ପରଲୋକରେ ପ୍ରଖ୍ୟାତ ଅଭିନେତା ତଥା ନିର୍ଦ୍ଦେଶକ ପରମାନନ୍ଦ ସାହୁ

ବାଲେଶ୍ଵର,୩୦/୧୧(କୃଷ୍ଣ କୁମାର ମହାନ୍ତି): ଦୂରଦର୍ଶନର ଜଣେ ଖ୍ୟାତନାମା କଳାକାର, ବାଲେଶ୍ଵର ନାଟ୍ୟଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ଵ ପରମାନନ୍ଦ ସାହୁଙ୍କର ଆଜି ସକାଳ ୯ଟା ୧୫ ମିନିଟ୍ ସମୟରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ସମଗ୍ର ସହରରେ ଶୋକର ଛାୟା ଖେଳାଇ ଦେଇଛି। ସ୍ଵର୍ଗତ ସାହୁ ଜଣେ ଅସମ୍ଭବ ପ୍ରତିଭାଧାରୀ କଳାକାର ଥିଲେ।

Omkar Vasthu
Omkar Vasthu

ଦୀର୍ଘ ଦିନ ଧରି ସେ ଶଯ୍ୟାଶାୟୀ ରହିବା ସହ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ଆଜି ସକାଳେ ବାଲେଶ୍ଵର ସହରର ମାକଲପୁର ସ୍ଥିତ ନାଥପାଣି ଶିବ ମନ୍ଦିର ନିକଟସ୍ଥ ତାଙ୍କ ନିଜ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କର ୬୦ ବର୍ଷ ବୟସ୍କା ସହଧର୍ମିଣୀ ବାସନ୍ତୀଲତା ସାହୁ ଓ ଜଣେ ଝିଅ ସୁସ୍ମିତା, ଦୁଇ ପୁଅ ଆକାଶପ୍ରଦୀପ, ଜୀବନପ୍ରଦୀପ ଅଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

୩୧ ଜୁଲାଇ ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ଵର୍ଗତ ସାହୁ ଫକୀରମୋହନ କଲେଜରୁ ବଡବାବୁ ଭାବେ ଅବସର ଗ୍ରହଣ କରିଥିଲେ। ମଞ୍ଚ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଭାବରେ ସେ ଥିଲେ ଜଣେ ଅଙ୍ଗୀକାରବଦ୍ଧ କଳାକାର। ଦୂରଦର୍ଶନର ଜଣେ ସଫଳ ଅଭିନେତା ଭାବେ ସେ ସ୍ଵୀକୃତ। ବିଶେଷ କରି ଭୁବନେଶ୍ୱର ଦୂରଦର୍ଶନ ପ୍ରସ୍ତୁତ ମେଗା ସିରିଏଲ୍ ‘ତୁଳସୀ’ରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣି ପାରିଥିଲା। ଏହାପରେ ସେ ‘ଅପା’ ସିରିଏଲ୍ ରେ ମଧ୍ୟ ଅଭିନୟ କରି ସୁନାମ ଅର୍ଜନ କରିଥିଲେ। ଏହାବ୍ୟତୀତ, ସାଧୁ ମେହେର ନିର୍ଦ୍ଦେଶିତ ବଙ୍ଗଳା ସିରିଏଲ୍ ‘ ବିଦେଶିନୀ ବଧୂ’ରେ ମଧ୍ୟ ସେ ଅଭିନୟ କରିଥିଲେ।

୨୦୦ରୁ ଅଧିକ ନାଟକରେ ଅଭିନୟ ଏବଂ ୧୦୦ରୁ ଅଧିକ ନାଟକରେ ଅଭିନୟ କରିଥିବା ପରମାନନ୍ଦ ଆଶା, ସୁଭଦ୍ରା, ସାମ୍ନାରେ ଜଗନ୍ନାଥ, ପରିଚୟ ଭଳି ଟେଲି-ଡ୍ରାମାରେ ଅଭିନୟ କରି ନିଜର ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ। ସେ ଆକାଶବାଣୀର ଏବଂ ଭାରତ ସରକାରଙ୍କ ସଂଗୀତ ଓ ନାଟକ ପ୍ରଭାଗର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର ଥିଲେ।

“ପରମାନନ୍ଦ ବାବୁ ଜଣେ ପରିପୂର୍ଣ୍ଣ ବ୍ୟକ୍ତିତ୍ଵ ଥିଲେ। ମୁଁ ପିଲାଟି ଦିନରୁ ତାଙ୍କ ନାଟକ ଦେଖି ଆସିଛି। ଅଭିନୟ ହେଉ କି ନିର୍ଦ୍ଦେଶନା, ସବୁଥିରେ ଏକ ଜୀବନ୍ତ ବାସ୍ନା ଭରିଦେବାର କ୍ଷମତା ତାଙ୍କ ପାଖରେ ଥିଲା। ମୋ ଝିଅ କ୍ରିଷ୍ଣା ତାଙ୍କର ‘ଆଶା’ ଟେଲିନାଟକରେ ଅଭିନୟ କରିବା ବେଳେ ପରମାନନ୍ଦ ବାବୁଙ୍କ ଚମତ୍କାର ଅଭିନୟ ମୁଁ ଦେଖିଛି। ସେପରି ଜଣେ ବ୍ୟକ୍ତି ଙ୍କୁ ହରାଇ ମୁଁ ମର୍ମାହତ” ବୋଲି କବି ଶ୍ରୀଦେବ ପ୍ରକାଶ କରିଛନ୍ତି।

ସେହିପରି ନିଜ ଶୋକବାର୍ତ୍ତାରେ ‘ସମ୍ବାଦ’ର ଡିଜିଏମ୍ ଗୌତମବୁଦ୍ଧ ଦାସ କହିଛନ୍ତି, “ପରମାନନ୍ଦ ବାବୁଙ୍କୁ ମୁଁ କଲେଜ୍ ପଢା ସମୟରୁ ଜାଣିଛି। କଲେଜ୍ ଡ୍ରାମାରେ ତାଙ୍କ ଜୀବନ୍ତ ଅଭିନୟ ଦେଖି ଅଭିଭୂତ ହୋଇଛି। କଟକ ଭୁବନେଶ୍ଵର ରେ ଥିଲେ ସେ ଚଳଚ୍ଚିତ୍ର ଓ ଧାରାବାହିକ ଦୁନିଆରେ ଜଣେ ଖ୍ୟାତନାମା ଅଭିନେତାର ମର୍ଯ୍ୟାଦା ପାଇ ପାରିଥାନ୍ତେ। ତଥାପି ବାଲେଶ୍ଵରର ନାଟ୍ୟ ପ୍ରେମୀଙ୍କ ନିକଟରେ ସେ ଜଣେ ଅନନ୍ୟ ଅଭିନେତା ଭାବେ ପରିଚିତ। ତାଙ୍କ ବିୟୋଗ ବାଲେଶ୍ଵରର ଅଭିନୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।”

ଚକ୍ଷୁ ଚିକିତ୍ସକ ଥିବା ତାଙ୍କ ପୁଅ ପହଞ୍ଚିବା ପରେ ଆଜି ରାତିରଜ ଛତୁଆଘାଟ ଶ୍ମଶାନରେ ତାଙ୍କର ଦାହସଂସ୍କାର ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ।


ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.