ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ। ଜଣେ ଦାର୍ଶିନିକ ତଥା ଜଣେ କୁଶଳୀ ରାଷ୍ଟ୍ରନୀତିଜ୍ଞ ଓ ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଧାକ୍ରିଷ୍ଣନ ବେଶ୍ ପରଚିତ। ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଭାରତର ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ଓ ବନ୍ଧୁମାନେ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ। ଏହାକୁ ନେଇ ସେ କହିଥିଲେ, “ତୁମେମାନେ ମୋ ଜନ୍ମଦିନ ପାଳନ କରିବା ଅପେକ୍ଷା, ଯଦି ଏହି ଦିନ ଗୁରୁମାନଙ୍କ ଦିବସ ଭାବରେ ପାଳନ କରିବ ତାହା ମୋ ପାଇଁ ସମ୍ମାନର ପରିଚୟ ହେବ।” ସେହିଦିନଠାରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବରେ ସାରାଦେଶରେ ପାଳନ ହୋଇଆସୁଛି।
୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁ ମାଡ୍ରାସର ତିରୁତ୍ତାଣି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ତାଙ୍କ ପିତାଙ୍କ ନାମ ଥିଲା ସର୍ବପଲ୍ଲୀ ଭୀରାସ୍ୱାମୀ ଆଉ ମାତାଙ୍କ ନାମ ଥିଲା ସର୍ବପଲ୍ଲୀ ସୀତାମା। ତାଙ୍କର ବାଲ୍ୟଜୀବନ ମୁଖ୍ୟତଃ ତିରୁତ୍ତାଣିରେ କଟିଥିଲା। ତାଙ୍କ ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବରେ କାମ କରୁଥିଲେ। ତାଙ୍କର ପ୍ରାଥମିକ ଶିକ୍ଷା କେ.ଭି ହାଇସ୍କୁଲରେ ହୋଇଥିଲା। ଏହାପରେ ୧୮୯୬ ମସିହାରେ ସେ ତିରୁପତି ଚାଲିଆସିଥିଲେ ଓ ସେଠାରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ରାଧାକ୍ରିଷ୍ଣନ ଜଣେ ମେଧାବୀ ଛାତ୍ର ଥିଲେ। ୧୭ ବର୍ଷ ବୟସରେ ମାଡ୍ରାସର ଖ୍ରୀଷ୍ଟିୟାନ୍ କଲେଜରେ ନାମ ଲେଖାଇଥିଲେ। ସେଠାରୁ ସେ ୧୯୦୬ ମସିହାରେ ଗ୍ରାଜୁଏଟ୍ ହୋଇଥିଲେ। ଏହାପରେ ସେ ଅଧ୍ୟାପକ ଭାବରେ କାମ କରିଥିଲେ। ୧୯୩୧ରୁ ୧୯୩୬ ମସିହା ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ରହିଥିଲେ। ପରବର୍ତ୍ତୀ ସମୟରେ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ରାଜନୀତିରେ ପ୍ରବେଶ କରିଥିଲେ। ଭାରତ ସ୍ୱାଧୀନ ହେବାପରେ ସେ ୟୁନେସ୍କୋରେ ଭାରତର ପ୍ରତିନିଧି ହୋଇଥିଲେ। ଏହାପରେ ସେ ସୋଭିଏତ୍ ସଂଘରେ ଭାରତର ଆମ୍ବାସାଡାର ନିଯୁକ୍ତ ହୋଇଥିଲେ। ୧୯୪୯ରୁ ୧୯୫୨ ମସିହା ମଧ୍ୟରେ ସେ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ମଧ୍ୟ ରହିଥିଲେ। ଏହାପରେ ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍। ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ପରେ ସେ ସ୍ୱାଧୀନ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ହୋଇଥିଲେ। ୧୯୫୪ ମସିହାରେ ରାଧାକ୍ରିଷ୍ଣନ୍ଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା। ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ସାଜି ନ ଥାଏ। ଶିଖିବାରେ ନିଷ୍ଠା ରଖୁଥିବା ବ୍ୟକ୍ତି ହିଁ ଜଣେ ଯୋଗ୍ୟ ଗୁରୁ ହୋଇଥାନ୍ତି। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ ‘ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟ ଜଣେ।’ ଗୁରୁ ଓ ରାସ୍ତା ଏକାପରି। ସେମାନେ ଗୋଟିଏ ଜାଗାରେ ଥିବେ, କିନ୍ତୁ ଆଗକୁ ବଢିବାକୁ ପ୍ରୋତ୍ସାହିତ କରିବେ। ଏହା ହିଁ ତ ଗୁରୁଙ୍କ ମହାନତା। ଭାରତୀୟ ପରମ୍ପରାରେ ‘ଗୁରୁ’ ଏକ ପବିତ୍ର ଶବ୍ଦ। ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି। ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଆମେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ। ପାଠ ହେଉ କି ସଙ୍ଗୀତ। ଖେଳ ହେଉ କି ନୃତ୍ୟ। ବାଦ୍ୟ ହେଉ କି ବକୃତା, ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ଆଣି ଦେଇଛି ପ୍ରସିଦ୍ଧି। ଗୁରୁ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ। ଯୁଗେ ଯୁଗେ ଗୁରୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।