ଜନପ୍ରତିନିଧିଙ୍କୁ ବ୍ଳକ ପ୍ରଶାସନର ଅଣଦେଖାକୁ ନେଇ ସରପଞ୍ଚ ସଂଘର ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଓ ପର୍ବତାଞ୍ଚଳ ଅଞ୍ଚଳ ଭାବେ ପରିଚିତ ରହିଛି। କିନ୍ତୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ଅଧିକାରୀମାନେ ଏହି ଅଞ୍ଚଳପ୍ରତି ଦୀର୍ଘଦିନ ଧରି ଅଣଦେଖା କରୁଥିବା ଯୋଗୁଁ ଅଞ୍ଚଳରେ ଅନେକ ଅସୁବିଧା ଥିବା ବେଳେ କୋଣସି ଫଣ୍ଡ ଆସୁନାହିଁ।ଯାହା ଫଳରେ କୋଣସି ବିକାଶ ମୂଳକ କାର୍ଯ୍ୟ ହୋଇ ପାରୁନି। ଏହାକୁ ନେଇ ଆଜି ଲାଞ୍ଜିଗଡ଼ ବ୍ଲକ କନଫରେନ୍ସ ହଲରେ ଲାଞ୍ଜିଗଡ଼ ସରପଞ୍ଚ ସଙ୍ଘର ଏକ ଜରୁରୀକାଳୀନ ବୈଠକ ହୋଇଥିଲା।ଏହି ବୈଠକ ମୁଖ୍ୟ ଉଦ୍ଦେଶ୍ୟ ଯେ, ଆଜିବି ଅନେକ ଗାଁକୁ ପହଞ୍ଚିବା ପାଇଁ ଆଜି ମଧ୍ୟ ପାଦେ ଚଲିବାକୁ ପଡ଼ୁଛି, କାରଣ ରାସ୍ତା ନାହିଁ, ସ୍କୁଲ ନାହିଁ, ଯାତାୟାତ ମାଧ୍ୟମ ନାହିଁ। ବର୍ଷା ହେଲେ ଅନେକ ଗାଁ ପୂରାପୁରି ବାହ୍ୟ ଜଗତ ସହିତ ବିଚ୍ଛିନ୍ନ ହୋଇଯାଏ। ଏହି ଅବସ୍ଥାରେ ରୋଗୀମାନେ ହସ୍ପିଟାଲକୁ ଯିବା ପାଇଁ ଆଜି ମଧ୍ୟ କାନ୍ଧରେ ବୋହି ନେଇ ଦୂରସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଆନ୍ତି। ଅନେକ ଥର ରାସ୍ତା ନ ଥିବାରୁ ଆପତ୍ତିକାଳୀନ ସମୟରେ ମୃତ୍ୟୁ ହେବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି।ଶିକ୍ଷା କ୍ଷେତ୍ରର ଅବସ୍ଥା ମଧ୍ୟ ଅତ୍ୟନ୍ତ ଦୟନୀୟ। ଅନେକ ଗାଁଠାରୁ ଦୂରରେ ସ୍କୁଲ ଆହୁଛି। ଯାହା ଫଳରେ ଶିଶୁମାନେ ଦୂରରୁ ଜଙ୍ଗଲ ଓ ପାହାଡ଼ ଚଡି ସ୍କୁଲ ପହଞ୍ଚିବାକୁ ଅସମ୍ଭବ ହେଉଛି। ସ୍ୱାସ୍ଥ୍ୟ ସେବା ମଧ୍ୟ ତିନିତାଳିଆ ଅବସ୍ଥାରେ ଅନେକ ଉପକେନ୍ଦ୍ରରେ ଡାକ୍ତର ନାହିଁ। ଏହି ସବୁ ଅବହେଳା ଓ ଅସୁବିଧା ପ୍ରତି ଅସନ୍ତୋଷ ପ୍ରକାଶ କରି ଲାଞ୍ଜିଗଡ ବ୍ଲକର ୨୬ ଗୋଟି ପଞ୍ଚାୟତର ସରପଞ୍ଚମାନେ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରି ଆସିଛନ୍ତି। ଆଜି ବୈଠକରେ ସରପଞ୍ଚମାନେ ସ୍ପଷ୍ଟ କରିଛନ୍ତି ଯେ, ବ୍ଲକ ପ୍ରଶାସନ ତାଙ୍କ ପ୍ରସ୍ତାବ ଓ ଦାବିକୁ ଅଣଦେଖା କରୁଛି। ଗ୍ରାମ ଉନ୍ନତି ପାଇଁ ଦିଆଯାଇଥିବା ଯୋଜନାଗୁଡ଼ିକ ଠିକଭାବେ କାମ କରୁନାହିଁ, ମାନକ ଅନୁଯାୟୀ ଗୁଣମାନ ରଖାଯାଉନାହିଁ ଓ ଦୂରସ୍ଥ ଗାଁଗୁଡ଼ିକ ପ୍ରତି ପୂର୍ଣ୍ଣ ଅବହେଳା ହେଉଛି। ସରପଞ୍ଚମାନଙ୍କ ମତ ଅନୁସାରେ, ଯଦି ପ୍ରଶାସନ ଶୀଘ୍ର ଏହି ଅଞ୍ଚଳର ଦୁର୍ଦଶା ନିରାକରଣ ପାଇଁ ପଦକ୍ଷେପ ନ ନିଅନ୍ତି, ତେବେ ସେମାନେ ଗଣଆନ୍ଦୋଳନ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି। ପ୍ରତ୍ୟେକ ପଞ୍ଚାୟତର ଅବସ୍ଥା ନିରୀକ୍ଷଣ ପାଇଁ ବିଶେଷ ଦଳ ଗଠନ ହେଉ ଓ ଦୁର୍ଗମ ଅଞ୍ଚଳଗୁଡ଼ିକୁ ମୌଳିକ ସୁବିଧା ଯଥା ରାସ୍ତା, ପାଣି, ବିଦ୍ୟୁତ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁନିଶ୍ଚିତ କରାଯାଉ। ଲାଞ୍ଜିଗଡ ଅଞ୍ଚଳର ଲୋକମାନେ ଆଶା କରୁଛନ୍ତି ଯେ, ଏହି ଜରୁରୀକାଳୀନ ବୈଠକ ଓ ସରପଞ୍ଚମାନଙ୍କ ସଂଘବଦ୍ଧ ଉଦ୍ୟମ ଫଳରେ ପ୍ରଶାସନ ଜାଗିଉଠିବ ଓ ଲୋକମାନଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବ। ଲାଞ୍ଜିଗଡ଼ ସରପଞ୍ଚ ସଙ୍ଘ ସଭାପତି ସାନ୍ଦରୁ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.