ଅବହେଳିତ ପବିତ୍ର ଝରଣା ‘ଉପକା ଗଙ୍ଗା’: ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ପ୍ରକୃତି ଯେଉଁଠି ନିଜ ହାତରେ ସୌନ୍ଦର୍ଯ୍ୟର ଅପୂର୍ବ ଚିତ୍ର ଆଙ୍କିଛି, ପାହାଡ଼ର ବକ୍ଷ ଚିରି ଯେଉଁଠି ବହିଚାଲିଛି ସୁନାବେଡା ଉପତ୍ୟକା ରୁ ସୃଷ୍ଟି  ହୋଇଥିବା ନିର୍ମଳ ଜଳଧାରା ଇନ୍ଦ୍ରନଦୀ, ଘଞ୍ଚ ସବୁଜ ବନାନୀ ମଧ୍ୟରେ ଯେଉଁଠି ପକ୍ଷୀଙ୍କ ମଧୁର କାକଳି ମନକୁ ଶାନ୍ତି ଦିଏ — ସେହି ଅପୂର୍ବ ନଦୀ ଅବବାହିକାରେ ଅବସ୍ଥିତ ପ୍ରାକୃତିକ ସମ୍ପଦ ‘ଉପକା ଗଙ୍ଗା’। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ନାଗପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝରଣାମାଲ ଗ୍ରାମ ନିକଟରେ ଅବସ୍ଥିତ ଏହି ମନୋରମ ଜଳପ୍ରପାତ ଓ  ନିର୍ଝରିଣୀ  “ଉପକା ଗଙ୍ଗା” ପ୍ରକୃତିର ଏକ ଅମୂଲ୍ୟ ଉପହାର। ହେଲେ ଦୁଃଖର କଥା, ଏତେ ସୁନ୍ଦର ପ୍ରାକୃତିକ ସମ୍ପଦ ଆଜି ମଧ୍ୟ ଆଶାନୁରୂପ ପରିଚୟ ଓ ବିକାଶକୁ ଅପେକ୍ଷା କରି ରହିଛି। ଏହାକୁ ରାଜ୍ୟ ପର୍ଯ୍ୟଟନ କେନ୍ଦ୍ର ଓ ତୀର୍ଥସ୍ଥଳୀ ଭାବେ ମାନ୍ୟତା ଦେବାକୁ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ଜୋର ଧରୁଛି। ଉଚ୍ଚ ପାହାଡ଼, ସବୁଜ ଜଙ୍ଗଲ ଓ ପ୍ରକୃତିର ଶାନ୍ତ ପରିବେଶ ମଧ୍ୟରେ ଶୋଭା ପାଉଥିବା “ଉପକା ଗଙ୍ଗା”ର ଦୃଶ୍ୟ ଯେକୌଣସି ମଣିଷର ମନକୁ ମୁଗ୍ଧ କରିପାରିବ। ଏହି ସ୍ଥାନରୁ ପ୍ରାୟ ୧ କିଲୋ ମିଟର  ପାହାଡ଼  ମଧ୍ୟରେ ଥିବା ପାହାଡ଼ ମଥାରୁ ପ୍ରାୟ ୫୦ ଫୁଟ ଉଚ୍ଚରୁ ତଳକୁ ଖସି ଆସୁଥିବା ଜଳପ୍ରପାତ “ମୁଷଳ ଘରଲା” ର ମନୋରମ ଦୃଶ୍ୟ ଏହି ସ୍ଥାନର ଆକର୍ଷଣକୁ ଆହୁରି ବଢ଼ାଇଥାଏ। ବର୍ଷା ଋତୁରେ ଜଳପ୍ରପାତର ଗର୍ଜନ, ପାହାଡ଼ର ସବୁଜିମା ଓ ଜଙ୍ଗଲର ପ୍ରାକୃତିକ ପରିବେଶ ଏଠାକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାର ଅପାର ସମ୍ଭାବନା ରଖେ। ଗୁରୁ ଡଙ୍ଗରର ପାହାଡ଼ିଆ ପରିବେଶ, ସୁନାବେଡ଼ା ଉପତ୍ୟକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଇନ୍ଦ୍ରବନ ସହ ଜଡ଼ିତ ଲୋକବିଶ୍ୱାସ ଏହି ଅଞ୍ଚଳକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ଉପକା ଗଙ୍ଗା କେବଳ ପାହାଡ଼ ଓ ଝରଣାର ସୌନ୍ଦର୍ଯ୍ୟ ନୁହେଁ, ଏହା ସହ ସ୍ଥାନୀୟ ଲୋକଙ୍କ ଧାର୍ମିକ ଆସ୍ଥା ଓ ବିଶ୍ୱାସ ମଧ୍ୟ ଜଡ଼ିତ ରହିଛି। ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ବନବାସ ଜୀବନକୁ ନେଇ ଏହି ଅଞ୍ଚଳରେ ଲୋକବିଶ୍ୱାସ ପ୍ରଚଳିତ ଥିବା କୁହାଯାଏ।  ଏହି ଜଳଧାର ଉତ୍ସସହିତ ରାମ ତୀର୍ଥ ପାତଳଗଙ୍ଗାର  ଜଳଧାର ଉତ୍ସର  ଭୁଗର୍ଭର ପ୍ରବେଶ୍ୟ ଶିଳାସ୍ତର ମଧ୍ୟରେ  ଅନ୍ତଃ ସଂଯୋଜ୍ୟ ରହିଛି ବୋଲି ଭୁତତ୍ୱବିତ ମାନେ ମତ ଦିଅନ୍ତି, ଏହି ଆଧ୍ୟାତ୍ମିକ ଭାବନା, ପ୍ରାକୃତିକ ଐତିହ୍ୟ ଓ ସାଂସ୍କୃତିକ ପରମ୍ପରାକୁ ଉଚିତ ସମ୍ମାନ ଓ ସଂରକ୍ଷଣ ମିଳିଲେ ଉପକା ଗଙ୍ଗା ଆଗାମୀ ଦିନରେ ଏକ ପ୍ରମୁଖ ପର୍ଯ୍ୟଟନ ଓ ଧାର୍ମିକ କେନ୍ଦ୍ର ଭାବେ ପରିଚିତ ହୋଇପାରିବ।

ଏହି ଅଞ୍ଚଳର ମାଟି ସହ ଜଡ଼ିତ ରହିଛି ଅନେକ ସାଧାରଣ ମଣିଷଙ୍କ ସଂଘର୍ଷର କାହାଣୀ। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଚାଷବାସ ଓ ଦିନମଜୁରି କରି ଅନେକ ପରିବାର ନିଜ ଜୀବନ ଚଳାଉଛନ୍ତି। ଯଦି ଉପକା ଗଙ୍ଗାର ସଠିକ୍ ବିକାଶ କରାଯାଏ, ତେବେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ। ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ, ଛୋଟ ବ୍ୟବସାୟୀଙ୍କ ଜୀବିକାରେ ଉନ୍ନତି ଆସିବ ଏବଂ ଅଞ୍ଚଳର ଅର୍ଥନୈତିକ ସ୍ଥିତି ସୁଦୃଢ଼ ହୋଇପାରିବ। ଅର୍ଥାତ୍ ଉପକା ଗଙ୍ଗାର ବିକାଶ କେବଳ ଏକ ପର୍ଯ୍ୟଟନସ୍ଥଳୀର ବିକାଶ ନୁହେଁ, ଏହା ଅନେକ ପରିବାରର ଜୀବନରେ ନୂଆ ଆଶା ଭରିଦେବାର ଏକ ସମ୍ଭାବନା ରହିଛି ଓ  ଏଠାକାର ଲୋକ କଳା, ହସ୍ତ ଶିଳ୍ପ, ସଂସ୍କୃତି ଓ ପରମ୍ପରା ର ପ୍ରଚାର ଓ ପ୍ରସାର ହୋଇପାରିବ। ଏଣୁ ଉପକା ଗଙ୍ଗା ତୀର୍ଥସ୍ଥଳକୁ ଯିବା ପାଇଁ  ଉନ୍ନତ ରାସ୍ତା, ପରିବହନ ଓ ଗମନାଗମନ ବ୍ୟବସ୍ଥା,ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମଗୃହ, ପାନ୍ଥ ସାଲା, ପାନୀୟ ଜଳ, ଶୌଚାଳୟ, ଆଲୋକୀକରଣ, ପ୍ରମୋଦ ଉଦ୍ୟାନ ଓ ମୋବାଇଲ୍ ନେଟୱର୍କ ଭଳି ମୌଳିକ ସୁବିଧା ଯୋଗାଇଦେବା ଆବଶ୍ୟକ। ଜଳପ୍ରପାତ ନିକଟରେ ସୁରକ୍ଷା ବାଡ଼, ପାହାଚ ଓ ବ୍ୟାରିକେଡ୍ ନିର୍ମାଣ ସହ ପରିବେଶ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦେବାକୁ ପଡ଼ିବ। ପ୍ରକୃତିର ଏହି ଅମୂଲ୍ୟ ସମ୍ପଦକୁ ସୁରକ୍ଷିତ ରଖି ଯୋଜନାବଦ୍ଧ ଭାବେ ବିକାଶ କରାଗଲେ ଏହା ନୂଆପଡ଼ା ଜିଲ୍ଲାର ଏକ ପ୍ରମୁଖ ଆକର୍ଷଣୀୟ  ପର୍ଯ୍ୟଟନ ସ୍ଥଳ ହୋଇପାରିବ।