ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣ ରୋକିବା ଦିଗରେ ସିନାପାଲି ଥାନା ପୁଲିସକୁ ମିଳିଛି ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ଘଟଣାରେ ଗୋଡ଼ାଲ ଛକ ନିକଟରୁ ମୋଟ ୧୭ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଛି। ଅଧିକ ଆର୍ଥିକ ଲାଭର ପ୍ରଲୋଭନ ଦେଖାଇ ଶ୍ରମିକମାନଙ୍କୁ କାମ କରିବା ପାଇଁ ହାଇଦ୍ରାବାଦ ନିଆଯାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସିନାପାଲି ଥାନାରେ ୩୬୩ ଓ ୩୬୪ ନମ୍ବରରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୨ ଅକ୍ଟୋବର ୨୦୨୬ରେ ସିନାପାଲି ଥାନା ପୁଲିସର ଦୁଇଟି ପୃଥକ ପାଟ୍ରୋଲିଂ ଦଳ ଗୋଡ଼ାଲ ଛକ ନିକଟରେ ଦାଦନ ଶ୍ରମିକ ଚାଲାଣ ସମ୍ପର୍କରେ ବିଶ୍ୱସନୀୟ ସୂଚନା ପାଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍କୁ ଅପେକ୍ଷା କରିଥିବା ଦୁଇଟି ଦଳର ଶ୍ରମିକମାନଙ୍କୁ ଚିହ୍ନଟ କରି ପଚରାଉଚରା କରିଥିଲା। ସେମାନେ ଶ୍ରମିକ ଭାବେ କାମ କରିବା ପାଇଁ ତେଲେଙ୍ଗାନାର ହାଇଦ୍ରାବାଦ ଯିବାକୁ ଅପେକ୍ଷା କରିଥିବା ଜଣାପଡ଼ିଥିଲା।
ସିନାପାଲି ଥାନା କେସ୍ ନଂ ୩୬୩ ଅନୁଯାୟୀ, ପ୍ରଥମ ଘଟଣାରେ ମୋଟ ୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପାଟିଆଳପଡ଼ା ଗ୍ରାମର ତ୍ରିନାଥ ମାଝୀ (୪୫), ତାଙ୍କ ପତ୍ନୀ କୁନ୍ତଳା ମାଝୀ (୪୨), ଝିଅ ପୂଜା ମାଝୀ (୨୨), ପୁଅ ରାହୁଲ ମାଝୀ (୧୯) ଓ ଦିନବନ୍ଧୁ ମାଝୀ (୨୧) ରହିଛନ୍ତି। ଏହାବ୍ୟତୀତ ଖଡ଼ିଆଳ ଥାନା ଅନ୍ତର୍ଗତ ଡୁମେରଯୋର ଗ୍ରାମର ଡାକ୍ଟର ମାଝୀ (୨୪) ଏବଂ ଝାରସୁଗୁଡ଼ା ଜିଲ୍ଲାର ଶ୍ରୀତମ ବାଗ (୨୨) ଓ ତାଙ୍କ ପତ୍ନୀ ଅହଲ୍ୟା ବାଗ ଓରଫ ଦଣ୍ଡସେନା (୧୯) ମଧ୍ୟ ଉଦ୍ଧାର ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଜଣେ ଶ୍ରମ ସର୍ଦ୍ଦାର ଏହି ଶ୍ରମିକମାନଙ୍କୁ ଅଧିକ ଆର୍ଥିକ ଲାଭର ପ୍ରଲୋଭନ ଦେଖାଇ ହାଇଦ୍ରାବାଦକୁ କାମ ପାଇଁ ନେଉଥିଲେ।
ସେହିପରି ସିନାପାଲି ଥାନା କେସ୍ ନଂ ୩୬୪ ଅନୁଯାୟୀ, ଦ୍ୱିତୀୟ ଘଟଣାରେ ଆଉ ୯ ଜଣ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଛି। ଏଥିରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାଭାଡ଼ି ଗ୍ରାମର ବଳକୃଷ୍ଣ ନାଗ (୨୦), ତାଙ୍କ ମାଆ କେତକୀ ନାଗ (୫୫), ଭଉଣୀ ସସ୍ମିତା ନାଗ (୨୨) ଓ ଭାଇ ହେମନ୍ତ ନାଗ (୧୮) ଅଛନ୍ତି। ଅନ୍ୟପକ୍ଷରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଝଲପ ଗ୍ରାମର ଧନସିଂ ମାଝୀ (୪୮), ତାଙ୍କ ପତ୍ନୀ ଉର୍ମିଳା ମାଝୀ (୪୫), ପୁଅ ଅଜୟ ମାଝୀ (୨୨), ବସୁଦେବ ମାଝୀ (୧୮) ଓ ଅଜୟଙ୍କ ପତ୍ନୀ ସତ୍ୟଭାମା ମାଝୀ (୨୧) ମଧ୍ୟ ଉଦ୍ଧାର ହୋଇଛନ୍ତି। ଏହି ଘଟଣାରେ ମଧ୍ୟ ଜଣେ ଶ୍ରମ ସର୍ଦ୍ଦାର ଶ୍ରମିକମାନଙ୍କୁ ଅଧିକ ଆର୍ଥିକ ଲାଭର ପ୍ରଲୋଭନ ଦେଖାଇ ହାଇଦ୍ରାବାଦକୁ କାମ ପାଇଁ ନେଉଥିବା ଅଭିଯୋଗ ହୋଇଛି। ପୁଲିସର ପ୍ରାଥମିକ ଯାଞ୍ଚରୁ ଉଭୟ ଘଟଣାରେ ଶ୍ରମିକମାନଙ୍କ ନିମନ୍ତେ ଆବଶ୍ୟକୀୟ ପରିଚୟ ପାସ୍ବୁକ୍, ଗତିବିଧି ଆଦେଶ ଓ ବୈଧ ଅନୁମତିପତ୍ର ନଥିବା ଜଣାପଡ଼ିଥିଲା। ଏଥିସହ ନିୟମାନୁଯାୟୀ ଯାତ୍ରା ଓ ବିସ୍ଥାପନ ଭତ୍ତା ମଧ୍ୟ ପ୍ରଦାନ କରାଯାଇନଥିବା ଅଭିଯୋଗ ରହିଛି। ଏହି ଦୁଇଟି ଘଟଣାକୁ ନେଇ ୧୨ ଅକ୍ଟୋବର ୨୦୨୬ରେ ସିନାପାଲି ଥାନାରେ କେସ୍ ନଂ ୩୬୩ ଓ ୩୬୪ ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୪୩(୩)/ ୩୧୮(୨) ଏବଂ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ନିୟନ୍ତ୍ରଣ) ଆଇନ, ୧୯୭୯ର ଧାରା ୨୫ ଅନୁଯାୟୀ ପୃଥକ ମାମଲା ରୁଜୁ ହୋଇଛି। ଉଦ୍ଧାର ହୋଇଥିବା ସମସ୍ତ ୧୭ ଜଣ ଶ୍ରମିକଙ୍କୁ ଆବଶ୍ୟକୀୟ ଯାଞ୍ଚ ଓ ପଚରାଉଚରା ପରେ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ଉଭୟ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ଗ୍ରହଣ ସହ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।





