କଂସାରୀଗୁଡା ପ୍ରକଳ୍ପ ପାଇଁ ଜନଶୁଣାଣୀକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ

● ଜନ ଶୁଣାଣୀ ଠାରୁ ଦୂରରେ ରହୁ ମୈତ୍ରୀ ଇନଫ୍ରା: କୋଡିଙ୍ଗାମାଳି ସୁରକ୍ଷା ମଂଚ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କାଶିପୁର ବ୍ଳକ କଂସାରୀଗୁଡା ଠାରେ ୩.୦ମିଲିୟନ୍ ଟନ ବାର୍ଷିକ ଓ ୧୫୦ମେଗା ୱାଟ୍ ବିଜୁଳି ଉତ୍ପାଦନ କରିବା ପାଇଁ ଆସନ୍ତାକାଲି ଅକ୍ଟୋବର ୫ତାରିଖ ଦିନ ପୋଡିପାଡି ଗ୍ରାମର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ପରିବେଶ ଜନଶୁଣାଣୀ ଠାରୁ ମୈତ୍ରୀ ଇନଫ୍ରା ନାମକ ଏକ ଘରୋଇ ଠିକାଦାରୀ ସଂସ୍ଥାକୁ ଦୂରରେ ରଖିବା ସହ ଉକ୍ତ ଜନ ଶୁଣାଣୀରେ ମୈତ୍ରୀ ସଂସ୍ଥାର ଲୋକ ସଂପର୍କ ଅଧିକାରୀ, କର୍ମଚାରୀମାନଙ୍କୁ ସାମିଲ ନ କରିବା ପାଇଁ କୋଡିଙ୍ଗାମାଳି ସୁରକ୍ଷା ମଂଚ ପକ୍ଷରୁ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ନିବେଦନ କରାଯାଇଛି । ସ୍ଥାନୀୟ ପ୍ରଭାବିତ ଅଂଚଳବାସୀଙ୍କ ଦାବିକୁ ଗୁରୁତ୍ୱ ଦେଇ କମ୍ପାନୀ ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ ପରିବେଶ ଜନଶୁଣାଣୀ ନିମନ୍ତେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା ସରକାରଙ୍କ ଦ୍ୱାରା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପାଇଁ ଅକ୍ଟୋବର ୫ତାରିଖ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବାରୁ ଅଂଚଳବାସୀ ବହୁତ ଆନନ୍ଦିତ ଓ ଖୁସି ପ୍ରକଟ କରିବା ସହ ପ୍ରକଳ୍ପ ନିର୍ମାଣକୁ ନେଇ ସ୍ୱାଗତ କରୁଛୁ ବୋଲି କୋଡିଙ୍ଗାମାଳି ସୁରକ୍ଷା ମଂଚ ସଭାପତି ପ୍ରଦୀପ କୁମାର ବାଗ ଓ ଉପଦେଷ୍ଠା ଦିବାକର ସାହୁ ପ୍ରକାଶ କରିଛନ୍ତି ।


ତେବେ ଉକ୍ତ ଜନଶୁଣାଣୀକୁ ଭଣ୍ଡୁର କରିବା ପାଇଁ ପ୍ରକଳ୍ପ ଓ ଖଣି ପ୍ରଭାବିତ ଅଂଚଳରେ ଲୋକଙ୍କ ମନରେ ମୈତ୍ରୀ ଇନଫ୍ରା ଦ୍ୱନ୍ଦ ସୃଷ୍ଟି କରୁଛି । ନିଜେ ସପକ୍ଷ ଓ ବିପକ୍ଷବାଦୀର ଚେହେରା ପିନ୍ଧି ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ଭାଗ ଭାଗ କରି ବିରୋଧ ଓ ସମର୍ଥନ କରିବା ପାଇଁ କହୁଛି । ଯାହାକୁ ନେଇ ଅଂଚଳବାସୀମାନଙ୍କ ମଧ୍ୟରେ ଭାଇଚାରା ନଷ୍ଟ ହୋଇ ଏକ ପ୍ରକାର ଅଶାନ୍ତି ପରିବେଶ ସୃ୍‌ଷ୍ଟି ହେବାର ଆଶଙ୍କା ରହୁଛି ବୋଲି ସ୍ମାରକପତ୍ରରେ ଉଲ୍ଳେଖ ରହିଛି ।


ସେହିପରି ସୂତାକଳ ପାଇଁ ଏହି ଜନଶୁଣାଣୀ ହେଉଥିବା ବେଳେ କଂସାରିଗୁଡା ଠାରେ କେବେ ମଧ୍ୟ ଆଲୁମିନା ବିଶୋଧାନଗାର କମ୍ପାନୀ ହେବ ନାହିଁ ବୋଲି ମୈତ୍ରୀ ଇନଫ୍ରା ଅପପ୍ରଚାର କରୁଥିବା ଅଭିଯୋଗ ହୋଇଛି । ସପକ୍ଷବାଦୀ ଲୋକଙ୍କୁ ଟଙ୍କା ଓ ମଦମାଂସ ଦେଇ ଜନ ଶୁଣାଣୀକୁ ଭଣ୍ଡୁର କରିବା ପାଇଁ ପ୍ରବର୍ତାଉଛି ବୋଲି ମଧ୍ୟ ସୁରକ୍ଷା ମଂଚ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ଅନୁଷ୍ଠିତ ହେବାକୁ ଥିବା ଜନଶୁଣାଣୀକୁ ସଫଳ କରିବାକୁ ହେଲେ ମୈତ୍ରୀ ଇନଫ୍ରାକୁ ଦୂରରେ ରଖିବା ସହ ଅପ୍ରିତିକର ପରିସ୍ଥିତି ନ ଉପୁଜିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରିବା, ଜନଶୁଣାଣୀର ୨୦୦ମିଟର ଦୂର ଠାରୁ ସିସିଟିଭି ବ୍ୟବସ୍ଥା କରାଯାଇ ଭାଗନେବା ବ୍ୟକ୍ତି ବିଶେଷଙ୍କ ପରିଚୟ ପତ୍ରକୁ ଯାଂଚ କରାଯାଇ ଭିତରକୁ ପ୍ରବେଶ ଅନୁମତି ଦିଆଯାଉ ବୋଲି ଦାବି ଉଲ୍ଳେଖ ରହିଛି । ଏହି ସ୍ମାରକପତ୍ର ଗ୍ରହଣ କରି ଜନଶୁଣାଣୀକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ଜିଲ୍ଳା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଲୋକଙ୍କ ମତାମତ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ ଓ ଏସପି. ପ୍ରତିଶୃତି ଦେଇଥିବା ନେଇ ସୁରକ୍ଷା ମଂଚ ପକ୍ଷରୁ କୁହାଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ମଂଚର ଆବାହକ ସୁଧାକର ବାଗ, ଡମ୍ବୁରୁ ମାଝି, କେ.ରଜନୀ,ତେଲି ମାଝି, ଗିରିଧଜ, ସୁଶିଲ ଝୋଡିଆ, ବିଜୁ ଝୋଡିଆ, ଗୋବିନ୍ଦ ଝୋଡିଆ, ନୀଳାମ୍ବର ଝୋଡିଆଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ତେବେ ଏ ନେଇ ମୈତ୍ରୀ ଇନଫ୍ରା କର୍ତୁପକ୍ଷଙ୍କ ପ୍ରତିକ୍ରିୟା ପଚାରିବାରୁ କଂସାରୀଗୁଡା ପ୍ରକଳ୍ପକୁ ଆମେ ସବୁବେଳେ ସ୍ୱାଗତ କରିବା ସହ ପ୍ରଭାବିତ ଅଂଚଳବାସୀଙ୍କ ବିକାଶ ପାଇଁ ସହଯୋଗ କରି ଆସୁଛୁ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.