କାଣ୍ଡେଲ ପେକ୍ସ ଅଧିନସ୍ଥ ମଣ୍ଡିମାନଙ୍କରେ ଅବ୍ୟବସ୍ଥା

ପେକ୍ସ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ

ବାଲସି ମଣ୍ଡିରେ ପଡ଼ିରହିଛି ଶହ ଶହ କୁଇଣ୍ଟାଲ ଧାନ, ଶୀତ କାକରରେ ଜଗୁଛନ୍ତି ଚାଷୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପେକ୍ସ ଅଧିନରେ ୩ ଗୋଟି ଧାନ ମଣ୍ଡି ଖୋଲାଯାଇଛି । ହେଲେ ସେହି ଧାନ ମଣ୍ଡି ଗୁଡ଼ିକର ଅବ୍ୟବସ୍ଥାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କାଣ୍ଡେଲ ପେକ୍ସ ଅଧିକାରୀ ଭୁବନ ମାଝୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ମଣ୍ଡି ରେ ପଡ଼ିଥିବା ଚାଷୀମାନଙ୍କ ଧାନ ସଠିକ ସମୟରେ ଉଠିପାରୁ ନଥିବା ବେଳେ ଗତ ଏକ ସପ୍ତାହରୁ ଅଧିକ ଦିନ ହେଲା ବାଲସି ଗ୍ରାମର ଅନେକ ଚାଷୀଙ୍କ ଶହ ଶହ କୁଇଣ୍ଟାଲ ଧାନ ବାଲସି ଉପ ମଣ୍ଡିରେ ପଡିରହିଥିବା ଦେଖିବାକୁ ମିଳିଛି । ଚାଷୀ ନିଜେ ଶୀତ କାକରରେ ରାତିରେ ଜଗି ରହୁଥିବା ବେଳେ ଏଥିପ୍ରତି ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁ ନଥିବାରୁ ଚାଷୀମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଧାନ କ୍ରୟ କରୁଥିବା କାଣ୍ଡେଲ ପେକ୍ସ ଅଧିକାରୀଙ୍କୁ ଚାଷୀମାନଙ୍କ ପକ୍ଷରୁ ଏବିଷୟରେ ଜଣାଉଥିଲେ ମଧ୍ୟ ସେ ପାତର ଅନ୍ତର କରି ବେନିୟମ ଭାବେ ଅନ୍ୟ ସ୍ଥାନରୁ ଧାନ ଉଠାଉଥିବା ଅଭିଯୋଗ ହେଉଛି। ହେଲେ ବାଲସି ଉପ ମଣ୍ଡିରେ ପଡ଼ିଥିବା ଧାନକୁ ଉଠେଇବା ପାଇଁ ପେକ୍ସ ଅଧିକାରୀ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି । ଚାଷୀମାନଙ୍କ ତରଫରୁ କାଣ୍ଡେଲ ପେକ୍ସ ଅଧିକାରୀ ଭୁବନ ମାଝୀଙ୍କୁ ପେକ୍ସ ଡାଇରେକ୍ଟରମାନେ ମଧ୍ୟ ଫୋନ୍ କରୁଥିଲେ ବି ଡାଇରେକ୍ଟର ମାନଙ୍କ ଫୋନ୍ ଟିକୁ ମଧ୍ୟ ଗ୍ରହଣ କରୁନଥିବାରୁ ଡାଇରେକ୍ଟର ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମଣ୍ଡିରେ ଧାନ କ୍ରୟ କରିବା ସମୟରେ କାଣ୍ଡେଲ ପେକ୍ସ ଅଧିକାରୀ ଭୁବନ ମାଝୀ ମିଲର୍ସ ଏଜେଣ୍ଟମାନଙ୍କ ସହିତ ମିଶି ଧାନ କ୍ରୟ କରିବାରେ ବ୍ୟାପକ ଭାବେ ଅନିୟମିତତା କରୁଥିବା ମଧ୍ୟ ଚାଷୀମହଳରେ ମତପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, କାଣ୍ଡେଲ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ଲି