ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆନ୍ଧ୍ରପ୍ରଦେଶର ନିଜାମବାଦ କୁ ଦାଦନ ଖଟିବାକୁ ଯାଇଥିବା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ବଗଡ଼ିଆପଡ଼ାର ଚନ୍ଦ୍ରମଣି ରାଉତ(୨୭)ଙ୍କ ମୃତ ଦେହ ୪ଦିନ ପରେ ଶନିବାର ନିଜ ଗାଁ କୁ ଫେରିଛି। ଗାଁରେ ମର ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ଭିତରେ ଶବ ସତ୍କାର କରାଯାଇଛି।
ସୂଚନା ଅନୁସାରେ, ମୃତ୍ୟ ଚନ୍ଦ୍ରମଣୀ ରାଉତ ପରିବାର ର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଦି ପଇସା ରୋଜଗାର କରିବା ଆଶା ନେଇ ଗତ ରବିବାର ଦିନ ଆନ୍ଧ୍ରପ୍ରଦେଶର ନିଜାମବାଦ କୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ଦୁଇ ଦିନ ପରେ ମଙ୍ଗଳବାର ସନ୍ଧ୍ୟାରେ ଟ୍ରାକ୍ଟର ଓଲଟିବା ଫଳରେ ଚନ୍ଦ୍ରମଣିଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା। ପୁଅର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକ ଧାରକରଜ କରି ବୁଧବାର ସକାଳୁ ମୃତଦେହ ଆଣିବାକୁ ନିଜାମାବାଦ ଯାଇଥିଲେ। ସେଠାରୁ କମ୍ପାନୀ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରମଣୀଙ୍କ ମୃତଦେହ ଶନିବାର ଗାଁରେ ପହଞ୍ଚିଲା। ପରେ ପରିବାର ଲୋକେ ଗାଁ ଶ୍ମଶାନରେ ଶବ ସତ୍କାର କରିଥିବା ଜଣାପଡିଛି। ମୃତ ଚନ୍ଦ୍ରମଣି ଘର ର ଏକମାତ୍ର ରୋଜଗାରକ୍ଷମ ରହିଥିଲେ। ତାଙ୍କ ମୃତ୍ୟୁ ପରେ ପୁରା ପରିବାର ଲୋକ ଭାଙ୍ଗି ପଡିଛନ୍ତି।