ଚଢ଼ା ଦରରେ ବିକ୍ରୀ ହେଉଥିବା ୫୦ ବସ୍ତା ୟୁରିଆ ସାର ଜବତ, ୧୦ ଦିନ ପରେବି ହୋଇନାହିଁ କାର୍ଯ୍ୟାନୁଷ୍ଠାନ

● କୃଷି ବିଭାଗର କାର୍ଯ୍ୟଧାରା ଉପରେ ଉଠିଲା ପ୍ରଶ୍ନବାଚୀ

କଳାହାଣ୍ଡି, (ପ୍ୟାରୀ ଲାଲ ଦୁର୍ଗା): ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲାସାରା ୟୁରିଆ ସାର ର ଅଭାବ ଦେଖାଦେଇଛି। ଏହାର ସୂଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ଚଢ଼ା ଦରରେ ୟୁରିଆ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଗୋଳାମୁଣ୍ଡା ବ୍ଲକ ଦଶପୁର ଓ କମଳାବାରି ଠାରେ ୟୁରିଆସାର ୬୫୦ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଗୋଳାମୁଣ୍ଡା ଅତିରିକ୍ତ କୃଷିବିଭାଗ ଅଧିକାରୀ ଲିଙ୍ଗରାଜ ମେହେର ଏବଂ ଅତିରିକ୍ତ ତହସିଲଦାର ପ୍ରଭାଷ ବୋଡ଼କିଆ ଖବର ପାଇ ଚଢାଉ କରିଥିଲେ। ସେଠାରେ ଜଣେ ଲୋକଙ୍କ ଘରେ ୫୦ ବସ୍ତା ୟୁରିଆ ସାର ଜବତ କରି ନଭେମ୍ବର ୨୫ରେ ସରକାରୀ ଧାର୍ଯ୍ୟ ମୁତାବକ ଚାଷୀଙ୍କ ଠାରେ ବିକ୍ରିକରି ଉକ୍ତ ଟଙ୍କାକୁ ସରକାରୀ ରାଜକୋଷରେ ଜମାକରିଥିବା ଜଣାପଡିଛି। ତେବେ କଳା ବଜାରୀ କରୁଥିବା ଡିଲର, ସାର ଗଚ୍ଛିତ ଥିବା ଘର ମାଲିକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମ ସମ୍ମୁଖରେ ଅତିରିକ୍ତ କୃଷିବିଭାଗ ଅଧିକାରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ବର୍ତ୍ତମାନ ଭୁଲି ଯାଇଥିବା ପରି ମନେ ହେଉଛି।


ଡିଲର ମାନଙ୍କ ସହ କୃଷି ବିଭାଗ ଅଧିକାରୀମାନେ ସଲାସୁତରା ହୋଇ ଲୋକ ଦେଖାଣିଆ ଭାବେ ଧରପଗଡ଼ କରି ପରେ ଛାଡି ଦେଉଥିବା ଅଭିଯୋଗ ହେଉଛି। ଗତ ୧୦ ଦିନ ତଳେ ବେଆଇନ ୟୁରିଆ ଧରପଗଡ଼ କରାଗଲା ଆଉ ଉପରିସ୍ଥ ଅଧିକାରୀଙ୍କୁ କାହିଁକି ଜଣାଇଲେ ନାହିଁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବୀ ହୋଇଛି। ଏନେଇ ଆଜି କିଛି ଗଣମାଧ୍ୟମ ପ୍ରତିନିଧି ମାନେ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଗୋଳାମୁଣ୍ଡା ବ୍ଲକକୁ ଗତ ତା ୨୩/୦୯/୨୦୨୧ରୁ ୩୦/୦୯/୨୦୨୧ ମଧ୍ୟରେ କେତେ ୟୁରିଆସାର ଦିଆଯାଇଛି, ୟୁରିଆସାର ବସ୍ତାପ୍ରତି ଅଣୁସାର ସାଂଯୋଗର ନିୟମ ଅଛିକି? ସେନେଇ ଗଣମାଧ୍ୟମ ପ୍ରତିନିଧିମାନେ ତଥ୍ୟ ଚାହିଁଥିଲେ। ତେବେ ଏପରି ଦୁର୍ନୀତି ଖବର ମୋପାଖକୁ ପ୍ରଥମକରି ଆସିଛି ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୃଷି ଉପ ନିର୍ଦ୍ଦେଶକ ଭାସ୍କର ପାଢ଼ୀ ପ୍ରକାଶ କରିଛନ୍ତି। ତେବେ ଦେଖା ଯାଉ ଏହାର ଉଚିତ ତଦନ୍ତ ହେଉଛି କି ନାହିଁ। ତଦନ୍ତ ପରେ କଣ ପଦକ୍ଷେପ ନିଆଯିବ ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.