‘ଇୟର୍ ବୁକ୍ ଅଫ୍ ଇଣ୍ଡିଆନ୍ ପୋଏଟ୍ରି ଇନ୍ ଇଂଲିଶ୍’ରେ କବି ଦୁର୍ଗାପ୍ରସାଦ ପଣ୍ଡା

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରର ସଂଭ୍ରାନ୍ତ ସଂକଳନ ‘ଇୟର୍ ବୁକ୍ ଅଫ୍ ଇଣ୍ଡିଆନ୍ ପୋଏଟ୍ରି ଇନ୍ ଇଂଲିଶ୍’ରେ ରାଜ୍ୟର ଏକମାତ୍ର କବି ଦୁର୍ଗାପ୍ରସାଦ ପଣ୍ଡାଙ୍କ କବିତା ସ୍ଥାନ ପାଇଛି। ଭାରତବର୍ଷର ବିଭିନ୍ନ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ଇଂରାଜୀ କବିତାମାନଙ୍କ ମଧ୍ୟରୁ ସର୍ବୋତ୍ତମ କବିତା ଚୟନ କରାଯାଇ ଉକ୍ତ ନିଆରା ସଂକଳନ ପ୍ରସ୍ତୁତ କରାଯାଇଛି। ଦେଶର ପ୍ରତିଷ୍ଠିତ କବି ଓ ସମାଲୋଚକଙ୍କୁ ନେଇ ଗଠିତ ଆଠ ଜଣିଆ ଚୟନ କମିଟି କବିତାସବୁ ବାଛିଥିଲେ। ସୁପ୍ରିତା ପଲ୍ କୁମାର ଓ ବିନିତା ଅଗ୍ରୱାଲଙ୍କ ଦ୍ଵାରା ସମ୍ପାଦିତ ଉକ୍ତ ସଂକଳନ ମଇ ଶେଷ ସପ୍ତାହରେ ବଜାରକୁ ଆସିବ। ସମ୍ବଲପୁର ନିବାସୀ କବି ଶ୍ରୀ ପଣ୍ଡା ବିଗତ ଦୁଇ ଦଶନ୍ଧି ଧରି ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ କବିତା ଓ ସମାଲୋଚନା ରଚନା କରିଆସୁଛନ୍ତି। ଏଥିପାଇଁ ସେ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଥିବା ବେଳେ ଅନେକ ଅନ୍ତର୍ଜାତୀୟ ସଂକଳନ ଓ ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହୋଇଆସୁଛି। ତାଙ୍କର ଚର୍ଚ୍ଚିତ କବିତା ସଂକଳନ ମଧ୍ୟରେ ରହିଛି ‘ନିଆଁ ଭିତରେ ହାତ’, ‘ପୋଷ୍ଟକାର୍ଡ କବିତା’, ‘ରାତି ଆଉଟିକେ ଗାଢ଼ ହେଲେ’ ଇତ୍ୟାଦି। ନିକଟରେ ସାହିତ୍ୟ ଅକାଦେମୀ ପକ୍ଷରୁ ପ୍ରକାଶିତ ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ରଙ୍କ ସାମଗ୍ରିକ କୃତିକୁ ନେଇ ତାଙ୍କ ସମ୍ପାଦିତ ପୁସ୍ତକ ବେଶ୍ ପାଠକୀୟ ଆଦୃତି ଲାଭ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.