କଳାହାଣ୍ଡି,୧୬/୬ : ଆଜି ସକାଳ ପ୍ରାୟ ଦଶଟା ବେଳକୁ ଜଙ୍ଗଲରୁ ଉତେଇ ନଦୀ କୁଳକୁ ଚାଲିଆସିିଥିବା ହରିଣଟି କୁକୁର ଭୟରେ ଜଙ୍ଗଲକୁ ଫେରି ନ ପାରି ନିୟୂକଲୋନୀ ପାଖରେ କିଛି ଘରର ବାଡ଼ିକୁ ପଶି ଆସିଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀ ନର୍ଲା ବନବିଭାଗକୁ ଖବର ଦେବା ପରେ ବନ ବିଭାଗର କର୍ମଚାରୀମାନେ ସେଠାରେ ପହଂଚିଥିଲେ । ସେତିକିବେଳେ ହରିଣଟି ଗୋଟିଏ ବାଡ଼ିର ଲେମ୍ବୁଗଛ ମୂଳରେ ବସିରହିଥିଲା । ହରିରଟି ସଂପୂର୍ଣ୍ଣ ହଇରାଣ ହେଇଯାଇଥିବାରୁ ସେ ସେଠାରେ ବିଶ୍ରାମ ନେଇ ରହିଯାଇଛି । ସେଠାରେ ତାକୁ ସୁରକ୍ଷା ଦେବାକୁ ମ.ରାମପୁର ରେଂଜର ବନ କର୍ମଚାରୀମାନେ ଜଗିରହିଥିବାବେଳେ ଆଜି ରାତିରେ ତାକୁ ଉତେଇ ନଦୀ ସେପଟେ ଜଙ୍ଗଲରେ ଛାଡ଼ିଦେବାର ବ୍ୟବସ୍ଥା କରାଯିବ ବୋଲି ମ.ରାମପୁର ରେଂଜ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଏଠାରେ ସୂଚନଯୋଗ୍ୟ ଯେ, ଗତବର୍ଷ ମଧ୍ୟ ଏହି ସମୟରେ କିଛି କିଛି ଦିନ ବ୍ୟବଧାନରେ ପ୍ରାୟ ୫ଟି ହରିଣ କୁକୁର ହାବୁଡ଼ରେ ପଡ଼ି ଜୀବନ ବିକଳରେ ମ.ରାମପୁରର ବିଭିନ୍ନ ପଡ଼ାକୁ ପଶି ଆସିଥିଲେ ଏବଂ ମାତ୍ରାଧିକ ଦୌଡ଼ାଦୌଡ଼ି ଫଳରେ ହଇରାଣ ହୋଇ ୨ଟି ହରିଣ ମୃତ୍ୟୁ ବରଣ କରିଥିଲେ । ଏ ଦିଗରେ ବନବିଭାଗ ଦୃଷ୍ଟିଦେବାକୁ ପ୍ରାଣୀପ୍ରେମୀ ମହଲରେ ଦାବୀ ହେଉଛି ।
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in