ଜିଲ୍ଳା ଯୋଜନା କମିଟିର ୨୦ତମ ବୈଠକ

ରାୟଗଡ଼ା ଜିଲ୍ଳାର ବିକାଶ ପାଇଁ ଅର୍ଥର ଅଭାବ ନାହିଁ -ଅଧ୍ୟକ୍ଷ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ବିକାଶ ପାଇଁ ଅର୍ଥର ଅଭାବ ନାହିଁ । ଯେ କୈାଣସି କ୍ଷେତ୍ରର ଉନ୍ନତି ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡା ଜିଲ୍ଳା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ରଖିଛନ୍ତି ଏବଂ ଏ ନେଇ ଆବଶ୍ୟକ ମୁତାବକ ସମସ୍ତ ବିକାଶ ମୂଳକ କାର୍ଯ୍ୟ ନିମନ୍ତେ ଅନୁଦାନ ଦେଉଛନ୍ତି ବୋଲି ଆଜି ରାୟଗଡା ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଳା ଯୋଜନା କମିଟିର ବିଂଶତମ (୨୦ତମ) ବୈଠକରେ କମିଟିର ଅଧ୍ୟକ୍ଷ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ପ୍ରକାଶ କରିଛନ୍ତି । ଜିଲ୍ଳାରେ ବିଜୁ କେବିକେ ଯୋଜନା ପାଣ୍ଠିର ୨୦୦୬-୦୭ଆର୍ଥିକ ବର୍ଷ ଠାରୁ ୨୦୨୦-୨୧ବର୍ଷ ମଧ୍ୟରେ ଅନୁଦାନ ଖର୍ଚ୍ଚ ଓ ଉନ୍ନୟନ କାର୍ଯ୍ୟକ୍ରମ ବିବରଣୀ ଉପରେ ସମୀକ୍ଷା ଏବଂ ଆଲୋଚନା କରାଯିବା ସହ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷର ବିଜୁ କେବିକେ ଯୋଜନା ଜିଲ୍ଳାଂଚଳ ପ୍ରକଳ୍ପ ଚିଠାକୁ କମିଟିରେ ଆଲୋଚନା ପରେ ଅଧ୍ୟକ୍ଷ ଶ୍ରୀ ନାୟକ ଅନୁମୋଦନ କରିଥିଲେ । ସେହିପରି ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷର ରାୟଗଡା ଜିଲ୍ଳା କ୍ରିଟିକଲ ଗେପ୍ ଫଣ୍ଡ ଯୋଜନାର ଆଲୋଚନା ଓ ଅନୁମୋଦନ କରାଯାଇଥିଲା । ୨୦୦୬-୦୭ମସିହାରୁ ବିଜୁ କେବିକେ ଯୋଜନା ମାଧ୍ୟମରେ ରାୟଗଡା ଜିଲ୍ଳାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ/କାର୍ଯ୍ୟ ପ୍ରଣୟନ ହୋଇ ଆସୁଥିବା ବେଳେ ଏଥିରେ ବିଜୁଳି,ସଡକ,ପାଣି ଓ ଅନ୍ୟାନ୍ୟ ଗଠନ ସମୂହ ଉନ୍ନୟନ କାର୍ଯ୍ୟକୁ ଭିତି କରି ଉନ୍ନୟନ ନିମନ୍ତେ ପ୍ରକଳ୍ପ ପ୍ରସ୍ତୁତ କରାଯାଉଥିବା ବେଳେ ଗତ ୨୦୦୬-୦୭ଆର୍ଥିକ ବର୍ଷ ଠାରୁ ୨୦୨୦-୨୧ପର୍ଯ୍ୟନ୍ତ ଜିଲ୍ଳାକୁ ସର୍ବମୋଟ ୨୩୩କୋଟି ୫୦ଲକ୍ଷ ଅର୍ଥ ମଂଜୁରୀ ପ୍ରାପ୍ତ ହୋଇଥିଲା । ତନ୍ମଧ୍ୟରୁ ଅଦ୍ୟାବଧି ୨୨୪କୋଟି ୫ଲକ୍ଷ ଖର୍ଚ୍ଚ କରାଯାଇ ୫୧୫୧ଟି ଅନୁମୋଦିତ ପ୍ରକଳ୍ପ ମଧ୍ୟରୁ ୪୭୮୯ଟି କାର୍ଯ୍ୟକାରୀ ହୋଇ ୪୨୪୪ଟି ପ୍ରକଳ୍ପ/କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବୈଠକରେ ଉପସ୍ଥାପନା କରାଯାଇଥିଲା ।

