ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରଣ ଓ ଛାତ୍ରୀ ସୁରକ୍ଷାର ବଡ଼ ବଡ଼ ଦାବି କରୁଥିବା ବେଳେ ପ୍ରଶାସନର ନାକ ତଳେ ହିଁ ସାମ୍ନାକୁ ଆସିଛି ଚରମ ଲଜ୍ଜାଜନକ ଚିତ୍ର। ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଠାରୁ ମାତ୍ର ୨ କିମି ଦୂରରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁମେରମୁଣ୍ଡାରେ ଦେଖିବାକୁ ମିଳିଛି। ବିଦ୍ୟାଳୟରେ ପିଇବା ପାଣି, ବିଜୁଳି ଓ ସୁରକ୍ଷା ପାଚେରୀ ଅଭାବରୁ ଅତିଷ୍ଠ ହୋଇ ଆଜି ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ସ୍କୁଲ କ୍ଳାସ ରୁମରେ ତାଲା ପକାଇ ଥିବା ବେଳେ ମୁଖ୍ୟ ଫାଟକ ଆଗରେ ବସିଥିଲେ ଛାତ୍ରଛାତ୍ରୀ। ଏହି ବିଦ୍ୟାଳୟରେ ଶୌଚାଳୟ କିମ୍ବା ପାଣିର ସୁବ୍ୟବସ୍ଥା ନଥିବାରୁ ବଡ଼ ଝିଅମାନେ ଶୌଚ ପାଇଁ ବିଦ୍ୟାଳୟ ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏକ ନାଳ ତଳକୁ ଓଲାଇ ଯିବାକୁ ବାଧ୍ୟ ହେଉଛନ୍ତି। ଜଙ୍ଗଲିଆ ଓ ଅସୁରକ୍ଷିତ ନାଳରେ ଛାତ୍ରୀମାନେ ଶୌଚ ପାଇଁ ଯାଉଥିବା ଘଟଣା ଦେଖିବାକୁ ମିଳିଛି। କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଦୁର୍ଘଟଣା ଘଟିଲେ ଏଥିପାଇଁ ଦାୟୀ କିଏ ରହିବ ବୋଲି ଅଭିଭାବକମାନେ ତୀବ୍ର ନିନ୍ଦା କରିଛନ୍ତି। ସ୍କୁଲରେ ବିଦ୍ୟୁତ ବିଛିନ୍ନ ଥିବାରୁ କୋଠରୀ ଭିତରେ ପିଲାମାନେ ପାଠ ପଢ଼ିବା ଅସମ୍ଭବ ହୋଇପଡ଼ୁଛି। ଅନ୍ୟପଟେ ସୁରକ୍ଷା ପାଚେରୀ ନଥିବାରୁ ସ୍କୁଲ ପରିସରକୁ ବାହାର ଲୋକଙ୍କ ସମେତ ଗୃହପାଳିତ ପଶୁ ଓ ବିଷଧର ସରୀସୃପ ପଶିଆସିବାର ନିରନ୍ତର ଭୟ ରହୁଛି।ବ୍ଲକ ମୁଖ୍ୟାଳୟର ଏତେ ନିକଟରେ ଥାଇ ମଧ୍ୟ ଏହି ପ୍ରାଥମିକ ସମସ୍ୟା ପ୍ରତି ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ବର୍ଷ ବର୍ଷ ଗଢି ଚାଲିଥିବା ଶିକ୍ଷା ବିଭାଗ ଓ ବ୍ଲକ ପ୍ରଶାସନର ନଜର ନପଡ଼ିବା ଚରମ ଉଦାସୀନତାର ପ୍ରମାଣ ଦେଉଛି ବୋଲି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ବାଧ୍ୟ ହୋଇ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ଛାତ୍ରଛାତ୍ରୀ ସୋମବାର ସକାଳ ସାଢେ ୯ ଘଣ୍ଟା ସମୟରେ ସ୍କୁଲ ଫାଟକ ସାମ୍ନାରେ ବସି ପ୍ରତିବାଦ କରିଥିବା ପ୍ରକାଶ କରିଛନ୍ତି। ଯେପର୍ଯ୍ୟନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ ନହୋଇଛି ଏବଂ ପ୍ରଶାସନ ଲିଖିତ ପ୍ରତିଶ୍ରୁତି ନଦେଇଛି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସ୍କୁଲ ପରିଚାଳନା କମିଟିର ସଭାନେତ୍ରୀ ସସ୍ମିତା ସାହୁ, ଉପ ସଭାପତି ଗୌରାଙ୍ଗ ସାହୁ, ସଦସ୍ୟ ବିଜୟା ସାହୁ, ପଦ୍ମା ସାହୁ, ରତ୍ନାକର ରଣା, ସୁଲଚନା ନାଗ, ବବି ବେହେରା, ଜୋସବାନ୍ତି ବାଗ, ମାଳତୀ ରଣାଙ୍କ ସମେତ ଗାଁ କମିଟିର ସଭାପତି ମକାରୁ ବେହେରା, ସମ୍ପାଦକ ନରେନ୍ଦ୍ର ସାହୁ ସହ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଏନେଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁକେଶିନୀ ମାଝୀଙ୍କୁ ପଚାରିବାରୁ ମୁଁ କିଛି ମାସ ହେଲା ନୂତନ ଭାବେ ସ୍କୁଲ କୁ ଆସିଛି। ଆସିବା ଦିନଠାରୁ ଏହି ସମସ୍ୟା ରହିଛି ବୋଲି ପ୍ରକାଶ କରିଛନ୍ତି। ଏନେଇ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ମୁଁ ପାନୀୟ ଜଳ ପାଇଁ ଯନ୍ତ୍ରୀଙ୍କୁ ପଠାଇବି ବୋଲି ପ୍ରକାଶ କରିଥିଲେ। ଏନେଇ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେରଙ୍କୁ ପଚାରିବାରୁ ବ୍ଳକ ଅଧୀନରେ ଥିବା ଯୋଗୁଁ ମୁଁ ଏହି ବିଷୟରେ ବିଡ଼ିଓ ଶ୍ରୀ ପାତ୍ରଙ୍କ ସହିତ ଆଲୋଚନା କରିଛି ବୋଲି ପ୍ରକାଶ କରିଛନ୍ତି। ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ଡୁମେରମୁଣ୍ଡା ଗ୍ରାମବାସୀ ପକ୍ଷରୁ ଚେତାବନୀ ଦେଇଛନ୍ତି।





