ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଭଟାଙ୍ଗପଦର ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ସୋମବାର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି–୨୦୨୬’ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଭଟାଙ୍ଗପଦର କ୍ଲଷ୍ଟରର ସିଆରସିସି ମନୋଜ କୁମାର ସାହୁଙ୍କ ସଭାପତିତ୍ୱ ଏବଂ କ୍ଲଷ୍ଟରର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏହି ମହୋତ୍ସବ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷାପ୍ରେମୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ମହୋତ୍ସବର ଶୁଭାରମ୍ଭ ହୋଇଥିଲା।
ଉଦ୍ଘାଟନୀ ଅଧିବେଶନରେ ଅତିଥି ଭାବେ ଭଟାଙ୍ଗପଦର ପଞ୍ଚାୟତ ସରପଞ୍ଚ ଦଶମୀ ମାଝୀ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ରୁପେନ୍ଦ୍ର ଛତ୍ରିଆ, ଭଟାଙ୍ଗପଦର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନରେଶ କୁମାର ଦାସ, ଗୁଣ୍ଡୁରି ସରକାରୀ ଉଚ୍ଚ ବିଦ୍ୟାଳୟର ରାମଦାସ ସୋରେନ୍, ଜାମଚୁଆଁ ପ୍ରଧାନଶିକ୍ଷକ ଶିବ ପ୍ରସାଦ ଦାସ ଏବଂ ଆମପଦର ପ୍ରଧାନ ଶିକ୍ଷକ ଅନିଲ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ସାମଗ୍ରିକ ବିକାଶରେ ଏପରି ମହୋତ୍ସବର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପଦୋନ୍ନତି ପାଇଥିବା ଶିକ୍ଷକ ଏବଂ ଅବସରଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଓ ବିଦାୟ ସମ୍ମାନ ପ୍ରଦାନ କରାଯାଇଥିଲା।

ଗୁଣ୍ଡୁରି ଉଚ୍ଚ ବିଦ୍ୟାଳୟର କେଦାରନାଥ ସାହୁ ଓ ରାକେଶ କୁମାର ଭୋଇ ଲେଭଲ୍-୩କୁ ପଦୋନ୍ନତି ପାଇଥିବାବେଳେ ମାନସ୍କା ପ୍ରାଥମିକ ବିଦ୍ୟାଳୟର ସଚ୍ଚିଦାନନ୍ଦ କୁମାର ସ୍ନାତକ ଶିକ୍ଷକ ଭାବେ ପଦୋନ୍ନତି ପାଇଥିଲେ। ସେହିପରି ହିମାଂଶୁ ଶେଖର ମେହେର ବାନ୍ଧପାରି କ୍ଲଷ୍ଟରର ସିଆରସିସି ଭାବେ ନିଯୁକ୍ତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ଆଦିତ୍ୟ କୁମାର ପଣ୍ଡା ଓ ସୁଦାମ ସୁନାଙ୍କୁ ମଧ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଶିକ୍ଷାମୂଳକ ଓ ସୃଜନଶୀଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ନିଜର ଜ୍ଞାନ, ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।

ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନରେ ଆୟୋଜିତ ସାଂସ୍କୃତିକ ପ୍ରତିଯୋଗିତାରେ ପିଲାମାନେ ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ କଳାତ୍ମକ ପରିବେଷଣ ମାଧ୍ୟମରେ ନିଜର କଳା ଓ ସୃଜନଶୀଳତାର ପରିଚୟ ଦେଇଥିଲେ।ଅପରାହ୍ନରେ ଅନୁଷ୍ଠିତ ଉଦ୍ଯାପନୀ ତଥା ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ.ହୃଷୀକେଶ ନାଏକ ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ, ନିଷ୍ଠା ଓ ଦକ୍ଷତା ପାଇଁ ବିଭିନ୍ନ ବର୍ଗରେ ଶିକ୍ଷକ ଓ ବିଦ୍ୟାଳୟମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଶ୍ରେଷ୍ଠ ଏଫ୍ଏଲ୍ଏନ୍ ଶିକ୍ଷକ ଭାବେ କାମଚୁଆଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉର୍ବଶୀ ସାହୁ, ଶ୍ରେଷ୍ଠ ପ୍ରାଥମିକ ଶିକ୍ଷକ ଭାବେ ସୁଲିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ମନୋଜ କୁମାର ବିଶ୍ୱାଳ ଏବଂ ଶ୍ରେଷ୍ଠ ମାଧ୍ୟମିକ ଶିକ୍ଷକ ଭାବେ ଭଟାଙ୍ଗପଦର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦିବ୍ୟରଞ୍ଜନ ଜେନା ପୁରସ୍କୃତ ହୋଇଥିଲେ।

ସେହିପରି ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଗାମ୍ପେନୁ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ କ୍ଲଷ୍ଟର ରନିଂ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ମହୋତ୍ସବ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସାର, ଆତ୍ମବିଶ୍ୱାସ ବୃଦ୍ଧି ଏବଂ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଏକ ଉଲ୍ଲେଖନୀୟ ମଞ୍ଚ ପାଲଟିଥିଲା। ମହୋତ୍ସବର ସଫଳ ଆୟୋଜନ ପାଇଁ ସିଆରସିସି ମନୋଜ କୁମାର ସାହୁ କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ଅତିଥି ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସମସ୍ତଙ୍କର ସାମୂହିକ ପ୍ରୟାସ, ସହଯୋଗ ଓ ନିଷ୍ଠା ଯୋଗୁଁ ଏହି ଶିଶୁ ମହୋତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।