ଅଧିନରେ କାଣ୍ଡେଲ, ବାଲସି, ସିରୋଲ ଓ ପରଲସିଙ୍ଗା ପଞ୍ଚାୟତର ଚାଷୀମାନଙ୍କ ପାଇଁ କାଣ୍ଡେଲ, ସିରୋଲ ଓ ବାଲସି ଠାରେ ଧାନ ମଣ୍ଡି ଖୋଲାଯାଇଛି । ଯାହାକି କାଣ୍ଡେଲ ମଣ୍ଡିରେ କାଣ୍ଡେଲ ପଞ୍ଚାୟତର ସମସ୍ତ ଗ୍ରାମର ଚାଷୀ ଧାନ କ୍ରୟ ପାଇଁ ସପ୍ତାହର ସୋମବାର ଓ ମଙ୍ଗଳବାର ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ସିରୋଲ ଉପ ମଣ୍ଡିରେ ସିରୋଲ ଏବଂ ପରଲସିଙ୍ଗା ପଞ୍ଚାୟତର ଚାଷୀମାନଙ୍କ ଧାନ କ୍ରୟ ପାଇଁ ବୁଧବାର ଓ ଗୁରୁବାର ଏବଂ ବାଲସି ଉପ ମଣ୍ଡିରେ ବାଲସି ପଞ୍ଚାୟତର ସମସ୍ତ ଗ୍ରାମର ଚାଷୀମାନଙ୍କ ଧାନ କ୍ରୟ ପାଇଁ ଶୁକ୍ରବାର ଓ ଶନିବାର ଦିନ ଧାର୍ଯ୍ୟ ହୋଇଛି । ତେବେ ନିୟମ ଅନୁସାରେ ବାଲସି ଉପ ମଣ୍ଡିରେ ଚାଷୀମାନଙ୍କ ଧାନ କ୍ରୟ କରିବାରେ ପେକ୍ସ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି । ବାଲସି ପଞ୍ଚାୟତ ଉପ ମଣ୍ଡିରେ ବାଲସି ଏବଂ ମଶାଣିବନ୍ଦ ଗ୍ରାମରେ ଧାନ କ୍ରୟ କେନ୍ଦ୍ର କରାଯାଇଛି ହେଲେ କେବଳ ପେକ୍ସ ଅଧିକାରୀ ମଶାଣିବନ୍ଦ ଧାନ କ୍ରୟ କେନ୍ଦ୍ର କୁ ଯାଇ ମିଲର୍ସ ଏଜେଣ୍ଟ ସହିତ ସଲାସୁତରା ରଖି ସେଠାରୁ ବେନିୟମ ଭାବେ ଧାନ ଉଠାଇଥିବା ବେଳେ ବାଲସି ମଣ୍ଡିରେ ପଡ଼ିଥିବା ଅନେକ ଚାଷୀଙ୍କ ଧାନକୁ କିଣିବା ପାଇଁ ଆସୁନଥିବା ଅଭିଯୋଗ ହେଉଛି । ବାଲସି ମଣ୍ଡିରେ ଧାନ ପକେଇଥିବା ଚାଷୀମାନଙ୍କ ଟୋକନ ଲେପ୍ସ ହେବାକୁ ବସିଲାଣି ଅଥଚ ଧାନ ଉଠାଇବା ପାଇଁ ପ୍ରଶାସନର ଦୃଷ୍ଟି ପଡୁଥିବାରୁ ଚାଷୀମାନଙ୍କ ମନରେ ଚିନ୍ତାର ବିଷୟ ହୋଇଛି । ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କାଣ୍ଡେଲ ପେକ୍ସ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଡିଆରସିଏସ୍ ଙ୍କ ସହିତ ଆଲୋଚନା କରିବି ବୋଲି କହିଛନ୍ତି । ଅପରପକ୍ଷରେ ଏନେଇ ଡିଆରସିଏସ୍ ପ୍ରମୋଦ କୁମାର ସାହୁଙ୍କୁ ପଚାରିବାରୁ କାଣ୍ଡେଲ ପେକ୍ସର ଧାନ କ୍ରୟ କରୁଥିବା ଅଧିକାରୀଙ୍କୁ ଏବିଷୟରେ କହୁଛି ବୋଲି କହିଛନ୍ତି । ବାଲସି ଉପ ମଣ୍ଡିରେ ରହୁଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଜୟ ଜଗନ୍ନାଥ କୃଷକ ସଂଗଠନ ତଥା ବାଲସି ଗ୍ରାମ ବିକାଶ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.