ବାଲେଶ୍ବରରେ ପାଳିତ ହେଲା ବିଶ୍ଵ ଯକ୍ଷ୍ମା ଦିବସ : ୧୦୦ ଦିନିଆ ବିଶେଷ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ବିଶାଳ ପଦଯାତ୍ରା ଆୟୋଜନ କରାଯାଇଥିଲା। ଏହି ପଦଯାତ୍ରାକୁ ଭାରପ୍ରାପ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଅମୂଲ୍ୟ କୁମାର ଦାସ ଉଦଘାଟନ କରିଥିଲେ। ଏହି ପଦଯାତ୍ରାରେ ଏ.ଏନ.ଏମ. ଟ୍ରେନିଙ୍ଗ ସେଣ୍ଟରର ଛାତ୍ରୀ, ଆଶା ଓ ଅଙ୍ଗନୱାଡ଼ି କର୍ମୀ, ସ୍ବେଚ୍ଛାସେବୀ ମାନେ ସାମିଲ ହୋଇଥିଲେ। ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ବ୍ଲକରୁ ଆସିଥିବା ଚିକିତ୍ସା ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଜିଲ୍ଲାରେ ୨୦୨୪ ମସିହାରେ ୨୭୫୫ ଜଣ ଯକ୍ଷ୍ମା ରୋଗୀ ଚିକିତ୍ସିତ ହୋଇଥିଲା ବେଳେ ୨୫୦୮ ଜଣ ଆରୋଗ୍ୟ ଲାଭ କରିଥିଲେ ଏବଂ ୨୦୨୫ ମସିହାରେ ୨୮୪୩ ଜଣ ଯକ୍ଷ୍ମା ରୋଗୀ ଚିକିତ୍ସିତ ହୋଇଥିଲା ବେଳେ ୨୬୪୩ ଜଣ ଆରୋଗ୍ୟ ଲାଭ କରିଥିଲେ ବୋଲି ଜିଲ୍ଲା ଯକ୍ଷ୍ମା ଅଧିକାରୀ ସୂଚନା ଦେଇଥିଲେ। ବର୍ତ୍ତମାନ ଚିକିତ୍ସିତ ହେଉଥିବା ସମସ୍ତ ଯକ୍ଷ୍ମା ରୋଗୀଙ୍କୁ ପ୍ରତ୍ୟେକ ମାସ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଉଛି। ଏଥିପାଇଁ ମହାମହିମ ରାଜ୍ୟପାଳ ୨୦ ଜଣ, ଭାରତର ରେଡକ୍ରସ ସୋସାଇଟି ୧୫୮୩ ଜଣ, ଅଙ୍କୁର ପ୍ଲାଷ୍ଟିକ ୫୦ ଜଣ ଓ ଶ୍ରୀ ଦେବାଶିଷ ଦାସଙ୍କ ତରଫରୁ ୬୦ ଜଣ ଯକ୍ଷ୍ମା ରୋଗୀଙ୍କୁ ପ୍ରତ୍ୟେକ ମାସ ଖାଦ୍ୟ ପ୍ୟାକେଟ ପ୍ରଦାନ କରାଯାଉଛି ବୋଲି ଜିଲ୍ଲା ସଂଯାଜକ ଶ୍ରୀ ବିଶ୍ବରଂଜନ ନାୟକ ପ୍ରକାଶ କରିଥିଲେ। ଏଥିସହିତ ଆଜି ଠାରୁ ୧୦୦ ଦିନିଆ ବିଶେଷ ଅଭିଯାନ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଜିଲ୍ଲାର ସମସ୍ତ ଅଞ୍ଚଳର ସ୍ବାସ୍ଥ୍ୟ କର୍ମୀ ମାନଙ୍କ ଦ୍ଵାରା ସଚେତନତା ସୃଷ୍ଟି କରାଯାଇ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇପାରିବ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ରୀ ଚକ୍ରଧର ଜେନା ପରିଚାଳନା କରିଥିଲା ବେଳେ ଡ଼ାକ୍ତର ସଂଜୀବ କୁମାର ପ୍ରଧାନ, ଶରତ କୁମାର ଦାସ ମହାପାତ୍ର, ସୁଶାନ୍ତ କୁମାର ବେହେରା ଓ ସଞ୍ଜୟ କୁମାର ସାହୁ ସହଯୋଗ କରିଥିଲେ। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ ଆଭାସି ଜରିଆରେ ଯୋଡି ହୋଇଥିଲେ। ଆଜି ଠାରୁ ୧୦୦ ଦିନିଆ ବିଶେଷ ଅଭିଯାନ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.