‌ ଏହି ଦାବି ପ୍ରସଙ୍ଗରେ ନୂଆପଡ଼ା ଜିଲ୍ଲାର ବିଶିଷ୍ଟ ରାଜନେତା ଓ ସମାଜସେବୀ  ଲମ୍ବୋଦର ନିଆଲଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ତାଙ୍କ ମାଧ୍ୟମରେ ରାଜ୍ୟ ସରକାର, ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଉପକା ଗଙ୍ଗାର ବିକାଶ ଦାବି ପହଞ୍ଚିବା ସହ ଏହାର ପ୍ରାକୃତିକ ଓ ଧାର୍ମିକ ଗୁରୁତ୍ୱର ଉଚିତ ମୂଲ୍ୟାଙ୍କନ କରାଯିବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି। ଏହି ସ୍ଥାନକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଗଲେ ଦୀର୍ଘଦିନର ଅବହେଳା ଦୂର ହେବା ସହ ଅଞ୍ଚଳର ଉନ୍ନତି ପଥ ପ୍ରଶସ୍ତ ହୋଇପାରିବ।

ପ୍ରକୃତି ଯେଉଁ ଅପୂର୍ବ ସୌନ୍ଦର୍ଯ୍ୟ ଏହି ମାଟିକୁ ଦାନ କରିଛି, ତାହା ଯେପରି ଅବହେଳା ଭିତରେ ହଜି ନଯାଉ। ପାହାଡ଼, ଝରଣା, ଜଙ୍ଗଲ ଓ ଲୋକବିଶ୍ୱାସର ଏହି ଅନନ୍ୟ ମିଳନସ୍ଥଳକୁ ଯଦି ଉଚିତ ମାନ୍ୟତା ମିଳେ, ତେବେ ଏହା କେବଳ ନୂଆପଡ଼ା ଜିଲ୍ଲାର ଗର୍ବ ହେବ ନାହିଁ, ବରଂ ଅନେକ ସାଧାରଣ ପରିବାରଙ୍କ ଜୀବନରେ ଆଶାର ଆଲୋକ ଜଳାଇବା ସହ  ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିବ। ଏବେ କେବଳ ସରକାରଙ୍କ ଆନ୍ତରିକ ଦୃଷ୍ଟି  ପଦକ୍ଷେପକୁ ଜନସାଧାରଙ୍କ ଅପେକ୍ଷା ରହିଛି। ଅବହେଳାର ଅନ୍ଧକାରରୁ ମୁକ୍ତି ପାଇ ଉପକା ଗଙ୍ଗା ଦିନେ ଓଡ଼ିଶାର ଗର୍ବ ହେଉ – ଏହା ହିଁ ଅଞ୍ଚଳବାସୀଙ୍କ ହୃଦୟର ଆଶା ଓ ପ୍ରାର୍ଥନା। ଏହା ସହିତ ଇନ୍ଦ୍ରନଦୀ ଗର୍ଭସ୍ତ ଭାଟୋଦରହ,  କବାଟଦରହ, ଓ କୂଳରେ ଥିବା ମା ସୁନାଦେଇଙ୍କ ସାତ ଭଉଣୀ  ଇନ୍ଦ୍ରାଣୀ ଦେବୀ, ଦ୍ୱାରସନୀ ଦେବୀ , ଛତ୍ର ଖୁଟିଏଁନ, ଆଦି ଦେବୀ ମାନଙ୍କ ପୀଠ ସ୍ଥଳ, ସୁବିସ୍ତୃତ ମାରାଗୁଡା ସଭ୍ୟତା, ତଥା  ଯୁଜଘାଟ (ଯୁଦ୍ଧ ଘାଟ) ଓ ବୀର ସୁରେନ୍ଦ୍ର ସାଏଙ୍କ ଆତ୍ମ ଗୋପନ କାଳର ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱର  ବିଶେଷ  ଗବେଷଣାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.