ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ୍ ଅନ୍ତର୍ଗତ ବୁର୍ଡ଼ିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସୁରେଶ ଶର୍ମାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ବିଦ୍ୟାଳୟରେ ଦୀର୍ଘ ୨୫ ବର୍ଷଧରି ନିଷ୍ଠାର ସହ ଶିକ୍ଷକତା କରି ଆସୁଥିବା ଶିକ୍ଷକ ଶ୍ରୀ ଶର୍ମାଙ୍କର ପଦୋନ୍ନତି ହୋଇ ଭୀମକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଛି। ଏହି ଅବସରରେ ବୁର୍ଡିପଡା ବିଦ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଦୀର୍ଘ ୨୫ ବର୍ଷର ଶିକ୍ଷାଦାନ ଓ ଆତ୍ମୀୟତାର ସମ୍ପର୍କକୁ ମନେ ପକାଇ ସଭାଟି ଅତ୍ୟନ୍ତ ଭାବବିହ୍ୱଳ ପରିବେଶରେ ପରିଣତ ହୋଇଥିଲା। ପ୍ରିୟ ଶିକ୍ଷକଙ୍କୁ ବିଦାୟ ଦେବା ସମୟରେ ଛାତ୍ରଛାତ୍ରୀମାନେ କାନ୍ଦି ପକାଇଥିବା ବେଳେ ସେମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଦେଖି ଶ୍ରୀ ଶର୍ମା ମଧ୍ୟ ନିଜ ଭାବନାକୁ ରୋକି ନପାରି କାନ୍ଦି ପକାଇଥିଲେ। ଏହି ଦୃଶ୍ୟ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା। ବିଦାୟ ସମ୍ବର୍ଦ୍ଧନା ପରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀମାନେ ଏକତ୍ରିତ ହୋଇ ଶ୍ରୀ ଶର୍ମାଙ୍କୁ ଗ୍ରାମ ପରିକ୍ରମା କରାଇ ତାଙ୍କ ନିଜ ଗ୍ରାମ ପଲସାପଡ଼ା ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇଥିଲେ। ଏହି ଶୋଭାଯାତ୍ରା ଗୁରୁଙ୍କ ପ୍ରତି ଶିଷ୍ୟ ଓ ଗ୍ରାମବାସୀଙ୍କ ଅକୃତ୍ରିମ ସ୍ନେହ, ସମ୍ମାନ ଓ ଭଲପାଇବାର ଏକ ନିଆରା ଉଦାହରଣ ସୃଷ୍ଟି କରିଥିଲା। ଏହି ସଭାରେ ବୁର୍ଡିପଡା ବିଦ୍ୟାଳୟର ସମସ୍ତ ପରିଚାଳନା କମିଟି ସଦସ୍ୟ, ଗ୍ରାମବାସୀ ତଥା କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ ଶ୍ରୀ ଶର୍ମାଙ୍କ ଦୀର୍ଘ ବର୍ଷର ଶିକ୍ଷାଦାନ, ନିଷ୍ଠା ଓ ଅବଦାନକୁ ସ୍ମରଣ କରିଥିଲେ। ତାଙ୍କର ନୂତନ କର୍ମସ୍ଥଳୀରେ ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସମସ୍ତେ ଶୁଭେଚ୍ଛା ଜଣାଇଥିଲେ।





