ଦୁର୍ଘଟଣାରେ ଦୁଇ ମୃତ; କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଆମପାଣି ଥାନା ମହାଜନଗୁଡା ନିକଟରେ ରବିବାର ପିକଅପ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ କୁସୁମଖୁଣ୍ଟି ଗ୍ରାମର ଦୁର୍ଯ୍ୟୋଧନ ମାଝୀ (ବିକି) ଓ ଦେବାଶିଷ ବାଗ (ଚିଣ୍ଟୁ)। ଏହି ଘଟଣାରେ ସୋମବାର ଉଭୟ ପରିବାର ଲୋକେ କ୍ଷତିପୂରଣ ଦାବି କରି ମୋଟେର ଠାରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଆମପାଣି ପଟେ ଦୁର୍ଯ୍ୟୋଧନ ଓ ଦେବାଶିଷ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟେ ରାସ୍ତାରେ ଛିଟିକି ପଡ଼ିଥିଲେ। ତେବେ ଘଟଣାସ୍ଥଳରେ ହିଁ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ହୋଇଥିଲା। ଦେବାଶିଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୋକସରା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଦେବାଶିଷ ମଧ୍ୟ ରାତିରେ ମୃତ୍ୟୁ ହୋଇଥିଲେ। ତେବେ ଦୁର୍ଘଟଣା ଘଟାଇଥିବା ପିକ୍ ଅପ୍ ଭ୍ୟାନ୍ କୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି। ସୋମବାର ସେମାନଙ୍କ ଶବ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର ହେବା ପରେ ଉଭୟଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରି ମୋଟେର ଠାରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଓ କୋକସରା ଥାନା ଅଧିକାରୀ ପ୍ରଶନ୍ନ ବେହେରା ପହଞ୍ଚି ବୁଝାସୁଝା କରିଥିଲେ। ତେବେ ଦିର୍ଘ ସମୟ ଧରି ରାସ୍ତା ଅବରୋଧ ଫଳରେ ଭାବାନୀପାଟଣା-ନବରଙ୍ଗପୁର ଓ ମୁଖୀଗୁଡା ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଉଭୟ ପରିବାରକୁ ଗାଡ଼ି ମାଲିକ ପକ୍ଷରୁ ୩୦ ହଜାର ଓ ରେଡକ୍ରସ୍ ରୁ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ସହାନୁଭୂତି ଭାବେ ବ୍ଳକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମଧ୍ୟ ୧୦ ହଜାର ଲେଖାଏଁ ଉଭୟ ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ। ଏହା ପରେ ପରିବାର ଲୋକେ ରାସ୍ତା ଅବରୋଧରୁ ଓହରି ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.