ସାପ କାମୁଡ଼ା ନେଇ ଅନ୍ଧବିଶ୍ୱାସ ଦୂର ପାଇଁ ‘ମୁନ୍ କମ୍ୟୁନିକେସନ’ର ସଚେତନତା ଅଭିଯାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବର୍ଷା ଋତୁରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଉଥିବାବେଳେ ସାପ କାମୁଡ଼ାକୁ ନେଇ ଗ୍ରାମାଞ୍ଚଳରେ ରହିଥିବା ଅନ୍ଧବିଶ୍ୱାସ ଦୂର କରିବା ସହ ଲୋକଙ୍କୁ ବୈଜ୍ଞାନିକ ଚିକିତ୍ସା ପ୍ରତି ସଚେତନ କରିବା ଉଦ୍ଦେଶ୍ୟରେ ସାମାଜିକ ସଂଗଠନ ‘ମୁନ୍ କମ୍ୟୁନିକେସନ’ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ୟୁନିଅନ ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଗ୍ରାମାଞ୍ଚଳରେ ଅନେକ ଲୋକ ଏବେ ମଧ୍ୟ ସାପ କାମୁଡ଼ା ପରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସର ଆଶ୍ରୟ ନେଉଥିବାରୁ ଠିକ୍ ସମୟରେ ଚିକିତ୍ସା ନପାଇ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ‘ମୁନ୍ କମ୍ୟୁନିକେସନ’ର ସମ୍ପାଦକ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସ ଅତିଥି ଭାବେ ଯୋଗଦେଇ ସାପର ବିଷତନ୍ତ୍ର ସମ୍ପର୍କରେ ଆଲୋଚନା କରିଥିଲେ। ସାପ କାମୁଡ଼ାର ଶିକାର ବ୍ୟକ୍ତି ଗୁଣିଗାରେଡ଼ି ଉପରେ ବିଶ୍ୱାସ ନକରି ତୁରନ୍ତ ବୈଜ୍ଞାନିକ ଚିକିତ୍ସା ପଦ୍ଧତି ଅବଲମ୍ବନ କରିବା ସହ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସାଳୟରେ ଭର୍ତ୍ତି ହେବାକୁ ସେ ଆହ୍ୱାନ ଦେଇଥିଲେ।

ଅନ୍ୟତମ ଅତିଥି ଶିକ୍ଷକ ସବ୍ୟସାଚୀ ଜାନା ଓ ଜୟନ୍ତ କୁମାର ଦାସ ବର୍ଷା ଋତୁରେ ସାପ ଅଧିକ ଦେଖାଯିବାର କାରଣ ଏବଂ ସେମାନଙ୍କ ଜୀବନଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ। ସାପକୁ ଅଯଥା ଉତ୍ତେଜିତ ନକରି ତା’ଠାରୁ ନିରାପଦ ଦୂରତା ବଜାୟ ରଖିବା ସହ ଆବଶ୍ୟକ ପଡ଼ିଲେ ସରକାରୀ ସ୍ୱୀକୃତିପ୍ରାପ୍ତ ସାପ ଧରାଳିଙ୍କ ସହାୟତା ନେବାକୁ ସେମାନେ ପରାମର୍ଶ ଦେଇଥିଲେ।

ସାପ କାମୁଡ଼ା ଭଳି ଜୀବନଘାତୀ ପରିସ୍ଥିତିରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସର ଶିକାର ନହୋଇ ବିଜ୍ଞାନସମ୍ମତ ଉପାୟ, ଡାକ୍ତର ଓ ଡାକ୍ତରଖାନାର ସହାୟତା ନେବା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଶେଷରେ ସାପ କାମୁଡ଼ା ଜନିତ ଅନ୍ଧବିଶ୍ୱାସ ଦୂର କରିବା ସହ ଆବଶ୍ୟକ ସମୟରେ ବୈଜ୍ଞାନିକ ଚିକିତ୍ସାର ସହାୟତା ନେବାକୁ ସମସ୍ତ ଛାତ୍ରଛାତ୍ରୀ ଶପଥ ପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.