ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ତୀର୍ଥ ଯାତ୍ରାରେ ଯାଇଥିବା ବେଳେ ହୃଦଘାତରେ ଜଣେ ଧର୍ମପରାୟଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମର ବିଭୂତି ଭୂଷଣ ପଣ୍ଡା (୬୦)। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ବିଭୂତି ଭୂଷଣ ପଣ୍ଡା କିଛି ଦିନ ତଳେ ତୀର୍ଥ ଯାତ୍ରାରେ ବାହାରି ଥିଲେ। ଶନିବାର ବଦ୍ରିନାଥ ଧାମ ଦର୍ଶନ ସାରି ଫେରୁଥିବା ସମୟରେ ଉତ୍ତରପ୍ରଦେଶର ମିରଟ ନିକଟରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିବା ଜଣାପଡ଼ିଛି। ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ପାର୍ଥିବ ଶରୀର ଗାଁକୁ ଅଣାଯାଉଥିବା ସୂଚନା ମିଳିଛି। ବିଭୂତି ଭୂଷଣ ପଣ୍ଡା ଜଣେ ଧର୍ମପରାୟଣ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ତାଙ୍କ ପୁଅ ବିକାଶ ରଞ୍ଜନ ପଣ୍ଡା ଓ ବିଶ୍ବ ରଞ୍ଜନ ପଣ୍ଡା ସମେତ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।





