ରାୟଗଡ,୨୪/୧୧ : ରାୟଗଡ ଜିଲ୍ଳା ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ ପିଣ୍ଡା ଗ୍ରାମର ୩ଜଣ ନାବାଳିକା ଶିଶୁ ଶ୍ରମିକ ଭାବେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ଚାଇଲ୍ଡ ଲାଇନ ଓ ଜିଆରପି ପୋଲିସ ଦ୍ୱାରା ରାୟଗଡ ରେଳବାଇ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି । ତେବେ ଜିଆରପି ପୋଲିସ ୩ଜଣ ନାବାଳିକା ଶିଶୁ ଶ୍ରମିକଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିବା ପରେ ସେମାନଙ୍କୁ ସ୍ନେହା ଷ୍ଟେ ହୋମରେ ରଖାଯାଇଥିବା ଜଣାପଡିଛି । ଏ ନେଇ ଜିଆରପି ଥାନା ଅଧିକାରୀ ସନ୍ତୋଷ କୁମାର ମିର୍ଦ୍ଧାଙ୍କ ଠାରୁ ମିିିଳିଥିବା ସୂଚନା ପ୍ରକାରେ ଜିଆରପି ପୋଲିସ ଓ ଚାଇଲ୍ଡ ଲାଇନ ପକ୍ଷରୁ ମିଳିତ ଭାବେ ଶନିବାର ଦିନ ରାୟଗଡ ରେଳ ଷ୍ଟେସନ ମଧ୍ୟରେ ଦାଦନ ଶ୍ରମିକ ଚାଲାଣ ନେଇ ଚଢାଉ ଜାରି ରହିଥିବା ସମୟରେ ପ୍ଳାଟଫର୍ମ ନମ୍ବର-୧ରେ ୩ଟି ନାବାଳିକ ଝିଅଙ୍କ ସହ ୨ଜଣ ପୁଅ ଏକା ସ୍ଥାନରେ ବସିଥିବା ବେଳେ ପୋଲିସ ପଚାରାଉଚୁରା ପାଇଁ ଆସୁଥିବା ଦେଖି ୨ଜଣ ପୁଅ ସେ ସ୍ଥାନରୁ ଚମ୍ପଟ ମାରିଥିଲେ । ତେବେ ୩ଟି ଝିଅଙ୍କୁ ପଚାରି ବୁଝିବାରୁ ସେମାନେ ଆନ୍ଧ୍ର ପ୍ରଦେଶର ଗୁଡିୱାଡା ଷ୍ଟେସନ ପର୍ଯ୍ୟନ୍ତ ବିଲାସପୁର-ତିରୁପତି ଟ୍ରେନରେ ଟିକେଟ କରିଥିବା ବେଳେ ସେଠାରେ ଥିବା ଏକ ଚିଙ୍ଗୁଡି ଫେକ୍ଟ୍ରିରେ କାମ କରିବାକୁ ଯାଉଥିବା କହିଥିଲେ । ଚମ୍ପଟ ମାରିଥିବା ୨ଜଣ ପୁଅ ଶ୍ରମିକ ଦଲାଲ ବୋଲି ଝିଅମାନେ ସୂଚନା ଦେଇଥିଲେ । ଏହି ଚଢାଉ ବେଳେ ଜିଆରପି ପୋଲିସ ଅଧିକାରୀ ଓ ଚାଇଲ୍ଡ ଲାଇନର ବିଜୟ କେତନ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉ କି ଦାଦନ ଶ୍ରମିକ ସଂଖ୍ୟା ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ଶ୍ରମ ବିଭାଗ ସଂପୂର୍ଣ୍ଣ ଭାବେ ନୀରବଦ୍ରଷ୍ଟା ସାଜିଛି । ତେବେ ଏନଜିଓ ସଂସ୍ଥା ଚାଇଲ୍ଡ ଲାଇନ, ସରକାରୀ ରେଳବାଇ ପୋଲିସ(ଜିଆରପି)ବ,ଜିଲ୍ଳା ପୋଲିସ ତଥା ଅନ୍ୟ ବିଭାଗଗୁଡିକ କୈାଣସି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁନାହିଁ ।