୨୫ରୁ ଦୋରାପଦର ବାତ୍ସଲ୍ୟ ଆଶ୍ରମରେ ହେବ ଯଜ୍ଞ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଦୋରାପଦର ଗ୍ରାମ ନିକଟସ୍ଥ ବାତ୍ସଲ୍ୟ ଆଶ୍ରମରେ ଅକ୍ଟୋବର ୨୫ ରୁ ଆରମ୍ଭ ହେବ ତିନି ଗୋଟି ଯଜ୍ଞ। ଗତ ଦୁଇ ମାସ ତଳେ ଚିପୁଲ ନିକଟସ୍ଥ ଦୋରାପଦର ପାହାଡ ପାଦ ଦେଶରେ ସ୍ଥାପିତ ହୋଇଥିବା ଆଦ୍ୟାଶକ୍ତି ପୀଠ ବାତ୍ସଲ୍ୟ ଆଶ୍ରମରେ ଏଥିପାଇଁ ଚାଲିଛି ଭବ୍ୟ ପ୍ରସ୍ତୁତି। ଦହଲ, ଦୋରାପଦର, ତିଲେଇମାଳ ଓ ଇନ୍ଦ୍ରମାଳ ଜନସାଧାରଣଙ୍କ ପ୍ରଚେଷ୍ଟାରେ ରୁଦ୍ର ଯଜ୍ଞ, ଶ୍ରୀ ଭାଗବତ ପାରାୟଣ ଓ ନାମଯଜ୍ଞ ଭଳି କାର୍ଯ୍ୟକ୍ରମ ୩୧ ଯାଏଁ ସପ୍ତାହ ବ୍ୟାପୀ ଚାଲିବ ବୋଲି ଆଶ୍ରମ କତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି। ଆଶ୍ରମର ସାଧ୍ୱୀ ସାମ୍ଭବି ଗିରି ଓ ସାଧ୍ୱୀ ସଦାନନ୍ଦା ଗିରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମର ଭବ୍ୟ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି। ଦହଲ ଗ୍ରାମ ଓ ମାଣ୍ଡେଲ ଗ୍ରାମର ଆଧ୍ୟାତ୍ମ୍ୟିକ ବ୍ୟକ୍ତି, ବିଶିଷ୍ଟ ଚାଷୀ ପଦ୍ମଲୋଚନ ନାଏକ ଓ ଶିକ୍ଷାବିତ୍ ସାରଥି ନାୟକଙ୍କ ମାର୍ଗଦର୍ଶନରେ ଉପରୋକ୍ତ ଗ୍ରାମ ଗୁଡିକର ଶ୍ରଦ୍ଧାଳୁ ଭକ୍ତ ମାନେ ଦିନରାତି ଲାଗି ଶ୍ରମଦାନ କରୁଛନ୍ତି ଯଜ୍ଞ ନିମନ୍ତେ। ଆଦ୍ୟାଶକ୍ତି ପୀଠ (ବାତ୍ସଲ୍ୟ ଆଶ୍ରମ) ତରଫରୁ ଆଖପାଖ ୧୫ ରୁ ଉର୍ଦ୍ଧ୍ୱ ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ସାଧ୍ୱୀ ସଦାନନ୍ଦା ଗିରି ସୂଚନା ଦେଇଛନ୍ତି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଶନିବାର ୨୫/୧୦ ରୁ ଶୁକ୍ରବାର ୩୧/୧୦ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ଯଜ୍ଞ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ୨୪/୧୦ ଅପରାହ୍ନ ୩.୩୦ ରେ କଳସ ଯାତ୍ରା ଅନୁଷ୍ଠିତ ହେବ। ସଧ୍ୟାରେ ଅଧିବାସ କାର୍ଯ୍ୟକ୍ରମ ହେବ। ୨୫/୧୦ ଶନିବାର ସକାଳ ୭ ଘଣ୍ଟାରୁ ଆରମ୍ଭ ହେବ ରୁଦ୍ର ଯଜ୍ଞ। ୭.୩୦ ରୁ ଆରମ୍ଭ ହେବ ଶ୍ରୀ ଭାଗବତ ପାରାୟଣ। ପାରାୟଣ ନିମନ୍ତେ ସୁଦୁର ସୋନପୁର ଜିଲ୍ଲାରୁ ଆସୁଛନ୍ତି ବ୍ୟାସ ଋଷଭ ବେଦବାଗ। ୩୦/୧୦ ଗୁରୁବାର ସକାଳ ୬.୧୫ ସମୟରେ ନାମଯଜ୍ଞ ଆରମ୍ଭ ହେବ। ଶୁକ୍ରବାର ୭.୧୫ ସମୟରେ ଏହାର ପୂର୍ଣ୍ଣାହୂତି ପଡିବ ବୋଲି ଆଶ୍ରମ ତରଫରୁ ସୂଚନା ମିଳିଛି। ରୁଦ୍ର ଯଜ୍ଞ ଓ ନାମଯଜ୍ଞ ନିମନ୍ତେ କାଠ ବାଉଁଶରେ ନିର୍ମିତ ହେଉଛି ପର୍ଣ୍ଣ କୁଟୀର। ସପ୍ତାହ ବ୍ୟାପୀ ଯଜ୍ଞ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଖପାଖର ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଆଶ୍ରମ ପରିଚାଳିକା ମାନେ ନିମନ୍ତ୍ରଣ ପ୍ରଦାନ କରି ଏଥରରେ ଅଂଶ ଗ୍ରହଣ ପୂର୍ବକ ବିଭୁ କୃପା ଲାଭ କରନ୍ତୁ ବୋଲି ଆଗ୍ରହ କରିଛନ୍ତି ଆଶ୍ରମ ପରିଚାଳିକା ସାଧ୍ୱୀ ସାମ୍ଭବି ଗିରି। ନିକଟସ୍ଥ ଗ୍ରାମ ଗୁଡ଼ିକର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଆକୁଣ୍ଠ ଅନୁଦାନରେ ଯଜ୍ଞ ଅନୁଷ୍ଠିତ ହେଉଥିବା ପ୍ରକାଶ କରିଛନ୍ତି ସାଧ୍ୱୀ ଗିରି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.