ରାୟଗଡ ମଣ୍ଡିରେ ୨ଜଣ ଚାଷୀଙ୍କ ଠାରୁ ୨୬୧ କ୍ୱିଂଟାଲ ଧାନ କ୍ରୟ
ରାୟଗଡ,୧୦/୫: ଚଳିତ ରବି ଋତୁ ପାଇଁ ରାୟଗଡରେ ରବିବାର ଦିନ ଧାନ କିଣାର ଶୁଭାରମ୍ଭ କରିଛି ଜିଲ୍ଳା ପ୍ରଶାସନ । ରାୟଗଡ ଜିଲ୍ଳାର ଡିଆରସିଏସ ପ୍ରମୋଦ କୁମାର ସାହୁ ଓ ଅତିରିକ୍ତ ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ସି.ଏଚ.ମୂରଲୀକ୍ରିଷ୍ଣା ଯୋଗ ଦେଇ ମଣ୍ଡିର ଶୁଭାରମ୍ଭ କରିଥିଲେ । ଜିଲ୍ଳା ପ୍ରଶାସନର ପୂର୍ବ ବୈଠକରେ ନିଷ୍ପତି ପ୍ରକାରେ ଏହି ମଣ୍ଡିର ଶୁଭାରମ୍ଭ କରାଯାଇଥିବା ବେଳେ ପ୍ରଥମ ଦିନରେ ୨ଟି ଚାଷୀଙ୍କ ଠାରୁ ରାୟଗଡ ଆରଏମସି ୟାର୍ଡରେ ଅନୁଷ୍ଠିତ ମଣ୍ଡିରେ ୨୬୧କ୍ୱିଂଟାଲ ଧାନ କ୍ରୟ କରାଯାଇଥିଲା । ରାୟଗଡ ଜିଲ୍ଳାର ବିଭିନ୍ନ ବ୍ଳକର ୨୨୨୧ଜଣ ଚାଷୀ ଚଳିତ ବର୍ଷ ଧାନ ବିକ୍ରି ପାଇଁ ନିଜ ନାମ ପଂଜୀକରଣ କରିଥିବା ବେଳେ ୫୨,୨୦୦କ୍ୱିଂଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଛି ଖାଦ୍ୟ ଯୋଗାଣ ବିଭାଗ ।
ବର୍ତମାନ ଜିଲ୍ଳାରେ ବିଷମକଟକର ଗଜବାହାଲ, ମୁନିଗୁଡାର କୁମୁଡାବାଲି, ପଦ୍ମପୁରର ଗୁଡିଆବନ୍ଧ ଓ ରାମନାଗୁଡା ବ୍ଳକର ଗୁମୁଡା ଠାରେ ଆଉ ୪ଟି ନୂତନ ମଣ୍ଡି ସମେତ ୧୭ଟି ମଣ୍ଡିରେ ୧୩ଲ୍ୟାମ୍ପ୍ସ ଜରିଆରେ ରବିଋତୁ ପାଇଁ ଧାନ ସଂଗ୍ରହ କରାଯିବ ବୋଲି ଏସିଏସଓ ମୂରଲିକ୍ରିଷ୍ଣା ସୂଚନା ଦେଇଛନ୍ତି । ତେବେ କରୋନା ଗାଇଡଲାଇନକୁ କଡାକଡି ଭାବେ ପାଳନ କରି ମଣ୍ଡିଗୁଡିକକୁ ଆସୁଥିବା ମିଲର୍ସ, ଚାଷୀଭାଇ ଓ ଅଧିକାରୀ ତଥା କର୍ମଚାରୀମାନେ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱକୁ ବଜାୟ ରଖିବା ସହ ସାନିଟାଇଜର ଓ ସାବୁନ ଦ୍ୱାରା ହାତ ଧୋଇବା ଆଦି ନିୟମକୁ ପାଳନ କରିବା ବାଧ୍ୟତା ମୂଳକ କରାଯାଇଛି ।
ଏହି ଶୁଭାରମ୍ଭ କାର୍ଯ୍ୟାରମ୍ଭରେ ନଗର ଏସିଏସଓ ବିଶ୍ୱନାଥ ସେନାପତି, ମିଲର୍ସ ସଂଘର ସଦସ୍ୟ ତଥା ମିଲ ମାଲିକ ସମେତ ଓ ଚାଷୀ ଭାଇମାନେ ଏବଂ ରାୟଗଡ ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ, ଚାଷି ପ୍ରତିନିଧି ଗଜେନ୍ଦ୍ର ନାୟକ ଉପସ୍ଥିତ ରହିଥିଲେ । ତେବେ ଗତ ଖରିଫ ଋତୁରେ ଧାନ ବିକ୍ରି ବେଳେ ଜିଲ୍ଳାର ଚାଷିଭାଇମାନେ ପଂଜୀକରଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ତମାନ ଚାଷିମାନେ ରବି ଋତୁ ଧାନଫସଲ ବିକ୍ରି କରିବା ବେଳେ ବିଭାଗୀୟ ଟୋକେନ୍ ବ୍ୟବସ୍ଥାକୁ ନେଇ ଚାଷିକୂଳ ଅସନ୍ତୋଷ ରହିଛନ୍ତି । ରବି ଋତୁରେ ଉତ୍ପାଦିତ ଧାନ ବିକ୍ରି କରିବା ପାଇଁ ଚାଷୀଙ୍କ ଜମି ଅନୁପାତରେ ଟୋକେନ ମିଳୁ ନ ଥିବାରୁ ଏହି ସମସ୍ୟା ଯୋଗୁଁ ଚାଷୀ ଏବେ ନିଜ ଧାନ ବିକ୍ରି କରିପାରିବେ କି ନାହିଁ ବୋଲି ଚିନ୍ତାରେ ପଡିଛନ୍ତି । ଚଳିତ ରବି ଧାନ ବିକ୍ରି ପାଇଁ ସରକାରଙ୍କ ତରଫରୁ ଗ୍ରେଡ୍-୧ଧାନ ୧୮୩୫ଟଙ୍କା ଓ ଏଫଏକ୍ୱ୍ୟୁ ମାନର ଧାନ ୧୮୧୫ଟଙ୍କା କ୍ୱିଂଟାଲ ପିଛା ସ୍ଥିର କରାଯାଇଛି ।