● ଭୋଟ ପ୍ରଚାର ସମୟରେ ଅର୍ଜ୍ଜୁନ ଗାଁରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା
ଓଡ଼ିଆ ବାର୍ତ୍ତା/କଳାହାଣ୍ଡି: ଚଳିତ ନିର୍ବାଚନୀ ସମରରେ ସରିଆଁ ସରପଞ୍ଚ ପ୍ରାର୍ଥୀ ଭାବେ ରଣାଙ୍ଗନକୁ ଓହ୍ଲାଇଥିବା ଓମପ୍ରକାଶ ଛତ୍ରିଆଙ୍କୁ ନେଇ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଓମପ୍ରକାଶ ଜଣେ ଉଚ୍ଚ ଶିକ୍ଷିତ ଯୁବକ ତଥା ପୂର୍ବରୁ ପଞ୍ଚାୟତବାସୀଙ୍କ ସହ ଉତ୍ତମ ସଂପର୍କ ରଖିଥିବାରୁ ଜନସାଧାରଣ ତାଙ୍କୁ ସରପଞ୍ଚ ଭାବରେ ନିର୍ବାଚିତ କରିବାକୁ ସ୍ଥିର କରିଥିବା ଅନେକ ମତଦାତା ପ୍ରକାଶ କରିଛନ୍ତି । ନର୍ଲା ବ୍ଲକ ସରିଆଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅର୍ଜୁନ ଗାଁ ଠାରେ ସେ ଆଜି ନିଜର ପ୍ରଚାର ଅଭିଯାନ ଜାରି ରଖିଥିଲେ । ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଅନୁସରଣ କରି ଅଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ସେ ଘରକୁ ଘର ଯାଇ ତୃଣମୂଳ ସ୍ତରରେ ଲୋକଙ୍କୁ ସାକ୍ଷାତ କରି ଆଶିର୍ବାଦ କାମନା କରିଥିଲେ । ଭୋଟଭିକ୍ଷା ସମୟରେ ଅର୍ଜୁନ ଗ୍ରାମବାସୀ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଦେଖାଯାଇଥିଲା । ଲୋକଙ୍କ ଉତ୍ସାହରୁ ଓମପ୍ରକାଶଙ୍କ ଲୋକପ୍ରିୟତା ଆପେ ଆପେ ବାରି ହୋଇ ପଡୁଥିଲା । ଏମିତି ଜନ ସମର୍ଥନ ଲାଗି ରହିଲେ ଓମପ୍ରକାଶ ଏହି ଆସନରୁ ବିଜୟ ଲାଭ କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।