କିମ୍ବଦନ୍ତିରେ ସୋନପୁର ବଲିଯାତରାର ଚେପଟା ଢୋଲ୍

✒️ପ୍ରଦ୍ୟୁମ୍ନ ସାହୁ

କହେସନ୍, ଅଶିନ ମାସ ହେଉଛେ ଦେବୀ ଦେବତାକର ମାସ। ଇ ସମିଆରେ ଭିନ୍ ଭିନ୍ ଜାଗାନେ ବଲି ଯାତରା ହେସି। ହେଲେ ସୋନପୁର ର ବଲିଯାତରା ସବୁ ଯାଗାନୁ ପୁରା ଭିନ ଆଏ। ଇନେ ବଲି ବଏଲେ ଜୀବଜନ୍ତୁ ହାନବାରଟାକେ ନାଇଁ ବୁଝାଏ, ଇନ ବଲି ବଏଲେ ବଲଶାଲି, ସମକରନୁ ଅଧକା ତାକତ ବାଲା। ଢୋଲ, ନିସାନ ଆର ଗିନି ବଜାର ସଁଗେ ନାଚି ନାଚି ସାଧାରଣ ମୁନୁଷଟେ ମହାପୁରୁ ପାଲଟି ଯାଏସି। ଯେନ୍ ଢୋଲର ଡିଗଡିଗୋ ବଲି ଚାଙ୍ଗ ଚାଙ୍ଗ ତାଲେ ସାଧାରଣ ମୁନୁଷଟେ ଦେବତା ପାଲଟି ଯାଏସି, ସୋନପୁର ବଲିଯାତ୍ରାନେ ବାଜୁଥିବାର ସେ ଢୋଲକେ କହେସନ୍ ଚେପଟା ଢୋଲ୍ । କାଏଁଯେ ବଏଲେ ଅଲଗା ଢୋଲମାନକର ଆକାରର ନୁହେଁସେ ଇ ଢୋଲ । ଇ ଢୋଲର ଆକାରଟା ଚେପଟା ଆଏ। ସାଧାରଣ ଭାବେ ଦେଖଲେ ଇ ଢୋଲ୍ ଟାକେ ଗୁଟେ ଦଦରା ଭଙ୍ଗା ଢୋଲ ବଲି ଜନେ କହେବା। ହେଲେ ଇ ଢୋଲର ମହାତ୍ମ୍ୟ ବହୁତ ଅଧକା ଆଏ।

କିମ୍ଵଦନ୍ତୀ ହିସାବେ ଥରେ ସୋନପୁର ମହାରାଜ୍ ଚେପଟା ଢୋଲକେ ପୁରନା ହେଲାନ ଭାବିକରି ମଝାରାଏତ୍ ବଢଲା ମହାନଦୀନେ ବିସର୍ଜନ କରିଦେଲେ। ବଢି ପାଏନ୍ ଥି ଢୋଲଟା ସମୁନ୍ଦର ଆଡେ ଉହୁଲି ଯିବାର କଥା, ହେଲେ ସକାଲ ପାଏଲା ବେଲକେ ଚେପଟା ଢୋଲଟା ସୋନପୁର ରଜାଘାଟେ ବଢି ପାନିଥି ବି ଗୁଟେ ଯାଗାନେ ସ୍ଥିର ହେଇକରି ଉପଲୁ ଥାଏ। ଇ ଢୋଲଥି ଦୈବୀ ଶକ୍ତି ଥିବାର ଅନୁଭବ କରି ମହାରାଜ୍ ଚେପଟା ଢୋଲକେ ଫିରାଇ ଆନଲେ ଆର ପୂଜାର ବେବସ୍ଥା କରାଲେ। ବାଦ୍ୟଯନ୍ତ୍ର ଭିତରେ ଚେପଟା ଢୋଲ ଶ୍ରେଷ୍ଠ ହିସାବେ ମାଏନତା ପାଇଛେ। କଲା ଧଲା ଛତର ଧରିକରି ଚେପଟା ଢୋଲ ଉପରେ ଚଢିକରି ମହାବଲି ନାଚବାର ଦୁରଶ୍ ଯେ ନାଇଁ ଦେଖି ସେ ଚେପଟା ଢୋଲର ମହାତ୍ମ୍ୟକେ କଲ୍ପନା ଭିଲ କରି ନାଇଁପାରେ। ଇ ଢୋଲର ପାର୍ ଛାତିର ଭିତରେ ଗୁଟେ ଭିନ ପ୍ରକାର କମ୍ପନ ସୃଷ୍ଟି କରସି। ମହାବଲିର ସଁଗେ ଚେପଟା ଢୋଲକେ ଦର୍ଶନ କରବାର ସଂଗେ ଜଗତ କଲ୍ୟାନର ମାନସିକ କରସନ ସୋନପୁର ର ଶ୍ରଦ୍ଧାଳୁ ଭକତେ। ଇ ଚେପଟା ଢୋଲ କେତେ ପୁରନା ସେଟା କହେବାର ମୁସକିଲ ଆଏ, ହେଲେ ନିଜର ପାର୍ ଥି ମୁନୁଷକେ ଦେବତା ବନାଉଥିବାର ଚେପଟା ଢୋଲ ବାଦ୍ୟଯନ୍ତ୍ର ଭିତରେ ଶ୍ରେଷ୍ଠ ହିସାବେ ଇହାଛିନ ଭିଲ୍ ପୂଜା ପାଉଛେ ଆର ପାଇ ଚାଲିଥିବା ।

ସୋନପୁର
ମୋ: 9437637916

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.