ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଓ ଗ୍ରାମବାସୀ ବୁଧବାର ଜଳ ସମସ୍ୟା ନେଇ କୋକସରା ବିଡ଼ିଓଙ୍କ ଦ୍ବାରସ୍ଥ ହୋଇ ସମସ୍ୟାର ଶିଘ୍ର ସମାଧାନ କରିବା ପାଇଁ ଗୁହାରୀ କରିଛନ୍ତି । ସୂଚନା ଅନୁସାରେ, ହଂସପଡା ଗାଁରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ଵ ଜନ ସଂଖ୍ୟା ରହିଥିବାବେଳେ ସେମାନଙ୍କ ପାନୀୟ ଜଳ ବ୍ୟବହାର ନିମନ୍ତେ ସ୍କୁଲ ନଳକୂପକୁ ମିଶାଇ ପ୍ରାୟ ୬ଟି ନଳକୂପ ରହିଥିବା ଜଣାପଡିଛି । ତେବେ ଗାଁରେ ଥିବା ନଳକୂପରୁ ପର୍ଯ୍ୟାପ୍ତ ପରିମାଣରେ ପାଣି ହେଉ ନଥିବାବେଳେ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଜଳ ସମସ୍ୟା ଦେଖାଦେଇଥାଏ । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଗାଁରେ ପାଇପ ଲାଇନ ବିଛା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଣି ଯୋଗାଇ ଦିଆଯାଉନାହିଁ । ସ୍ଥାନୀୟ ସରପଞ୍ଚଙ୍କୁ ଏନେଇ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହେଉ ନାହିଁ । ସେହିପରି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗାଁ ପୋଖରୀ ସମ୍ପୂର୍ଣ୍ଣ ରୂପେ ଶୁଖି ଯାଇଛି । ଫଳରେ ଗାଧୋଇବା ପାଇଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିବର୍ଷ ବେହେରା ଡ୍ୟାମରୁ ପାଣି ଆଣି ପୋଖରୀରେ ଭର୍ତ୍ତି କରି ଗାଁ ଲୋକେ ଗାଧୁଆ ପାଧୁଆ ପାଇଁ ବ୍ୟବହାର କରୁଥିଲେ । ତେବେ ଏବର୍ଷ ପାଣି ପଞ୍ଚାୟତଙ୍କୁ ଆବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଲି ନଥିବା ଅଭିଯୋଗ କରିଛନ୍ତି । ତେଣୁ ବେହେରା ଡ୍ୟାମରୁ କେନାଲ ଯୋଗେ ଜଳ ଯୋଗାଇ ଦେବା ସହିତ ପାଇପ ଲାଇନ ଗୁଡିକୁ ପୋତା ଯାଇ ଶୀଘ୍ର କାର୍ଯ୍ୟକ୍ଷମ କରି ପାନୀୟ ଜଳ ଯୋଗାଇ ଦେବାପାଇଁ ଗ୍ରାମବାସୀ ବିଡ଼ିଓ ଉତ୍ତମ କୁମାର ବାଗଙ୍କ ନିକଟରେ ଅଭିଯୋଗ ଜଣାଇଛନ୍ତି । ଅଭିଯୋଗ ସମୟରେ ବିଡ଼ିଓଙ୍କ ନିକଟରେ ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ପୋଖରୀ ପାଇଁ ବିଧାୟକ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଦିଆଯାଇଛି ଏବଂ ମନରେଗା ଯୋଜନାରେ ପୋଖରୀ ପାଇଁ ଅନୁଦାନ ଦିଆଯିବ ଓ ପାନୀୟ ଜଳ ସମସ୍ୟାର ଶିଘ୍ର ସମାଧାନ କରାଯିବ ବୋଲି ବିଡ଼ିଓ ଏବଂ ବିଧାୟକ ପ୍ରତିନିଧି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।