କର୍ତ୍ତବ୍ୟନିଷ୍ଠ ଶିକ୍ଷକ ମାନସିକ ନିର୍ଯାତନାର ଶିକାର: ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜଣେ କର୍ତ୍ତବ୍ୟନିଷ୍ଠ ଆଦର୍ଶ ଶିକ୍ଷକ ନିଜର ସ୍ପଷ୍ଟବାଦିତା, ସଚ୍ଚୋଟତା ଓ ନିର୍ଭୀକତା ଯୋଗୁଁ ବରାବର ପ୍ରଶାସନିକ ଆକ୍ରୋଶର ଶିକାର ହୋଇ ଏବେନିଜ ସରକାରୀ ଚାକିରୀ ହରାଇ ବାରଦୁଆର  ହେଉଥିବାର ଏକ ସମ୍ବେଦନଶୀଳ ଖବର ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି । ଅନ୍ୟାୟ ଭାବରେ ତାଙ୍କୁ ଚାକିରୀରୁ ବହିଷ୍କାର କରାଯିବା ପରେ ସେ ଏବେ ମାନବିକ ଅଧିକାର କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଅଦ୍ୟାବଧି ନୀରବ ଦ୍ରଷ୍ଟା ସାଜିଥିବା ଜଣାପଡିଛି ।ଶିକ୍ଷକ ଜଣକ ହେଲେ ପଣ୍ତିତ କପିଳାସ ଚନ୍ଦ୍ର ଦାଶ । ଶ୍ରୀ ଦାଶ ନବେ ଦଶକରେ ପ୍ରଥମେ ଦୈନିକ ଖବରକାଗଜ ସମ୍ବାଦର ବିନିକା ପ୍ରତିନିଧି ଓ ପରେ ପ୍ରଜାତନ୍ତ୍ର ସାପ୍ତାହିକୀର ସୋନପୁର ଜିଲ୍ଲା ପ୍ରତିନିଧି ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେହି ସମୟରେ ତାଙ୍କ ରିପୋଟିଂ ଦକ୍ଷତା ଓ ନିର୍ଭୀକତା ପାଇଁ ସେ ଜିଲ୍ଲାର ସବୁ ମହଲରେ ଆଦରର ପାତ୍ର ଥିଲେ । ତେବେ ଗୋଟିଏ ସମୟରେ ବଂଧୁ ମାନଙ୍କ ଓ ପରିବାରର ଚାପରେ ସେ ରିପୋଟିଂ ଛାଡ଼ି ୧୯୯୬ ମସିହାରେ ପ୍ରାଥମିକ ଶିକ୍ଷକ ଭାବେ  ଚାକିରିରେ ଯୋଗ ଦେଇଥିଲେ । ପ୍ରଥମେ ବିନିକା ବ୍ଲକ ଅନ୍ତର୍ଗତ ସିଲାଟୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ ।ମାତ୍ର ତାଙ୍କର ସ୍ୱଷ୍ଧବାଦିତା ଓ ନିର୍ଭୀକ ସମାଲୋଚନା ପାଇଁ ପ୍ରାରମ୍ଭରୁ ପ୍ରଶାସନିକ ଆକ୍ରୋଶର ଶିକାର ହୋଇଥିଲେ ।ଏକଦା ସେ ସୋନପୁର ଟ୍ରଷ୍ଟଫଣ୍ଡ ଦୁର୍ନୀତିର ସି.ବି.ଆଇ. ତଦନ୍ତ ଦାବିରେ ସୋନପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପ୍ତାହ ବ୍ୟାପି ଅନଶନରେ ବସିଥିଲେ । ଯାହାକି ସେ ସମୟରେ ଜିଲ୍ଲାର ସବୁ ବର୍ଗଙ୍କର ଖବରର ଶିରୋନାମା ପାଲଟି ଯାଇଥିଲେ।ହେଲେ କେତେକ କୁଚକ୍ରୀ ଗୋଷ୍ଠିଙ୍କର ଚକ୍ରାନ୍ତରେ ମାନସିକ ଚାପଗ୍ରସ୍ତ ହୋଇପଡ଼ିଲେ । ବର୍ଷାଧିକ କାଳ ସେ ମାନସିକ ସ୍ଵାସ୍ଥ୍ୟ ପାଇଁ ଚିକିତ୍ସାଧୀନ ହେବା ହେତୁ ନିଜ କର୍ତ୍ତବ୍ୟ କ୍ଷେତ୍ରରେ ଯୋଗଦେଇ ପାରିନଥିଲେ । ଏବେ ସେ ସମ୍ପୂର୍ଣ ସୁସ୍ଥ ଓ ସୁସ୍ଥତାର ପ୍ରମାଣପତ୍ର ଦାଖଲ କରିସାରିଛନ୍ତି । ଏଣେ ଗୋଟିଏ ସମୟରେ ବିନିକା ଗୋଷ୍ଠୀ ଅଧିକାରୀ ଗଣେଶ କିଶାନ ତାଙ୍କୁ ଚାକିରୀରୁ ବହିଷ୍କୃତ କରିଛନ୍ତି । ଶିକ୍ଷା ବିଭାଗପ୍ରଶାସନର ଏହି ଅବିଚାର ବିରୁଦ୍ଧରେ ଶ୍ରୀ ଦାଶ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ଦ୍ୱାରସ୍ଥ ହୋଇଥିଲେ । ଏହାର ବିଚାର କରି ମାନ୍ୟବର ଅଦାଲତ ତାଙ୍କୁ ତିନି ମାସ ଭିତରେ ତାଙ୍କ ଆବେଦନ ମୁତାବକ ପୁନଃ ନିଯୁକ୍ତି ଦିଆଯିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ତିନି ମାସ ପୁରି ଯାଇଥିଲେ ମଧ୍ୟ ଏଯାବତ ତାଙ୍କୁ ନିଯୁକ୍ତି ମିଳିନାହିଁ । ଯାହା ଫଳରେ ସେ ବର୍ତ୍ତମାନ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦୀର୍ଘ ସାତ ବର୍ଷ ହେଲା ଶ୍ରୀ ଦାଶ ଦରମା କିମ୍ବା ଅନ୍ୟ କୌଣସି ସରକାରୀ ସହାୟତା ପାଇ ନଥିବା ବେଳେ ତାଙ୍କର ପରିବାର ତଥା ବୃଦ୍ଧା ମାଁ ବହୁ ଆର୍ଥିକ ଅନାଟନର ଶୀକାର ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଶ୍ରୀ ଦାଶ ଯେତେବେଳେ ଗଙ୍ଗାଧର ମେହେର ଓ ରାଜେନ୍ଦ୍ର କଲେଜ ଠାରେ ଅଧ୍ୟୟନ କରୁଥିଲେ ଜଣେ ମେଧାବୀ ଛାତ୍ର ଭାବରେ କଲେଜ ତରଫରୁ ଆୟୋଜିତ ଅନେକ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ନିଜ ବ୍ୟକ୍ତିତ୍ୱର ଅନେକ ଆଲୋକମୟ ଦିଗ ଥିବା ସତ୍ତ୍ବେ ସେ ଏବେ ଅଫିସ ରୁ ଅଫିସ ଦୋୖଡି ନୟାନ୍ତ ହେଉଛନ୍ତି । ତୁରନ୍ତ ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଇ ଯୋଗ୍ୟ ପ୍ରତିଭାଙ୍କୁ ସମ୍ମାନ ଦେବାକୁ ଅଞ୍ଚଳବାସୀ ତଥା ଜିଲ୍ଲା ର ସଚେତନ ବର୍ଗ ସରକାରଙ୍କ ଠାରେ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.