ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଆସନ ଆନୁକୂଲ୍ୟରେ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଦୀର୍ଘ ୫୫ଦିନ ଧରି ୭ ବର୍ଷ ରୁ ୧୯ ବର୍ଷ ବୟସ ମଧ୍ୟରେ ମୋଟ ୭୭ ଜଣ ଖେଳାଳୀ ଏହି ଶିବିରରେ ପ୍ରଶିକ୍ଷଣ ନେଇଥିଲେ । ଆସୋସିଆସନର ସଭାପତି ପ୍ରଦୀପ ଦାସ (ବାପି)ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଜାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଭବାନୀପାଟଣା ବିଜୟ କୁମାର ଦାସ, ସ୍ୱତନ୍ତ୍ର ଅତିଥି ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ ନାୟକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଜିଲ୍ଲା ସଂଘର ଉପସଭାପତି ଅରୁଣ ରଥ, ସମ୍ପାଦକ ସନ୍ଦୀପ ମିଶ୍ର, ଯୁଗ୍ମ ସମ୍ପାଦକ ଦୀପକ ସାଗର କୁମାର, ଉପଦେଷ୍ଟା ତଥା ରାଜ୍ୟ ବୈଷୟିକ ସମିତିର ଅଧ୍ୟକ୍ଷ ମନୋରଞ୍ଜନ ଦାସ, କୋଚିଂ କମିଟି ସଂଚାଳକ ମହେଶ କୁକ୍ରେଜା ତଥା ସଂଘର ସମସ୍ତ ସଦସ୍ୟ ଓ ଅଭିଭାବକ ଅଭିଭାବିକାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ବିଦାୟୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ସଂଘ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ କୃତି କ୍ରୀଡାବିତଙ୍କୁ ପୁରସ୍କାର ଓ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷଣ ଦାୟିତ୍ବରେ ଥିଲେ ମୁଖ୍ୟ ପ୍ରଶିକ୍ଷକ ନରେଶ୍ୱର ନାଏକ, ସହପ୍ରଶିକ୍ଷକ ଚୁମକୀ ଭଞ୍ଜ ଓ ଦେବଦତ୍ତ ବାଣୁଆ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଘର କୋଷାଧ୍ୟକ୍ଷ ସରୋଜ ମହାରଣା ସଂଚାଳନ କରିଥିଲେ । ରବି ନାରାୟଣ ସାହୁ, ଶକ୍ତି ପ୍ରସାଦ ଯୋଶୀ, ଶିବାଶିଷ ବିଶି, ହମିଦ ବାଗ, ରାମ ସାହୁ ଓ ସଂଘର ମନୋଜ ପଣ୍ଡା, ମାଣିକେଶ୍ୱରୀ ମହାପାତ୍ର, ସାଇକୁମାର ସିଂ ସାମନ୍ତ, ହେମନ୍ତ ମିଶ୍ର, ଜିତେନ୍ଦ୍ର ମିଶ୍ର, ଅଶୋକ ପତି, ରଞ୍ଜିତ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସଂଘର ସମ୍ପାଦକ ଶ୍ରୀ ମିଶ୍ର ଜିଲ୍ଲାର ସମସ୍ତ ବ୍ଲକରେ ବ୍ୟାଡମିଣ୍ଟନର ବିକାଶ ତଥା ଖେଳାଳିମାନେ କିପରି ରାଜ୍ୟ ତଥା ଜାତୀୟ ସ୍ତରରେ ସଫଳତା ହାସଲ କରିବେ, ସେଥିପ୍ରତି ଜିଲ୍ଲା ସଂଘ ସର୍ବଦା ଚେଷ୍ଟିତ ରହିବ ବୋଲି ମତପ୍ରଦାନ କରିଥିଲେ ଏବଂ ଆଗାମୀ ଅଗଷ୍ଟ ମାସରେ ଜିଲ୍ଲା ଚାମ୍ପିୟନସିପ ଓ ନଭେମ୍ବରରେ ୧୯ ବର୍ଷରୁ କମ ବୟସ ଉଭୟ ବାଳକ ଓ ବାଳିକା ବିଭାଗର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭବାନୀପାଟଣାରେ ଅନୁଷ୍ଠିତ ହେବାର ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।