ଆରଟିଓ ଏବଂ ପୋଲିସ ବିଭାଗ ପକ୍ଷରୁ ମୋଟର ବାଇକରେ ସଚେତନତା ଶୋଭାଯାତ୍ରା

ରାୟଗଡ, (ଶିବ ନାରାୟଣ ଗୈାଡ): ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଓ ଚଳିତ ବର୍ଷରୁ ସଡକ ସୁରକ୍ଷା ମାସ ପାଳନ ଅବସରରେ ଆଜି ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ରାୟଗଡ ଆଂଚଳିକ ପରିବହନ ଓ ଜିଳ୍ଳା ପୋଲିସ ବିଭାଗ ମିଳିତରେ ଜନ ସଚେତନତା ସୃଷ୍ଟି ନିମନ୍ତେ ଏକ ମୋଟର ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଲୋକସଭା ସାଂସଦ ତଥା ଜାତୀୟ ସଡକ ସୁରକ୍ଷା କମିଟିର ଅଧ୍ୟକ୍ଷ ସପ୍ତଗିରି ଉଲାକା, ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଳାପାଳ ସରୋଜ କୁମାର ମିଶ୍ର, ଏସ.ପି. ବିବେକାନନ୍ଦ ଶର୍ମା ପ୍ରମୁଖ ସବୁଜ ପତାକା ଦେଖାଇ ବାଇକ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।

ନୂତନ ମୋଟର ଯାନ ଆଇନକୁ ମାନି ଚଳିଲେ ଜୋରିମାନାରୁ ବଂଚିତ ସହ ସଡକ ଦୁର୍ଘଟଣାରୁ ଦୂରେଇ ରହିପାରିବା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ବିଶେଷ କରି ବାଇକ ଚଳାଇବା ବେଳେ ହେଲମେଟର ବ୍ୟବହାର, ମଦ୍ୟପ ଅବସ୍ଥାରେ ଗାଡି ନ ଚଳାଇବା, ସିଟ୍ ବେଲଟ୍ ବାନ୍ଧିବା, ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର ନ କରିବା ଆଦି ବିଷୟଗୁଡିକ ଉପରେ ସଚେତନ ରହିବାକୁ କହିଥିଲେ ।

ଆରଟିଓ ଦିଲ୍ଳିପ କୁମାର ଦଳେଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଇକ ଶୋଭାଯାତ୍ରାଟି ରାୟଗଡ ନଗର ପରିକ୍ରମା କରି ପୁଣିଥରେ ସଭାସ୍ଥଳକୁ ଫେରିଥିଲା । ଏଥିରେ ପୋଲିସ ଓ ଜନସାଧାରଣଙ୍କ ସହ ଅନ୍ୟାନ୍ୟ ଅନୁଷ୍ଠାନର ବାଇକ ଚାଳକମାନେ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.