ଅବ୍ୟବସ୍ଥା ଘେରରେ ବିରିମୁହାଣ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଗୋଟିଏ କୋଠରୀରେ ପାଠ ପଢୁଛନ୍ତି ୮ ଟି ଶ୍ରେଣୀର ୭୨ ଜଣ ଛାତ୍ରଛାତ୍ରୀ

କଳାହାଣ୍ଡି/କୋକସରା,୨୬/୧୧ : ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାକୁ ସର୍ବଜାନୀନ କରିବା ଉଦ୍ଦେଶ୍ୟରେ ସରକାରୀ ରାଜକୋଷର କୋଟି କୋଟି ଟଙ୍କା ପାଣି ପରି ବୋହିଚାଲିଛି । ତେବେ ଆଜିବି ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷାର ସ୍ଥିତି ଦେଖିଲେ ସର୍ବଶିକ୍ଷା ଯୋଜନା ବାଟବଣା ହୋଇଥିବା ପରି ମନେହୁଏ । ବିଦ୍ୟାଳୟ ଶ୍ରେଣୀଗୃହ ସାଙ୍ଗକୁ ଛାତ୍ରଛାତ୍ରୀ ଅନୁପାତରେ ଆବଶ୍ୟକ ମୁତାବକ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗାଇଦେବା ପାଇଁ ମଧ୍ୟ ସରକାରୀ ବ୍ୟବସ୍ଥା କରିଛି । ଏପରିସ୍ଥଳେ କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତି ଆମପାଣି ଗ୍ରାମ ପଂଚାୟତର ଆଦିବାସୀ ବହୁଳ ବିରିମୁହାଣ ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ସାଙ୍ଗକୁ ଶିକ୍ଷକ ଅଭାବ ମଧ୍ୟ ଦିର୍ଘଦିନ ହେବ ଲାଗିରହିଛି ।

ବିଦ୍ୟାଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବାବେଳେ ପ୍ରାଥମିକରେ ଛାତ୍ର ସଂଖ୍ୟା- ୨୪ ଓ ଛାତ୍ରୀ ସଂଖ୍ୟା- ୧୮, ମୋଟ୍ ୪୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଉଚ୍ଚ ପ୍ରାଥମିକରେ ଛାତ୍ର ସଂଖ୍ୟା-୧୬ ଓ ଛାତ୍ରୀ ସଂଖ୍ୟା-୧୪, ମୋଟ ୩୦ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୭୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୮ଟି ଶ୍ରେଣୀର ସମୁଦାୟ ୭୨ ଜଣ ଛାତ୍ରଛାତ୍ରୀ ମାନଙ୍କ ପାଇ ତିନୋଟି ଶିକ୍ଷକ ରହିଥିବାବେଳେ ଗୋଟିଏ କୋଠରୀରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରିଆସୁଥିବା ଦାୟିତ୍ୱରେଥିବା ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ନାଏକ କହିଛନ୍ତି ।

ଏପଟେ ବର୍ଷାଦିନେ ସେହି ଏକମାତ୍ର ଶ୍ରେଣୀ କୋଠରୀରେ ପଣି ଝରୁଥିବାରୁ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାବେଳେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ହେଇନଥିବା ଓ ସୁରକ୍ଷା ନିମନ୍ତେ ଆବଶ୍ୟକ ମୁତାବକ ପାଚେରୀ ମଧ୍ୟ ହୋଇପାରିନାହିଁ, ଯା’ ଫଳରେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅବିଭାବ ମାନେ ପ୍ରକାଶ କରିଛନ୍ତି । ବଣ ପାହାଡ ମଧ୍ୟରେ ରହିଥିବା ଏହି ଆଦିବାସୀ ବହୁଳ ବିରିମୁହାଣ ଗ୍ରାମର ଲୋକେ ଶିକ୍ଷା ଓ ବିଭିନ୍ନ ମୌଲିକ ସମସ୍ୟାକୁ ନେଇ ବିଗତ ଦିନରେ ଭୋଟ୍ ବର୍ଜନ କରିଥିଲେ ହେଁ ଆଜି ମଧ୍ୟ ଏହି ଗ୍ରାମରେ ଶିକ୍ଷା ବ୍ୟବସ୍ଥା ସୁଧୁରି ପାରିନାହିଁ । ଅନ୍ୟପଟେ ପଖରେଥିବା ଆନ୍ଦିଝରନ ନୂତନ ପ୍ରାଥମିକ ବିଦ୍ୟାଳୟରେ କମ୍ ଛାତ୍ରଛାତ୍ରୀ ଉପସ୍ଥାନ ଯୋଗୁଁ ସରକାରୀ ନିୟମ ଅନୁସାରେ ଉକ୍ତ ବିଦ୍ୟାଳୟଟି ବନ୍ଦ ହୋଇଯାଇଛି, ଯା’ ଫଳରେ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିରିମୁହାଣ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରିଆସୁଛନ୍ତି । ଏହି ବିଦ୍ୟାଳୟ ଉପରେ ବିରିମୁହାଣ, ଆନ୍ଦିଝରନ ସମେତ ପାଖରେଥିବା ଅନେକ ଗାଁର ଛାତ୍ରଛାତ୍ରୀ ନିର୍ଭର କରିଆସୁଛନ୍ତି । ବିଶେଷ କରି ବିଦ୍ୟାଳୟରେ ଶ୍ରେଣୀଗୃହର ନିତାନ୍ତ ଆବଶ୍ୟକ ହୋଇଥିବାବେଳେ ଆବଶ୍ୟକ ମୁତାବକ ଶିକ୍ଷକ ମଧ୍ୟ ଯୋଗାଇ ଦେବାପାଇଁ ଅବିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଦାବୀ କରିଛନ୍ତି ।

ଏନେଇ କୋକସରା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝୀଙ୍କୁ ପଚାରିବାରୁ ବିଦ୍ୟଳୟରେ ଛାତ୍ରଛାତ୍ରୀ ଅନୁପାତରେ ଆବଶ୍ୟକ ମୁତାବକ ଶିକ୍ଷକ ଅଛନ୍ତି ଓ ଶ୍ରେଣୀ କୋଠରୀ ବିଷୟରେ ପଂଚାୟତ ବିଭାଗକୁ ଦିଆଯାଇଥିବା ହେତୁ ଶିକ୍ଷା ବିଭାଗ ଦ୍ୱାରା କୌଣସି ସମାଧାନ କରାଯାଇ ପାରୁନାହିଁ ତେଣୁ ଆମେ ପଂଚାୟତ ବିଭାଗକୁ ଜଣାଇଦେବୁ ବୋଲି କହିଥିଲେ । ସେହିପରି ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀଙ୍କୁ ପଚାରିବାରୁ ନିଶ୍ଚିତ ଭାବରେ ଏହା ଏକ ଦୁଃଖଦ ବିଷୟ, ଏହାର ଆଶୁ ସମାଧାନ ପାଇଁ ମୁଁ ଉଚ୍ଚ ସ୍ତରୀୟ ଅଫିସରଙ୍କୁ ଜଣାଇ କିଭଲି ଭାବରେ ସମସ୍ୟାର ସମାଧାନ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ପ୍ରକାଶ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଜଗଦିଶ ଚନ୍ଦ୍ର ନାଏକଙ୍କ ସହ କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

 

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.