ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାବେ ସଞ୍ଜୟ ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ଅଧୀନସ୍ଥ କ୍ରୀଡ଼ା ଅନୁଭାଗର ମୁଖ୍ୟ ତଥା ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାବେ ବରିଷ୍ଠ କ୍ରୀଡ଼ା ଶିକ୍ଷକ ସଞ୍ଜୟ କୁମାର ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଭବାନୀପାଟଣା ସହର ଅନ୍ତର୍ଗତ ପରଦେଶୀ ପଡ଼ାରେ ବରିଷ୍ଠ ଅମଲା ଶରତ ଚନ୍ଦ୍ର ମିଶ୍ର ଓ ସୁଗୃହିଣୀ ବିନୋଦିନୀ ମିଶ୍ରଙ୍କ କୋଳରେ ଜନ୍ମିତ ଶ୍ରୀ ମିଶ୍ର ପିଲାଦିନରୁ କ୍ରୀଡ଼ା ପ୍ରତି ଆଗ୍ରହୀ ଥିଲେ। ସ୍ଥାନୀୟ ଟାଉନ୍ ହାଇସ୍କୁଲରୁ ୧୯୯୯ ମସିହାରେ କ୍ରୀଡ଼ା ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ମୁନିସିପାଲ୍ ହାଇସ୍କୁଲରେ କାର୍ଯ୍ୟରତ ଥିଲେ। ତାଙ୍କ ଉଦ୍ୟମ କ୍ରମେ ଏଯାବତ ହଜାର ହଜାର ଛାତ୍ରଛାତ୍ରୀ କ୍ରୀଡ଼ା କ୍ଷେତ୍ରକୁ ଆକୃଷ୍ଟ ହୋଇପାରିଛନ୍ତି। ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ଖୋଖୋ ଓ କବାଡ଼ିରେ ଅନେକଥର ରାଜ୍ୟ ସ୍ତରରେ ଅଂଶଗ୍ରହଣ କରିଥିବା ବେଳେ ସେ ଦୀର୍ଘ ବର୍ଷ ଧରି ବିଏସ୍ଏସ୍ଏ ଭବାନୀପାଟଣାର ନୋଡାଲ୍ ସଂପାଦକ ଭାବେ କାର୍ଯ୍ୟ ସମ୍ପାଦନ କରି ନିଜ ସଂଗଠନ ଦକ୍ଷତାର ପରିଚୟ ଦେଇ ପାରିଛନ୍ତି। ଆଗାମୀ ଦିନରେ ଜିଲ୍ଲାର କ୍ରୀଡ଼ା ଶିକ୍ଷକମାନଙ୍କ ସମନ୍ୱୟରେ କାର୍ଯ୍ୟ କରିବା ସହ କଳାହାଣ୍ଡିର ପିଲାମାନେ କିପରି କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବେ ସେ ଦିଗରେ ପ୍ରୟାସ କରିବେ ବୋଲି ଶ୍ରୀ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.