ଘଣ୍ଟମାଲ ଆଦର୍ଶ ଓ ଯୁବ ମତଦାନ କେନ୍ଦ୍ରରେ ଚାଲିଛି ଭୋଟ ଗ୍ରହଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନକୁ ନେଇ ସବୁଆଡେ ଉତ୍ସବର ମାହୋଲ। ସୋମବାର ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ଚାଲିଛି ମତଦାନ। କଳାହାଣ୍ଡି ସଂସଦୀୟ କ୍ଷେତ୍ରର ନୂଆପଡ଼ା, ଖଡ଼ିଆଳ, ଧର୍ମଗଡ଼, ଜୁନାଗଡ଼, ଭବାନୀପାଟଣା, ଲାଞ୍ଜିଗଡ଼ ଓ ନର୍ଲା ଆଦି ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶାନ୍ତି ଶୃଙ୍ଖଳାର ସହ ଚାଲିଛି। ସେହି କ୍ରମରେ ନର୍ଲା ବ୍ଲକରେ ୧୨୦ ଗୋଟି ବୁଥ୍ ରେ ମଧ୍ୟ ଭୋଟିଂ ପ୍ରକ୍ରିୟା ଚାଲିଥିବା ବ୍ଲକ ନିର୍ବାଚନ ଅଧିକାରୀ ତଥା ନର୍ଲା ବିଡ଼ିଓ ରିପୁନାଥ ସୁନାଙ୍କ ଠାରୁ ପ୍ରକାଶ। ନର୍ଲା ବ୍ଲକର ଗୋହିରା ପଦର, କାନ୍ଥିଡିଗ୍ରା ପଡ଼ା, ଦେହେଲି, ପିପଲପଦର ଓ ବଲବସପୁର ଏପରି ୫ଟି ‘ସଂପୂର୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ (ସଖି), ଘଣ୍ଟମାଲରେ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର’ ଓ ସର୍ଗିଗୁଡାରେ ଆଦର୍ଶ ମତଦାନ କେନ୍ଦ୍ର’ ରହିଛି। ଘଣ୍ଟମାଳର ଆଦର୍ଶ ଓ ଯୁବ ମତଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଭୋଟିଂ। ଏହି ବୁଥରେ ମୋଟ ୧୩୩୦ ଭୋଟର ଥିବାବେଳେ ମଧ୍ୟାହ୍ନ ୧୨ଟା ୨୫ମି ସୁଦ୍ଧା ୪୫୦ ଜଣ ମତଦାତା ନିଜର ମତାଧିକାର ପ୍ରଦାନ କରିଛନ୍ତି। ଏହି କେନ୍ଦ୍ର ପୋଲିସର କଡ଼ା ସୁରକ୍ଷା ବଳୟରେ ଥିବାବେଳେ ସ୍ବାସ୍ଥ୍ୟ ସେବା, ପାନୀୟଜଳ ଆଦି ବ୍ୟବସ୍ଥିତ ଢ଼ଙ୍ଗରେ ହୋଇଥିବା ଦେଖିବାକୁ ମିଳିଛି।ବର୍ତ୍ତମାନ ମତଦାନ ଆଗେଇ ଚାଲିଛି। ମହିଳା ଓ ପୁରୁଷମାନେ ଶୃଂଖଳାର ସହ ଧାଡ଼ିରେ ଛିଡ଼ା ହୋଇ ଭୋଟଦାନ କରୁଥିବା ଦେଖାଯାଇଛି। ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.