ରିଜୟସ ପବ୍ଲିକ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚିନ୍ଦ୍ରି ଦାଦି ବୁଢ଼ା ଦଳ ଚାମ୍ପିୟନ

ମୋହନପଡ଼ା ମା’ ବଡ଼ଘରଣୀ ଦଳକୁ ହରାଇ ହାତେଇଲା ବିଜୟ ମୁକୁଟ, ବିଜେତାଙ୍କୁ ୧୨ ହଜାର ଓ ଉପବିଜେତାଙ୍କୁ ୯ ହଜାର ଟଙ୍କା ପୁରସ୍କାର

ଓଡ଼ିଆ ବାର୍ତ୍ତା/ କୋରାପୁଟ: ରିଜୟସ ପବ୍ଲିକ ସ୍କୁଲ ପକ୍ଷରୁ ଆୟୋଜିତ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ଚିନ୍ଦ୍ରି ଦାଦି ବୁଢ଼ା ଦଳ ବିଜୟୀ ହୋଇ ଚାମ୍ପିୟନ ଟ୍ରଫି ହାସଲ କରିଛି। ଫାଇନାଲରେ ଚିନ୍ଦ୍ରି ଦାଦି ବୁଢ଼ା ଦଳ ଓ ମୋହନପଡ଼ାର ମା’ ବଡ଼ଘରଣୀ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ଏଥିରେ ଚିନ୍ଦ୍ରି ଦାଦି ବୁଢ଼ା ଦଳ ବିଜୟୀ ହୋଇଥିବା ବେଳେ ମା’ ବଡ଼ଘରଣୀ ଦଳ ଉପବିଜେତା ହୋଇଥିଲା। ଏହି ଫୁଟବଲ ପ୍ରତିଯୋଗିତାରେ ୪୦ରୁ ଊର୍ଦ୍ଧ୍ୱ ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍‌ ଅବସରରେ ସମାଜସେବୀ ରାଜେନ୍ଦ୍ର ଗାଣ୍ଟା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଜେଡି ବ୍ଲକ ସଭାପତି ମଣ୍ଟୁ ବେନିୟା ଓ ଫୁଟବଲ ଗୁରୁ ପାପୁଜି ପାତ୍ର ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଥମ ସ୍ଥାନ ଅଧିକାର କରିଥିବା ଚିନ୍ଦ୍ରି ଦାଦି ବୁଢ଼ା ଦଳକୁ ନଗଦ ୧୨ ହଜାର ଟଙ୍କା ସହ ଟ୍ରଫି ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ମୋହନପଡ଼ାର ମା’ ବଡ଼ଘରଣୀ ଦଳକୁ ନଗଦ ୯ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ରିଜୟସ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସଂଗ୍ରାମ କେଶରୀ ଭତ୍ରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଅଞ୍ଚଳର ଯୁବ ଖେଳାଳିଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେଇଛି। ଗ୍ରାମାଞ୍ଚଳରେ ଫୁଟବଲ ଖେଳର ପ୍ରଚାରପ୍ରସାର ସହ ନୂତନ କ୍ରୀଡ଼ା ପ୍ରତିଭାଙ୍କୁ ଆଗକୁ ଆଣିବା ଦିଗରେ ଏଭଳି ଆୟୋଜନ ସହାୟକ ହେବ ବୋଲି କ୍ରୀଡ଼ାପ୍ରେମୀ ଆଶା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.