ରାୟଗଡା, (ଶିବ ନାରାୟଣ ଗୈାଡ): ଅସହାୟ ଗରୀବ ଦୁଃଖୀ ବିପନ୍ନ ଲୋକଙ୍କ ଦାରିଦ୍ର୍ୟ ଦୂରିକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ତେବେ ଏତେ ସବୁ ଯୋଜନା ଥାଇ ମଧ୍ୟ ଯୋଜନାରୁ ବଂଚିତ ହୋଇ ଅସହାୟ ଅବସ୍ଥାରେ ପଡି ରହିଛି ଜଣେ ଗରୀବ ମହିଳା । ଅଭିଶପ୍ତ ଜୀବନ କାଟୁଥିବା ନିଜ ୧୪ବର୍ଷର ଦିବ୍ୟାଙ୍ଗ ଝିଅକୁ ନେଇ ବଂଚିବା ଓ ରହିବା ପାଇଁ ଆଜି ପ୍ରଶାସନ ପାଖେ ଗୁହାରୀ କରୁଛି ଅସହାୟ ମାଁ । ସେ ହେଲେ ରାୟଗଡା ଜିଲ୍ଳା ସଦର ବ୍ଳକ କୋତାପେଟା ଗ୍ରାମ ପଂଚାୟତ ଅନ୍ତର୍ଗତ କୁଲଜିଂ ଗ୍ରାମର କୁନି କାଡ୍ରକା । ୯୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ୧୪ ବର୍ଷୀୟ ଏକମାତ୍ର ଝିଅ କସ୍ତୁରୀକୁ ନେଇ ଆଜି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପଂହଚିଥିଲା କୁନି । ହାତରେ ଝିଅର ଦିବ୍ୟାଙ୍ଗ ପ୍ରମାଣ ପତ୍ର ସହ ଖଣ୍ଡେ ଦରଖାସ୍ତ ଧରି କାର୍ଯ୍ୟାଳୟର କେଉଁ ସରକାରୀ ବାବୁଙ୍କୁ ବଂଚିବା ପାଇଁ ଏବଂ ରହିବା ପାଇଁ ଗୁହାରୀ କରିବି ବୋଲି ନିଜ ଦିବ୍ୟାଙ୍ଗ ଝିଅକୁ ନେଇ କାର୍ଯ୍ୟାଳୟ ପରିସରରେ ବସି ରହି କୁନି ଚିନ୍ତା କରୁଥିଲା । ଦିବ୍ୟାଙ୍ଗ ଝିଅ କସ୍ତୁରୀକୁ ସରକାରଙ୍କ ତରଫରୁ ଭତା ପ୍ରଦାନ କରାଯାଉଥିବା ବେଳେ ଘରେ କେହି ରୋଜଗାରକ୍ଷମ ବ୍ୟକ୍ତି ନ ଥିବାରୁ ଅତି କଷ୍ଟରେ ଜର୍ଜରୀତ ଜୀବନ ବିତାଉଛି କୁନି କାଡ୍ରକା । ସେ କହିବାନୁସାରେ ଆଜକୁ ଦଶ ବର୍ଷ ତଳେ ତା ସ୍ୱାମୀ କାଡ୍ରକା ନାଗେଶ୍ୱର ରାଓ ତାଙ୍କୁ ଓ ତା’ପେଟରେ ବଢୁଥିବା ସନ୍ତାନକୁ ଛାଡି କେଉଁ ଆଡେ ଚାଲି ଯାଇଛି । ଆଜି ପର୍ଯ୍ୟନ୍ତ ସ୍ୱାମୀର ଆଉ କୈାଣସି ସନ୍ଧାନ ମିଳିପାରି ନାହିଁ । ଗତ ୨୦୦୮ମସିହା ଅଗଷ୍ଟ ମାସ ୧୮ତାରିଖରେ ଦିବ୍ୟାଙ୍ଗ ଝିଅକୁ ଜନ୍ମ ଦେଇଥିଲେ କୁନି । ଜନ୍ମରୁ ଝିଅଟି ଦିବ୍ୟାଙ୍ଗ ହୋଇଥିବାରୁ ତାର ଉଚ୍ଚ ଚିକିତ୍ସା ନିମନ୍ତେ ବେରୋଜଗାର ମାଁ କୁନି ଉପରେ ଆହୁରି ବୋଝ ଲଦି ହୋଇଯାଇଥିଲା । ସେ ନିଜ ଦିବ୍ୟାଙ୍ଗ ଝିଅକୁ ଛାଡି କେଉଁ ଆଡେ ମଧ୍ୟ ଦିନ ମଜୁରିଆ ଭାବେ କାମଧନ୍ଦା ପାଇଁ ଯାଇ ପାରୁ ନ ଥିବାରୁ ଦୁହୁିଁଙ୍କ ପାଇଁ ପ୍ରତିଦିନ ପେଟପୋଷଣ ପାଇଁ ଚିନ୍ତାଗ୍ରାସ କରିଥାଏ କୁନିକୁ । ନିଜର ବୋଲି କୈାଣସି ବାସଗୃହ ଖଣ୍ଡିଏ ନ ଥିବାରୁ ସହି ପଡିଶାଙ୍କ ଘରର ଖାଲି ସ୍ଥାନରେ ଦିନ ଓ ରାତିରେ ଆଶ୍ରୟ ନେଉଛନ୍ତି ଦୁଇ ଅସହାୟ ଜୀବନ । ଜିଲ୍ଳା ପ୍ରଶାସନ ପକ୍ଷରୁ କୁନିକୁ ଯେ କୈାଣସି ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ କଲେ କିଛି ଆର୍ଥିକ ଟଙ୍କା ସହାୟତା ହୋଇପାରିଲେ ଦିବ୍ୟାଙ୍ଗ ଝିଅର ଭତାକୁ ମିଶାଇ ଖାଇବା ପିଇବା ବନ୍ଦୋବସ୍ତ ହେବା ସହ ଖଣ୍ଡେ ଆବାସ ଘର ମିଳିଲେ ସୁରକ୍ଷିତ ଛାତ ତଳେ ଦୁଇ ପ୍ରାଣୀ ସୁଖରେ ଜୀବନ କାଟି ପାରିଥାନ୍ତେ ବୋଲି କୁନି କାଡ୍ରକା ପ୍ରକାଶ କରିଛନ୍ତି । ତେବେ କୁନିର ସମସ୍ୟାକୁ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି ଭିକ୍ଟୋରିଆ କୁଲୁଙ୍କୁ ପଚାରିବାରୁ ବ୍ଳକ କାର୍ଯ୍ୟାଳୟରେ ଥିବା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟି ଆବଶ୍ୟକ ପଡୁଥିବା ତଥ୍ୟ ଓ ପ୍ରମାଣ ପତ୍ର ପ୍ରଦାନ କରାଗଲେ ସରକାରୀ ନିୟମ ପ୍ରକାରେ ମାସିକ ଭତ୍ତା ପାଇଁ ଆବେଦନ କରାଗଲେ କିଛି ସୁବିଧା ମିଳି ପାରିବ ବୋଲି ସେ କହିଛନ୍ତି ।