କରି ପ୍ରଶାସନର ସହାୟତାରେ ସ୍ୱତନ୍ତ୍ର ବସ ଯୋଗେ ଫେରୁଥିବା ବେଳେ ଅନ୍ୟ ରାଜ୍ୟଗୁଡିକକୁ ଫେରୁଥିବା ପ୍ରବାସୀମାନେ ପଂଜୀକରଣ କଲେ ମଧ୍ୟ କୈାଣସି ଉତର ମିଳୁ ନ ଥିବାରୁ ବାଧ୍ୟହୋଇ ସେମାନେ ଚାଲି ଚାଲି ତଥା ସାଇକେଲ ଯୋଗେ ନିଜ ଗାଁକୁ ଫେରିବାକୁ ପଡୁଛି ବୋଲି କିଛି ପ୍ରବାସୀ ସୂଚନା ଦେଇଥିଲେ । ତେବେ ରାୟଗଡ ସହର ଦେଇ ଯାଉଥିବା ପ୍ରବାସୀମାନଙ୍କୁ ଜିଲ୍ଳା ପ୍ରଶାସନ ତରଫରୁ ସେମାନଙ୍କ ଅବାଧ ଯାତାୟାତକୁ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।