ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କ ଜୀବନ ଜୀବିକାର ମାନ ଉନ୍ନତ ହେବାସହ ସେମାନଙ୍କ ପରିବାର ସମୃଦ୍ଧ ହୋଇଛି । ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ସଦା ଚେଷ୍ଟିତ । ତେବେ ଓଡ଼ିଶା ସରକାରଙ୍କ ଏକ ମହତକାଂକ୍ଷୀ ଯୋଜନା ମିଶନ ଶକ୍ତିର ସଫଳ ରୂପାୟନ ପାଇଁ ସମାଜର ପ୍ରତ୍ୟକ ବର୍ଗର ଲୋକଙ୍କ ସହଭାଗିତା ଜରୁରୀ ବୋଲି ବଡଧାରପୁରରେ ମିଶନ ଶକ୍ତି ଗୃହର ଉଦଘାଟନୀ ସମାରୋହରେ ମତ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବଡଧାରପୁର ଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦେଇ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ କରିଥିଲେ । ଏହାପରେ ନର୍ଲା ସିଡିପିଓ ନିବାସିନି ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶ୍ରୀମତୀ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଓ ଏଥିରେ ସାମିଲ ରହିଥିବା ସଦସ୍ୟା ମା ମାନେ ଆର୍ଥିକ ଦୃଷ୍ଟି କୋଣରୁ କେମିତି ସବଳ ହୋଇ ପାରିବେ । ସମାଜରେ ସେମାନଙ୍କ କେମିତି ସମ୍ମାନ ବଢିବ । ସେଥିପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ତତ୍ପର ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମଟିକୁ ମିଶନ ଶକ୍ତିର ନର୍ଲା ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁପୁପ୍ରଭାଇଜର ଫୁଲଜେନସିଆ ସୋରେନ, ଜିପିଏଲଏଫ ସଭାନେତ୍ରୀ ସସ୍ମିତା ପାତ୍ର,ଏମବିକେ ଲକ୍ଷ୍ମୀ କରଗାମୁ ଓ ବଡଧାରପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସମସ୍ତ ଗ୍ରାମରେ ରହିଥିବା ୨୦ରୁ ଉର୍ଦ୍ଧ୍ବ ମିଶନ ଶକ୍ତି ଅଧିନସ୍ଥ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦାନ କରିଥିଲେ । ସଂଯୋଜକ ଶ୍ରୀ ବିଶ୍ୱାଳ ମିଶନ ଶକ୍ତି ଗୃହର ଉପେଯାଗୀତା ଓ ଏହାର ବ୍ୟବହାର ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇବା ସହିତ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ କେମିତି ଉପକୃତ ହୋଇ ପାରିବେ । ନିଜ ଗୋଷ୍ଠୀକୁ କେମିତି ସୁଚାରୁ ରୁପେ ପରିଚାଳନା କରିବେ ସେ ବିଷୟରେ ବିସ୍ତୃତ ଭାବରେ ବୁଝାଇବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।