ଏକ ସମର୍ପିତ କଳାକାରଙ୍କ ପରଲୋକ, କଳାହାଣ୍ଡି କଳା ଜଗତରେ ଅପୂରଣୀୟ କ୍ଷତି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ଜଣେ ସମର୍ପିତ କଳାକାର, ମଞ୍ଚ କାର୍ଯ୍ୟକ୍ରମ ଉପସ୍ଥାପକ ସୁଶିଲ କୁମାର ଗହୀରଙ୍କ ଆକସ୍ମିକ ପରଲୋକ କଳାହାଣ୍ଡି କଳା ଜଗତରେ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କଲା ଏବଂ ଏହା ଏକ ଅପୂରଣୀୟ କ୍ଷତି ବୋଲି ଭବାନୀପାଟଣା ଟାଉନ୍ ହଲ୍ ଠାରେ ଆୟୋଜିତ ସ୍ମୃତି ସଭାରେ ଯୋଗଦେଇ ଦେଇ ବହୁ କଳାକାର ଓ ବୁଦ୍ଧିଜୀବୀ ମାନେ ମତ ଦେଇଥିଲେ। ୧୯୬୯ ମସିହାରେ ଭବାନୀପାଟଣାରେ ଜନ୍ମିତ ସୁଶିଲ କୁମାର ଗହୀର ଜଣେ ଉଚ୍ଚ କୋଟୀର ମଞ୍ଚ କଳାକାର ଓ ମଞ୍ଚ କାର୍ଯ୍ୟକ୍ରମ ଉପସ୍ଥାପକ। ମହାବୀର ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି କଳାକାର ସଂଘ, ବିଭିନ୍ନ ନାଟ୍ୟ ଦଳ ସହ ସେ କଳାହାଣ୍ଡି ଉତ୍ସଵ ରେ ଦୀର୍ଘ ବର୍ଷ ଧରି ଉପସ୍ଥାପକ ଭାବରେ ନିଜର କଳା ପ୍ରଦର୍ଶନ କରି ସମଗ୍ର ଜିଲ୍ଲାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ମୃତ୍ୟୁର ପୂର୍ବ ସନ୍ଧ୍ୟାରେ ପୌରାଞ୍ଚଳ ସ୍ତରୀୟ କଳାହାଣ୍ଡି ଉତ୍ସଵରେ ତାଙ୍କୁ ନାଟକ କ୍ଷେତ୍ରରେ ସମ୍ବର୍ଦ୍ଧିତ କରାଯାଇଥିଲା। ୯ ତାରିଖ ସକାଳୁ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା। ସ୍ଥାନୀୟ ଓୟୁଏଟି ନିକଟସ୍ଥ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା। ଏକମାତ୍ର ପୁତ୍ର ୟସ୍ ମୁଖଗ୍ନି ଦେଇଥିଲେ। ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାର କଳାକାର ସମୂହ ପକ୍ଷରୁ ଟାଉନ୍ ହଲ୍ ଠାରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶାନ୍ତନୁ କୁମାର ବେହେରା, ପ୍ରବୋଧ ରଥ, ସତ୍ୟ ନାରାୟଣ ମହାପାତ୍ର, ସୁରୁ ବାରିକ, ଭବେନ୍ଦ୍ର ପଣ୍ଡା, ସତ୍ୟ ମିଶ୍ର, ଅବଦୁଲ କାଦିର, ସୁଦର୍ଶନ ଦାଶ, ସତ୍ୟ ନାରାୟଣ ସିଂହ, ପ୍ରଦୀପ ଡି ମାଝୀ, ରିୟାଜ୍ ଖାଁ, ମନୋଜ ଶର୍ମା, ରାଜେନ୍ଦ୍ର ପାଢ଼ୀ ପ୍ରମୁଖ ଶତାଧିକ କଳାକାର ଯୋଗ ଦେଇ ଦିବଙ୍ଗତ ଅମର ଆତ୍ମାର ସ୍ମୃତି ଚାରଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.