ସମାଜର ବିକାଶରେ ମାଁ ମାନଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ -ଜିଲ୍ଲାପାଳ ସୁବର୍ଣ୍ଣପୁର
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସିଙ୍ଗାପୁର ଫେରନ୍ତା ଜିଲ୍ଲା ମିଶନ ଶକ୍ତି ମହାସଂଘ ସଭାପତି ମମତା ସାହୁଙ୍କୁ ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦେବା ଅବସରରେ ମିଶନଶକ୍ତି ମାଁ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଜ୍ଞାନ ବଣ୍ଟନ ତଥା କ୍ଷମତା ନିର୍ମାଣ କର୍ମଶାଳା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିମଳେନ୍ଦୁ ରାୟ କର୍ମଶାଳା ତଥା ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କରି ଜିଲ୍ଲା ମିଶନ ଶକ୍ତି ସୁବର୍ଣ୍ଣଶିଖା ମହାସଂଘ ସଭାନେତ୍ରୀ ଶ୍ରୀମତୀ ସାହୁଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାପାଳ ସମାଜ ବିକାଶରେ ମାଁ ମାନଙ୍କ ଭୂମିକାକୁ ପ୍ରଶଂସା କରିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ମାଁ ମାନଙ୍କୁ ମିଳୁଥିବା ସମ୍ମାନ ତଥା ସୁବିଧା ସୁଯୋଗ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ମାଁ ମାନଙ୍କ ବଳିଷ୍ଠ ଆନ୍ତରିକ ସହଯୋଗ ଓ କାର୍ଯ୍ୟ ଦକ୍ଷତା ସେମାନଙ୍କୁ ଆତ୍ମନିର୍ଭର କରିବା ସହ ସମାଜକୁ ବିକାଶ ମାର୍ଗରେ ନେଉଥିବା କହିଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ । ସେ ଏହି ପରିପ୍ରେକ୍ଷୀରେ ଜିଲ୍ଲାର ମାଁ ଭଉଣୀ ମାନେ ଅତିକମରେ ଦଶମ ପାସ ଯାଏଁ ଶିକ୍ଷା ଗ୍ରହଣକୁ ଗୁରୁତ୍ୱ ଦେଇ ଡିଷ୍ଟାନ୍ସ ଏଜୁକେସନ ମାଧ୍ୟମରେ ଉଚ୍ଚତର ଶିକ୍ଷା ମଧ୍ୟ ହାସଲ କରିବାକୁ ଆହ୍ୱାନ କରିଛନ୍ତି । କର୍ମଶାଳାରେ ସିଙ୍ଗାପୁର ଫେରନ୍ତା ଶ୍ରୀମତୀ ସାହୁ ନିଜ ବକ୍ତବ୍ୟରେ ସିଙ୍ଗାପୁର ଯାତ୍ରାର ଅଭିଜ୍ଞତା, ସେଠାକାର ଜୀଵନଚର୍ଯ୍ୟା ଓ ସମାଜ ବିକାଶରେ ସେଠାକାର ମହିଳାଙ୍କ ଭୂମିକା ଉପରେ ଉପସ୍ଥାପନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଶ୍ରୀମତୀ ସାହୁ ଙ୍କୁ ସିଙ୍ଗାପୁର ଗସ୍ତ ର ଅଭିଜ୍ଞତା ତଥା ଜ୍ଞାନ ଆହରଣକୁ ଉଚିତ ବ୍ୟବହାର ପୂର୍ବକ ଜିଲ୍ଲାର ଗରିମାକୁ ବଢାଇବାକୁ ପରାମର୍ଶ ଦେଇଛନ୍ତି । ଏହି କର୍ମଶାଳା ତଥା ସମ୍ବର୍ଦ୍ଧନା ସଭାରେ ଭାରପ୍ରାପ୍ତ ଡିଏସଡବ୍ଲୁଓ ଅନିତା ଗୁରୁ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଜିଲ୍ଲା ମିଶନ ଶକ୍ତି ସଂଯୋଜକ କାର୍ତ୍ତିକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କର୍ମଶାଳାରେ ଡିପିଏମ ଓ ଏଲ ଏମ ଫ୍ରାନସିସ ବାର୍ଲା, ତଥା ଜିଲ୍ଲା ମିଶନ ଶକ୍ତି ମହାସଂଘ ସଦସ୍ୟା, ବ୍ଲକ ମିଶନ ଶକ୍ତି ମହାସଂଘର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।