ବୃଦ୍ଧଙ୍କୁ ଦଳିଦେଲା ଦନ୍ତା ହାତୀ: ୨ ଗୁରୁତର, ୨ ଆହତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭୁର୍ଟିଗଡ଼ ଗ୍ରାମପଞ୍ଚାୟତ ତଥା ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ପୁଜୁଗୁଡ଼ା ଗାଁରେ ଶୁକ୍ରବାର ବିଳମ୍ବିତ ରାତି ଘଟିଛି ଅଘଟଣ । ଧାନଖଳାରେ ଶୋଇଥିବାବେଳେ ଜଣେ ବୃଦ୍ଧଙ୍କୁ ଏକ ଜଙ୍ଗଲୀ ଦନ୍ତାହାତୀ ଶୁଣ୍ଢରେ ଟେକି କଚାଡ଼ି ଦେବା ସହିତ ପାଦରେ ଦଳିଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମ୍ରୁତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ପୁଜୁଗୁଡ଼ାର ଖଗେଶ୍ବର ଗଉଡ଼(୬୨ ) ବୋଲି ଜଣାପଡ଼ିଛି । ସେହିପରି ହାତୀ ଆକ୍ରମଣରେ ପୁଜୁଗୁଡ଼ାର ଚନ୍ଦନ ଗଉଡ଼(୨୭) ଓ ବିଭୁ ଗଉଡ଼ ନାମକ ଜଣେ ନାବାଳକ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ବିଳମ୍ବିତ ରାତିରେ ପ୍ରଥମେ ନର୍ଲା ଓ ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତ ଖଗେଶ୍ବରଙ୍କ ସହିତ ଚନ୍ଦନ, ବିଭୁ ଏବଂ ଅନ୍ୟ ଦୁଇଜଣ ରାଜେନ୍ଦ୍ର ଓ ମନୋଜ ମଧ୍ୟ ଖଳାରେ ଶୋଇଥିବାବେଳେ ସେମାନେ ମଧ୍ୟ ଆହତ ହୋଇଛନ୍ତି । ଏ ସଂପର୍କରେ ଖବର ପାଇ ଆଜି (ଶନିବାର) ସକାଳୁ ନର୍ଲା ରେଞ୍ଜ ଅଧିକାରୀ ପ୍ରଶାନ୍ତ ପାଲ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଗୁରୁ, କନେଷ୍ଟବଳ ଗୋକୁଳ ସାହୁ, କମର୍ଦ୍ଧା ଫରେଷ୍ଟର ନବୀନ କୁମାର ମାଝୀ, ସିକେରକୁପା ଫରେଷ୍ଟର ଗିରିଧାରୀ ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିବା ସହିତ ତଦନ୍ତ ଆରମ୍ଭ କରିଚନ୍ତି । ଏନେଇ ନର୍ଲା ଥାନାରେ ୟୁଡି କେସ୍ ନଂ ୧୬/୨୨ରେ ଏକ ମାମଲା ରୁଜୁ କରାଯାଇଛି । ଭୁର୍ଟିଗଡ଼ ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପାଧର ଧରୁଆ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.