ଲାଞ୍ଜିଗଡ଼ରେ ଉଲ୍ଲାସ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

ନିରକ୍ଷରଙ୍କୁ ସ୍ବାକ୍ଷର କରି ସଶକ୍ତ ସମାଜ ଗଠନ ପାଇଁ ଆହ୍ୱାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅଧୀନରେ ଲାଞ୍ଜିଗଡ଼ ବ୍ଲକସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କ ନିପୁଣ ସଞ୍ଚାଳନା ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ନିଜେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପସ୍ଥିତ ସର୍ବେକ୍ଷକ, ସଂଯୋଜକ ଓ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ୨୦୨୨-୨୭ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଉଲ୍ଲାସର ଅର୍ଥ – ସମାଜରେ ସମସ୍ତଙ୍କ ପାଇଁ ଆଜୀବନ ଶିକ୍ଷାର ବୁଝାମଣା। ଏହାର ମୂଳ ମନ୍ତ୍ର ହେଉଛି “ଜନ ଜନ ସାକ୍ଷର”। ଏହି ଯୋଜନାରେ ୧୫ ବର୍ଷରୁ ଅଧିକ ବୟସର ସମସ୍ତ ଅଣସାକ୍ଷର ବ୍ୟକ୍ତିଙ୍କୁ ସାମିଲ କରାଯାଇ ୫ଟି ବିଷୟ ଶିଖାଯିବ ଏହା ଭିତରୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ଜଟିଳ ଜୀବନ କୌଶଳ ଡିଜିଟାଲ ଆର୍ଥିକ, ଆଇନଗତ ସାକ୍ଷରତା, ମୌଳିକ ଶିକ୍ଷା, ବୃତ୍ତିଗତ ଦକ୍ଷତା, ନିରନ୍ତର ଶିକ୍ଷା। ଏହି କାର୍ଯ୍ୟକ୍ରମ ସ୍ୱେଚ୍ଛାସେବା ଓ କର୍ତ୍ତବ୍ୟ ବୋଧ ଉପରେ ଆଧାରିତ। ସ୍ୱେଚ୍ଛାସେବୀ ଶିକ୍ଷକମାନେ ଉଲ୍ଲାସ ମୋବାଇଲ ଆପ୍ ମାଧ୍ୟମରେ ନିରକ୍ଷର ବ୍ୟକ୍ତିଙ୍କୁ ପଞ୍ଜୀକରଣ କରି ବିନା ପାରିଶ୍ରମିକରେ ପାଠ ପଢାଉଛନ୍ତି। ସମାଜରେ ନିରକ୍ଷରତା ଦୂର କରି ପ୍ରାପ୍ତବୟସ୍କ ଶିକ୍ଷାର୍ଥୀଙ୍କୁ ସାକ୍ଷରତାର ଆଲୋକରେ ଆଣିବା ସହ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ଏହି ପ୍ରଶିକ୍ଷଣରେ ଉଲ୍ଲାସ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଚିହ୍ନଟ ହୋଇଥିବା ନିରକ୍ଷର ପ୍ରାପ୍ତବୟସ୍କଙ୍କୁ ପଢ଼ିବା, ଲେଖିବା, ଗଣନା ସହିତ ଦୈନନ୍ଦିନ ଜୀବନରେ ଆବଶ୍ୟକ ମୌଳିକ ଦକ୍ଷତା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ସାକ୍ଷରତା ପରୀକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ପରୀକ୍ଷା ପାଇଁ ଶିକ୍ଷାର୍ଥୀଙ୍କୁ କିପରି ପ୍ରସ୍ତୁତ କରାଯିବ ଓ ସେମାନଙ୍କ ଅଗ୍ରଗତି କିପରି ଆକଳନ କରାଯିବ ସେ ସମ୍ପର୍କରେ ମାର୍ଗଦର୍ଶନ ଦିଆଯାଇଥିଲା। ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମେହେର କହିଛନ୍ତି ଯେ ସାକ୍ଷରତା କେବଳ ଅକ୍ଷର ଚିହ୍ନିବା ନୁହେଁ ଏହା ଜଣେ ବ୍ୟକ୍ତିକୁ ଜ୍ଞାନ, ସଚେତନତା ଓ ଆତ୍ମବିଶ୍ୱାସ ସହ ଜୀବନଯାପନ କରିବାର କ୍ଷମତା ଦିଏ। ଉଲ୍ଲାସ ମାଧ୍ୟମରେ ପ୍ରାପ୍ତବୟସ୍କଙ୍କୁ ସ୍ୱାବଲମ୍ବୀ କରିବା ଓ ସମାଜର ମୁଖ୍ୟସ୍ରୋତ ସହ ଯୋଡ଼ିବା ଏହାର ବ୍ୟାପକ ଲକ୍ଷ୍ୟ। ସମସ୍ତ ସର୍ବେକ୍ଷକଙ୍କୁ ନିଜ ଅଞ୍ଚଳରେ ଥିବା ନିରକ୍ଷର ବ୍ୟକ୍ତିଙ୍କୁ ଉଲ୍ଲାସ ମୋବାଇଲ ଆପ୍‌ରେ ପଞ୍ଜୀକରଣ କରି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଅଂଶୀଦାର ହେବାକୁ ସେ ଆହ୍ୱାନ ଦେଇଥିଲେ। ଏହି ତାଲିମ ଶିବିରରେ ବିଶ୍ଵନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମଲ୍ଲିକଙ୍କ ସମେତ ୧୩ ଜଣ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଏବଂ ପ୍ରତି ଗୋଷ୍ଠୀରୁ ୨ ଜଣ ଲେଖାଏଁ ସାଧନ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ଶେଷରେ ଗୋବର୍ଦ୍ଧନପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୁମାର ଗୌରବ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.