ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ଦେଶରେ ସେବା ସଂକଳ୍ପ ଅଭିଯାନ ଯୋଜନା ରେ ପ୍ରତି ବ୍ଲକ କାର୍ଯ୍ୟାଳୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଗୁଡିକ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଚାଲିଛି ସେବା ସେତୁ ଅଭିଯାନ। ଏହି କ୍ରମରେ ନର୍ଲା ବ୍ଲକର ସମ୍ମେଳନ କକ୍ଷରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ। ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ବ୍ଲକ ଶ୍ରମ ଅଧିକାରୀ ସନାତନ ମାଝୀ, ସିଡିପିଓ ଅଞ୍ଜଳୀ ପଟ୍ଟନାୟକ, ନର୍ଲା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଡ. ବିଶ୍ୱଜିତ ମହନ୍ତ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଯଦୁମଣି ନାଏକ, ସହକାରୀ ଉଦ୍ୟାନ ଅଧିକାରୀ ଅନନ୍ତ ପଣ୍ଡା, ନର୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀ ଚନ୍ଦନ, ବିପିସି ଭୋଳାନାଥ ଦାସ ପ୍ରମୁଖ ମଞ୍ଚାସୀନ ରହି ନିଜ ନିଜ ବିଭାଗ ରେ ରହିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ଗୁଡିକ ବିଷୟରେ ବର୍ଣ୍ଣନା କରି ଲୋକଙ୍କୁ ବୁଝାଇଥିଲେ।
ପ୍ରଥମେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ବିଡିଓ ଶ୍ରୀ ଦୀପ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସେବା ଓ ସେତୁ ବିଷୟରେ ବୁଝାଇଥିଲେ। ସରକାରଙ୍କ ବିଭିନ୍ନ ବିଭାଗ ଜରିଆରେ ଯେଉଁ ଜନ ହିତକର ଯୋଜନା ଗୁଡିକ ରହିଛି ସେ ସବୁକୁ ପ୍ରଶାସନ, ଲୋକ ପ୍ରତିନିଧି ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ସଦୃଶ ରହି ଯୋଜନା ଗୁଡିକ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ହିଁ ଏହି ସେବା ସେତୁ ଅଭି୍ଯାନ ବୋଲି କହିଥିଲେ। ଯୋଗାଣ ଅଧିକାରୀ ଶ୍ରୀ ଶ୍ରୀଚନ୍ଦନ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ପିଡିଏସ ହିତାଧିକାରୀ ଖାଦ୍ୟଶଶ୍ୟ ଯୋଜନା, ଅନ୍ତୋଦୟ ଯୋଜନା ଗୁଡିକ ଉପରେ ବର୍ଣ୍ଣନା କରି କହିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡ.ବିଶ୍ୱଜିତ ଆୟୁଷ୍ମାନ ସ୍ୱାସ୍ଥ୍ୟ ସେବା ଯୋଜନା, ବୀମା ଯୋଜନା, ପ୍ରଭୃତି ବିଷୟରେ କହିଥିଲେ। ସେହିଭଳି ଆସିଡିଏସ ତରଫରୁ ଗର୍ଭବତୀ, ପ୍ରସୂତି, କିଶୋରୀ ବାଳିକା ଏବଂ ଶିଶୁ ମାନଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ରହିଥିବା ଏସଏନପି ଯୋଜନା ଗୁଡିକ ବିଷୟରେ ସିଡିପିଓ ଶ୍ରୀମତୀ ପଟ୍ଟନାୟକ ଲୋକଙ୍କୁ ବୁଝାଇଥିଲେ।

ସେହିଭଳି ଶ୍ରମ ବିଭାଗ ତରଫରୁ ଲେବର କାର୍ଡ, ଲେବର ରେଜିଷ୍ଟ୍ରେସନ ପ୍ରଭୃତି ଓ ଉଦ୍ୟାନ ବିଭାଗ ତରଫରୁ ଏଏଚଓ ଶ୍ରୀ ପଣ୍ଡା ଅଏଲ ପାମ ଚାଷ ଯୋଜନା, ଆମ୍ବ, କଦଳୀ, ଫୁଲ ଚାଷ ପ୍ରଭୃତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ବିଷୟରେ ବୁଝାଇଥିଲେ। ଇତ୍ୟବସରରେ ଯୋଗାଣ ବିଭାଗ ତରଫରୁ ୧୩ ଜଣ ନୂଆ ଉପଭୋକ୍ତାଙ୍କୁ ଖାଉଟି କାର୍ଡ ପ୍ରଦାନ କରାଯାଇଥିଲା। ଶ୍ରମ ବିଭାଗ ତରଫରୁ ୭ ଜଣ ହିତାଧିକାରୀଙ୍କୁ ଶ୍ରମ କାର୍ଡ ପ୍ରଦାନ କରାଯାଇଥିଲା। ଦୁଇ ଜଣଙ୍କୁ ଅନ୍ତୋଦୟ ଯୋଜନାରେ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ବିପିସି ଭୋଳାନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ନାଏକ ମଞ୍ଚ ସଂଯୋଜନା କରିଥିଲେ। ଏବିଡିଓ ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।