ସେହିପରି ଜିଲ୍ଳାର ୧୧ଗୋଟି ବ୍ଳକ ନିମନ୍ତେ ଆର୍ଥିକ ବର୍ଷ ୨୦୨୧-୨୨ ଓ ୨୦୨୨-୨୩ବର୍ଷ ନିମନ୍ତେ ପ୍ରତ୍ୟେକ ବ୍ଳକକୁ ୧କୋଟି ଟଙ୍କାର ବିଜୁ କେବିକେ ଯୋଜନା ଜିଲ୍ଳାଂଚଳ ପ୍ରକଳ୍ପ ଚିଠା ଅନୁଯାୟୀ ୧୧କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ଅଧ୍ୟକ୍ଷ ଶ୍ରୀ ନାୟକ ପ୍ରକାଶ କରିଥିଲେ । ସେହିପରି ବିଗତ ଆର୍ଥିକ ବର୍ଷ ୨୦୨୧-୨୨ରେ ରାୟଗଡା ଜିଲ୍ଳାକୁ ରାଜ୍ୟ ଯୋଜନା ପାଣ୍ଠି,କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ରୀୟ ପ୍ରୟୋଜିତ ଯୋଜନା ପାଣ୍ଠି ମାଧ୍ୟମରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ବିଭିନ୍ନ ଉନ୍ନୟନ ବିଭାଗ ବାବଦକୁ ମୋଟ ୧୨୧୭କୋଟି ୩୩ଲକ୍ଷ ୬୭ହଜାର ଟଙ୍କାର ଅନୁଦାନ ରାଶି ପ୍ରାପ୍ତ ହେଇଥିଲା ଏବଂ ସେ ସମସ୍ତ ଅନୁଦାନ ରାଶି ଜିଲ୍ଳାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ବିନିଯୋଗ ହୋଇଥିବା ବେଳେ ଆର୍ଥିକ ବର୍ଷ ୨୦୨୨-୨୩ରେ ଜିଲ୍ଳାର ସର୍ବାଙ୍ଗୀନ ଉନ୍ନତୀ ପାଇଁ ୧୩୮୩କୋଟି ୨୯ଲକ୍ଷ ଟଙ୍କାର ଜିଲ୍ଳା ଯୋଜନା ଚିଠା ପ୍ରସ୍ତୁତ କରାଯାଇ କମିଟି ଦ୍ୱାରା ଅନୁମୋଦିତ କରାଯାଇଥିବା ନେଇ ଜିଲ୍ଳାପାଳ ସ୍ୱଧାଦେବ ସିଂ ପ୍ରକାଶ କରିଥିଲେ ।

ବୈଠକରେ ଜିଲ୍ଳା ପରିଷଦ ସଭ୍ୟସଭ୍ୟା ତଥା ଜିଲ୍ଳା ଯୋଜନା କମିଟି ସଭ୍ୟସଭ୍ୟାମାନେ ତାଙ୍କ ଅଜଣାତରେ ବ୍ଳକର ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ପ୍ରକଳ୍ପର ଚିଠା ପ୍ରସ୍ତୁତ କରି ଅନୁମୋଦନ ପାଇଁ ପଠାଉଥିବା ବେଳେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ପୂରଣ କରିବାକୁ ଆବଶ୍ୟକ ପଡୁଥିବା ପ୍ରକଳ୍ପଗୁଡିକୁ ସ୍ଥାନ ଦେଉ ନ ଥିବାରୁ ଲୋକ ପ୍ରତିନିଧି ଭାବେ ସମାଧାନ ଦିଗରେ ଅସୁବିଧା ଉପୁଜିଥିବା ପ୍ରକାଶ କରିଥିଲେ । ଯାହାକୁ ନେଇ ଆଗାମୀ ଏପ୍ରିଲ ୩୦ତାରିଖ ସୁଦ୍ଧା ଜିଲ୍ଳାର ପ୍ରତ୍ୟେକ ବ୍ଳକରେ ଆବଶ୍ୟକ ପଡୁଥିବା ନୂଆ ପ୍ରକଳ୍ପର ତାଲିକା ପ୍ରଦାନ କରିବା ସହ ୩ବର୍ଷରୁ ଉର୍ଦ୍ଧ ସମୟ ଧରି କୈାଣସି କାରଣରୁ ଆରମ୍ଭ ହୋଇ ପାରି ନ ଥିବା ପ୍ରକଳ୍ପଗୁଡିକର ଅନୁଦାନ ରାଶିକୁ ନୂଆ ପ୍ରକଳ୍ପ ପାଇଁ ପରିବର୍ତନ କରାଯାଇ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ଅଧ୍ୟକ୍ଷ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ରାୟଗଡା ଓ କାଶିପୁର ବ୍ଳକରେ ବିଜୁଳି,ପାଣି ଓ ସଡକ ସହ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ସମସ୍ୟା ରହିଥିବାରୁ ଆସନ୍ତା ସପ୍ତାହକ ମଧ୍ୟରେ ସମସ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ଉଭୟ ବ୍ଳକର ବିଡିଓଙ୍କୁ ଅଧ୍ୟକ୍ଷ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା,ଜିଳ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ସାଂସଦ ପ୍ରତିନିଧି ଦୁର୍ଗାପ୍ରସାଦ ପଣ୍ଡାଙ୍କ ସମେତ ସମସ୍ତ ବିଡିଓ,ଜିଲ୍ଳାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବି ନାରାୟର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.