ପୂର୍ଣ୍ଣାହୁତି ସହ ସମାପନ ହେଲା ଟୋଲବ୍ରାହ୍ମଣୀରେ ବିଶ୍ଵ ଶାନ୍ତି ବ୍ରହ୍ମ ଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସରିଆଁ ପଞ୍ଚାୟତ ଅଧିନସ୍ଥ ଟୋଲବ୍ରାହ୍ମଣୀ ଗ୍ରାମରେ ପାଞ୍ଚଦିନ ଧରି ଚାଲିଥିବା ବିଶ୍ବ ଶାନ୍ତି ବ୍ରହ୍ମ ଯଜ୍ଞ ମହିମା ବାଲ୍ୟଲୀଳା ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି । ପଶ୍ଚିମାଞ୍ଚଳ ମହିମା ସମାଜର ଅଧ୍ୟକ୍ଷ ବ୍ରହ୍ମ ଅବଧୁତ ଭଗବାନ ବାବା, ବ୍ରହ୍ମ ଅବଧୁତ କପିଳେନ୍ଦ୍ର ବାବା, ବ୍ରହ୍ମ ଅବଧୂତ ଆନନ୍ଦ ଚନ୍ଦ୍ର ବାବା, ବ୍ରହ୍ମ ଅବଧୂତ ମଦନ ବାବା, ବ୍ରହ୍ମ ଅବଧୂତ କିଶୋର ବାବା, ପରବାଙ୍ଗି ଆଶ୍ରମର ମଠାଧିସ ସାଧୁ ପ୍ରଭାକର ଦାସ, ସୁରେଶ ବାବା ପ୍ରମୂଖଙ୍କ ସହ ଅନେକ ସାଧୁସନ୍ଥ ଯଜ୍ଞ ପରିଚାଳନା ଦାୟୀତ୍ୱ ସଂପାଦନ କରିଥିଲେ । ପ୍ରବୁଦ୍ଧ ଗୁରୁ ତଥା ମହିମା ଧର୍ମର ସଂସ୍ଥାପକ ମହିମା ଗୋସାଇଁଙ୍କ ଦ୍ଵାରା ପ୍ରବର୍ତ୍ତିତ ହୋଇଛି ବିଶ୍ବ ଶାନ୍ତି ବ୍ରହ୍ମ ଯଜ୍ଞ । ସଂସାରର ପାପତାପ ବିନାଶ ସହ ସମସ୍ତଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ମାନେ ଯଜ୍ଞରେ ଘୃତାହୁତି କରିଥାନ୍ତି । ଓଡିଶା ଏପରିକି ଦେଶର ବିଭିନ୍ନ ପ୍ରାନ୍ତରେ ବିଶ୍ବ ଶାନ୍ତି ବ୍ରହ୍ମ ଯଜ୍ଞ ଓ ମହିମା ବାଲ୍ୟଲୀଳା ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ପ୍ରତିବର୍ଷ ପରି ଏଥର ମଧ୍ୟ ଫାଲଗୁନ ପୂର୍ଣ୍ଣିମାର ଶୁଭ ଅବସରରେ ଟୋଲବ୍ରାହ୍ମଣୀ ସ୍ଥିତ ଶିଦ୍ଧ ରତ୍ନ କୁଟିର ଠାରେ ପାଞ୍ଚଦିନ ବ୍ୟାପି ଆୟୋଜିତ ହୋଇଥିଲା ବ୍ରହ୍ମ ଯଜ୍ଞ । ଏଥିରେ ପଶ୍ଚିମାଞ୍ଚଳର ଅନେକ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଓ ଭକ୍ତବୃନ୍ଦ ଯୋଗ ଦେଇଥିଲେ । ଯଜ୍ଞାରମ୍ଭ ଦିନ ଏକ ଭବ୍ୟ କଳସ ଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ଟୋଲବ୍ରାହ୍ମଣୀ ଓ ଚିଆଁପଦର ଗ୍ରାମର ମହିଳା ଓ ଭକ୍ତମାନେ ସାମିଲ ହୋଇଥିଲେ । ଯଜ୍ଞ ବେଦିରେ କଳସ ସ୍ଥାପନା ପରେ ବଳ୍କଳଧାରୀ ସାଧୁ ମାନଙ୍କ ଦ୍ୱାରା ଅଖଣ୍ଡ ଦୀପ ପ୍ରଜ୍ୱଳନ ଓ ଯଜ୍ଞ ଆହୂତି ଅର୍ପଣ କରାଯାଇଥିଲା । ପ୍ରହରୀମଣ୍ଡପରେ ମହିମା ନାମ ସଂକୀର୍ତ୍ତନ୍ୟ ଅନୁଷ୍ଠିତ ହୋଇଥିଲା । ଯଜ୍ଞର ପ୍ରଥମ ଦିବସରେ ସାରା ରାତି ହୋମ ଯଜ୍ଞ ଓ ଆହୂତି ପ୍ରଦାନର କାର୍ଯ୍ୟକ୍ରମ ଚାଲିଥିଲା । ଦ୍ୱିତୀୟ ଦିବସର ପ୍ରାତଃ ୪ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପ୍ରସାଦ, ସପ୍ତାମୃତ ଓ ବାଳଭୋଗ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ତିମ ଦିବସରେ ଶିଦ୍ଧ ସାଧୁ ବ୍ରହ୍ମ ଅବଧୂତ ଭଗବାନ ବାବା, ବ୍ରହ୍ମ ଅବଧୂତ କପିଳେନ୍ଦ୍ର ବାବା ଓ ଅନ୍ୟାନ୍ୟ ସାଧୁସନ୍ଥ ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ପ୍ରତ୍ୟେକ ଦିନ ମହିମା ଧର୍ମାବଲମ୍ବୀ ବାବାମାନଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିଲା । ଟୋଲବ୍ରହ୍ମଣୀ ଗ୍ରାମର ବୈଦ୍ୟରାଜ ପବିତ୍ର ଶବର ଓ ସ୍ଥାନୀୟ ଗ୍ରାମବାସୀମାନେ ଏହି ଯଜ୍ଞର ଆୟୋଜନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.