୫ ଗିରଫରେ ସରିବ କି ତଦନ୍ତ? ଯୋଗାଣର ମୂଳ ଉତ୍ସ ପର୍ଯ୍ୟନ୍ତ ପହଞ୍ଚିବ କି ପୁଲିସ?
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ରାଜ୍ୟରେ ଗୁଟ୍ଖା ଉତ୍ପାଦନ, ସଂରକ୍ଷଣ, ପରିବହନ ଓ ବିକ୍ରି ଉପରେ ନିଷେଧ ରହିଥିବା ବେଳେ କୋରାପୁଟ ଜିଲ୍ଲାର କାକିରିଗୁମା ଅଞ୍ଚଳରୁ ପ୍ରାୟ ୧୪୭୫ କିଲୋଗ୍ରାମ ଗୁଟ୍ଖା ଲୁଟ୍ ଘଟଣା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଡ୍ରାଇଭରଙ୍କୁ ଅପହରଣ କରି ଗୁଟ୍ଖା ଲୁଟ୍ ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ହେଲେ ଏତେ ପରିମାଣର ନିଷିଦ୍ଧ ଗୁଟ୍ଖା କେଉଁଠୁ ଆସିଲା? କିଏ ଏହାର ଯୋଗାଣକାରୀ? ଏହା ପଛରେ କୌଣସି ବଡ଼ ଚୋରା କାରବାର ଚାଲିଛି କି? ଏଭଳି ପ୍ରଶ୍ନ ଏବେ ଚର୍ଚ୍ଚାକୁ ଆସିଛି। ରାଜ୍ୟ ସରକାର ନିଷିଦ୍ଧ ଗୁଟ୍ଖା ଓ ତମାଖୁଯୁକ୍ତ ଉତ୍ପାଦ ବିରୋଧରେ କଟକଣା ଜାରି କରିଥିବା ସତ୍ତ୍ୱେ ଏତେ ପରିମାଣର ଗୁଟ୍ଖା ପରିବହନ ହେଉଥିବା ଘଟଣା ଆଇନର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଉଛି। ଯଦି ଏହି ସାମଗ୍ରୀ ନିଷିଦ୍ଧ, ତେବେ ଏହା କେଉଁଠାରୁ ଆସିଲା ଏବଂ କେଉଁଠାକୁ ଯାଉଥିଲା? ଏହାର ପରିବହନ ଓ ଯୋଗାଣ ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି? ଏସବୁ ଦିଗରେ ତଦନ୍ତ ହେବା ଆବଶ୍ୟକ। କେବଳ ଲୁଟ୍ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିବା ପୁଲିସର ତଦନ୍ତର ଶେଷ ପର୍ଯ୍ୟାୟ ହେବା ଉଚିତ ନୁହେଁ। ଗୁଟ୍ଖାର ମୂଳ ଉତ୍ସ, ଯୋଗାଣକାରୀ, ପରିବହନ ମାର୍ଗ ଓ ସମ୍ଭାବ୍ୟ ବିକ୍ରୟ ନେଟ୍ୱର୍କର ଖୋଳତାଡ଼ କରିବା ଜରୁରୀ। ଜବତ ସାମଗ୍ରୀର ଉତ୍ସ ଚିହ୍ନଟ କରିବା ସହ ଏହି କାରବାରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହେବା ଦରକାର। ଏବେ ମୁଖ୍ୟ ପ୍ରଶ୍ନ ହେଉଛି—କାକିରିଗୁମା ପୁଲିସ ଏହି ମାମଲାକୁ କେବଳ ଅପହରଣ ଓ ଲୁଟ୍ ଘଟଣା ଭାବେ ଦେଖିବ, ନା ନିଷିଦ୍ଧ ଗୁଟ୍ଖାର ଚୋରା ଯୋଗାଣ ବ୍ୟବସ୍ଥାର ମୂଳ ପର୍ଯ୍ୟନ୍ତ ପହଞ୍ଚିବ? ତଦନ୍ତର ପରିସର ବ୍ୟାପକ ହେଲେ ହିଁ ଏହି କାରବାର ପଛର ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରିବ। ନଚେତ୍ ଗିରଫଦାରୀରେ ମାମଲା ସୀମିତ ରହିଯିବା ଆଶଙ୍କାକୁ ଏଡ଼ାଇ ହେବ ନାହିଁ।






