ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ମାଧ୍ୟମିକ ସ୍କୁଲ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ଓ କ୍ରୀଡ଼ା ଶିକ୍ଷକ/ ଶିକ୍ଷୟିତ୍ରୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ଜିଲ୍ଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ- ଶିକ୍ଷୟିତ୍ରୀ ଓ କ୍ରୀଡ଼ା ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ, ଡ. ଶିବପ୍ରସାଦ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଜାନକୀ ବଲ୍ଲଭ ସାମନ୍ତରାୟ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ହେମସାଗର ମହାନନ୍ଦ, ତପିମଣି ଜାନି, ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ଓ ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ରୁପସିଂ ରାଉତ ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷକ ନୀଳାଞ୍ଚଳ ପାନ ଓ ତାଙ୍କ ଟିମ୍ ଦ୍ୱାରା ଉଦଘାଟନୀ ଗୀତ ପରିବେଷଣ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସ୍ୱାଗତ ଭାଷଣ ଦେବା ସହିତ ସମ୍ମିଳନୀର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ବିଶେଷ ଭାବରେ ମାଟ୍ରିକ ପରୀକ୍ଷା-୨୦୨୬ରେ ଏ୧ ଗ୍ରେଡ ପ୍ରାପ୍ତ ବିଦ୍ୟାଳୟ ଏବଂ ୧୦୦% ପାସ୍ କରିଥିବା ବିଦ୍ୟାଳୟଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମିଳନୀର ପ୍ରଥମ ଅଧିବେଶନରେ ଖେଳକୁଦ, ସ୍କାଉଟ୍ ଏବଂ ଗାଇଡ୍, ଜେ.ଆର୍.ସି. , ବିଜ୍ଞାନ, ଛାତ୍ରବୃତ୍ତି ଓ ପରୀକ୍ଷା, ଆକାଂକ୍ଷୀ ପାଠ୍ୟକ୍ରମ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ପ୍ରଧାନଶିକ୍ଷକମାନଙ୍କର ଭୂମିକା ଓ ଦାୟିତ୍ୱ, ପଞ୍ଚସଖା ଶିକ୍ଷାସେତୁ, ଆର୍ଥିକ ବିଷୟ, ୟୁଡାଇସ୍+, ସମସ୍ତ ବିଦ୍ୟାଳୟରେ ଶୈକ୍ଷିକ ପ୍ରଗତି, ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଉନ୍ନତ ଫଳାଫଳ ପାଇଁ ଯୋଜନା ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା। ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଦ୍ୱାରା ସମୀକ୍ଷା ଓ ଆଲୋଚନା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆୟୋଜନରେ ପଞ୍ଚସଖା ଶିକ୍ଷା ସେତୁ ସଂଯୋଜକ ପ୍ରଶାନ୍ତ ନନ୍ଦ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଯୋଜକ ବୀରେନ୍ଦ୍ର ଆଚାର୍ଯ୍ୟ, ପ୍ରୋଗ୍ରାମର ସୌମେନ୍ଦ୍ରନାଥ ପଟ୍ଟନାୟକ, ଆର୍ଥିକ ପରାମର୍ଶଦାତା ସାଧୁ ଶରଣ ପ୍ରସାଦ, ଓସେପା ଆକଂକ୍ଷୀ ପାଠ୍ୟକ୍ରମ ସଂଯୋଜକ ସନ୍ତୋଷ ବର୍ମା ଓ ଜୟଦେବ ମହନ୍ତ ପ୍ରମୁଖ ସହଯୋଗ କରିଥିଲେ।





