ଅଭିନବ ପ୍ରଚାର କୌଶଳ: ବୃଦ୍ଧାମାନଙ୍କ ହାତରେ ଜନତା ଏଜେଣ୍ଡା ଉନ୍ମୋଚନ କରାଇଲେ ଜିଲ୍ଲା ପରିଷଦ ସ୍ୱାଧୀନ ପ୍ରାର୍ଥୀ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ଏଜେଣ୍ଡା ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଚମତ୍କୃତ କରିଦେଇଛି । ଅଞ୍ଚଳର ଅନେକ ବିକାଶମୂଳକ କାର୍ଯ୍ୟ ସହିତ ତୃଣମୂଳ ସ୍ତରର ସମସ୍ୟାଗୁଡିକୁ ସ୍ଥାନୀତ କରାଯାଇଥିବାରୁ ଏହା ଜନଆଦୃତ ହେବାରେ ଲାଗିଛି । ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ୩୬ ନମ୍ବର ଜିଲ୍ଲା ପରିଷଦ ଆସନରେ । ଏହି ଆସନରେ ସମୁଦାୟ ଛଅଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିବାବେଳେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସାମ୍ବାଦିକତାରୁ ରାଜନୀତିକୁ ଓହ୍ଲାଇଥିବା ଜିଲ୍ଲା ପରିଷଦ ସ୍ୱାଧୀନ ପ୍ରାର୍ଥୀ ସୁଶୀଲ କୁମାର ବାଗ । ଏହି ଜୋନ୍‌ରେ ବିଜେଡି, ବିଜେପି, କଂଗ୍ରେସ, ବିଏସ୍‌ପି ନିଜ ନିଜ ଦଳୀୟ ରଣନୀତି ଆଧାରରେ ନିର୍ବାଚନ ଲଢୁଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ବାଗ ଦୁଇପାଦ ଆଗକୁ ଯାଇ ଜୋନ୍ ଅନ୍ତର୍ଗତ ୧୩ଗୋଟି ଗ୍ରାମପଞ୍ଚାୟତର ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ମତାମତକୁ ନେଇ ପ୍ରସ୍ତୁତ କରିଛନ୍ତି ଜନତା ଏଜେଣ୍ଡା । ବ୍ଲକର ଏହି ଦୁର୍ଗମ ଅଞ୍ଚଳରେ ଦୀର୍ଘ ପନ୍ଦର ବର୍ଷର ସାମ୍ବାଦିକତା ଅନୁଭୁତି ତଥା ଜନସାଧାରଣଙ୍କ ମତାମତକୁ ନେଇ ସେ ଏହି ଏଜେଣ୍ଡା ପ୍ରସ୍ତୁତ କରିଥିବାବେଳେ ସବୁ ଦଳର ପ୍ରାର୍ଥୀଙ୍କୁ ଏହି ଗୋଟିଏ ଏଜେଣ୍ଡାରେ ହିଁ ମାତ ଦେବାକୁ ଉଦ୍ୟମ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଦୁର୍ଗମ ତ୍ରିଲୋଚନପୁର ଗ୍ରାମପଞ୍ଚାୟତର ଫୁଲଡୁମେର ଗାଁର ଆଦିବାସୀ ବୃଦ୍ଧାମାନଙ୍କ ଦ୍ୱାରା ଜନତା ଏଜେଣ୍ଡା ଉନ୍ମୋଚନ କରାଇଛନ୍ତି । ଏହାସହିତ ଫୁଲଡୁମେର ଗାଁରେ ନିଜର ପୋଷ୍ଟର ଉନ୍ମୋଚନ କରି ନିୟମଗିରି ପର୍ବତର ପାଦଦେଶରେ ଥିବା ଏହି ଗାଁରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଆଜି ଶ୍ରୀ ବାଗ ଫୁଲଡୁମେର ଗାଁରେ ପ୍ରଚାର ଆରମ୍ଭ କରିଥିବାବେଳେ ପଞ୍ଚାୟତର ଫୁଲଡୁମେର, ଖେମୁଣ୍ଡି ପଦର, ତ୍ରିଲୋଚନପୁରର ବିଭିନ୍ନ ଗାଁରେ ନିର୍ବାଚନ ପ୍ରଚାର କରିଥିଲେ । ଜନତା ଏଜେଣ୍ଡା ଅନୁଯାୟୀ, ଐତିହାସିକ ଲାଞ୍ଜିଗଡ଼ ସହରକୁ ଏକ ପୂର୍ଣ୍ଣାଙ୍ଗ ଓ ବିକଶିତ ସହରରେ ପରିଣତ କରିବା ସହିତ ଲାଞ୍ଜିଗଡକୁ ଏନ୍‌ଏସି ମାନ୍ୟତା ପ୍ରଦାନ, ବସନ୍ତପଡ଼ା, ଜଗନ୍ନାଥପୁର, ଛତ୍ରପୁର, ଲାଞ୍ଜିଗଡ଼, ବାତେଲିମା ପଂଚାୟତବାସୀଙ୍କ ଶିଳ୍ପଜନିତ ଦୀର୍ଘ ଦିନର ସମସ୍ୟାର ସମାଧାନ, କେକେଡିଏ, ଆଇଟିଡିଏକୁ ଅଧିକ କ୍ରିୟାଶୀଳ କରି ଦୁର୍ଗମ ଅଞ୍ଚଳର ଆଦିବାସୀ ଭାଇଭଉଣୀଙ୍କ ଜୀବନଧାରଣରେ ସମୁଚିତ ଉନ୍ନତି, ଲାଞ୍ଜିଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ପାଇଁ ପ୍ରୟାସ, ଲାଞ୍ଜିଗଡ଼ ଅଞ୍ଚଳର ଶହଶହ ଯୁବକ ଯୁବତୀମାନଙ୍କୁ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଏକ ଆଇଟିଆଇ ସ୍ଥାପନ, ଲାଞ୍ଜିଗଡ଼ ତଥା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ, ବୟସ୍କ ଓ ଯୁବବର୍ଗଙ୍କ ପାଇଁ ଏକ ବହୁମୁଖୀ ପାର୍କ ସ୍ଥାପନ, ଲାଞ୍ଜିଗଡ଼ସ୍ଥିତ ପ୍ରସିଦ୍ଧ ଭୈରବଦେବଙ୍କ ମନ୍ଦିର, ଐତିହାସିକ ଜଗନ୍ନାଥ ମନ୍ଦିର, ବିଜେପୁରସ୍ଥିତ ଆରାଧ୍ୟା କନକଦୁର୍ଗା ମନ୍ଦିର, ପାହାଡ଼ପଦର ବୋରପଦରସ୍ଥିତ ସାକଡିଂ ବୁଢାରଜା, ମୁଷାନାଳସ୍ଥିତ ଜଗନ୍ନାଥ ମନ୍ଦିର, ଗଦଗଦା ଜଳପ୍ରପାତ ଆଦିର ଉନ୍ନୟନ, ଚାଷୀଙ୍କ ପାଇଁ ଉପଯୁକ୍ତ ମଣ୍ଡି ବ୍ୟବସ୍ଥା, କୃଷି ଓ କୃଷକଙ୍କ ସାମୁହିକ ଉନ୍ନତି, ଲାଞ୍ଜିଗଡ଼ ବ୍ଲକର ଘାଟି ଅଞ୍ଚଳକୁ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ କରିଡରରେ ପରିବର୍ତ୍ତନ, ଆଦିବାସୀ ଜନଜାତିଙ୍କ ଉତ୍ପାଦିତ ଫସଲ ମାଣ୍ଡିଆ, ଗୁର୍ଜି, କାଙ୍ଗ, କାନ୍ଦୁଲ, କଟିନ୍‌, ମକା ପାଇଁ ସମୁଚିତ ବଜାର ବ୍ୟବସ୍ଥା, ନିୟମଗିରି ପାଇଁ ସ୍ୱତନ୍ତ୍ର ଦୃଷ୍ଟିପାତ ସହିତ ସେଠାରେ ଉତ୍ପାଦିତ ସପୁରି, ପଣସ, ଆମ୍ବ, କମଳାର ସଠିକ୍ ପ୍ରକ୍ରିୟାକରଣ, ଘାଟି ଅଞ୍ଚଳର ପାହାଡ଼ପଦର, ବିଜେପୁର, ଲାଖବାହାଲି, ମାଳିଯୁବାଙ୍ଗ, ଲାଞ୍ଜି, ତ୍ରିଲୋଚନପୁର, ବେନଗାଁ, କାନକୁଟୃ ସମେତ ଅନ୍ୟ ସମସ୍ତ ଗ୍ରାମପଞ୍ଚାୟତକୁ ମଡ଼େଲ ଗ୍ରାମପଞ୍ଚାୟତରେ ପରିଣତ, ଘାଟି ଅଞ୍ଚଳର ପ୍ରତି ଗାଆଁକୁ ମୋବାଇଲ ଓ ୪-ଜି ଇଣ୍ଟରନେଟ୍ ସେବା ପ୍ରଦାନ, ଘାଟି ଅଞ୍ଚଳରେ ଏକ ଯୁକ୍ତ ଦୁଇ କଲେଜ ସ୍ଥାପନ, ଘାଟି ଅଞ୍ଚଳରେ ଆଉ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ, ଅତି କମ୍‌ରେ ଆଉ ତିନୋଟି ଏଏନ୍‌ଏମ୍ କେନ୍ଦ୍ର ସ୍ଥାପନ, ଘାଟି ଅଞ୍ଚଳର ପ୍ରତି ଗାଁକୁ ରାସ୍ତା ଯୋଗାଯୋଗ, ବାଦ୍ ପଡିଥିବା ସବୁ ଗାଁକୁ ପୋଲ ସଂଯୋଗ, ସବୁ ଗାଁରେ ପିଇବା ପାଣିର ସୁବ୍ୟବସ୍ଥା, ଘାଟି ଅଞ୍ଚଳର ସମସ୍ତ ସ୍କୁଲରେ ଜନଭାଗିଦାରିତା ମାଧ୍ୟମରେ ସୁନିଶ୍ଚିତ ଶିକ୍ଷା, ବ୍ୟାଙ୍କସେବା ପାଇଁ ବିଜେପୁରଠାରେ ଏକ ବ୍ୟାଙ୍କ ଶାଖା ସ୍ଥାପନ, ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଓ ତାଲିମକେନ୍ଦ୍ର ପ୍ରତିଷ୍ଠା, ବ୍ଲକରେ ଏକ ଏସ୍‌ଏଚ୍‌ଜି ହେଲ୍ପ ସେଣ୍ଟର୍ ସ୍ଥାପନ, ଜୋନ୍‌-୦୨ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ କ୍ରୀଡ଼ା ଭିତ୍ତିଭୂମି ସହିତ କ୍ରୀଡା ପ୍ରତିଭାଙ୍କୁ ସୁଯୋଗ ଆଦି ଉଲ୍ଲେଖଯୋଗ୍ୟ ଅଟେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.