ହକି ଖେଳ ସହ ନିଆରା ଢଙ୍ଗରେ ଆରମ୍ଭ ହେଲା ଦାମୋଦର ଉଚ୍ଚ ବିଦ୍ୟାଳୟ ତୁଳାପଡାର ବାର୍ଷିକ କ୍ରୀଡା ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୁରୁଷ ହକି ବିଶ୍ବ କପକୁ ନେଇ ଓଡ଼ିଶାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ପ୍ରକାଶ ପାଇଛି। ଏନେଇ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଳାପଡା ସ୍ଥିତ ଦାମୋଦର ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ଉତ୍ସବର ଉଦଘାଟନୀ ଉତ୍ସବ ହକି ଖେଳ ସହ ନିଆରା ଢଙ୍ଗରେ ଶୁଭାରମ୍ଭ ହୋଇଯାଇଛି। ୧୬ ତାରିଖ ଓ ୧୭ ତାରିଖ ଦୁଇଦିନ ଧରି ଆୟୋଜିତ ଏହି ବାର୍ଷିକ କ୍ରୀଡାର ପ୍ରାରମ୍ଭରେ ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ତୁଳାପଡାର ଆରାଧ୍ୟ ଦେବୀ ମାଁ ପାଝରାଣୀଙ୍କ ପୂଜାର୍ଚ୍ଚନା କରି ବିରାଟ ପଟୁଆରେ ମଶାଲ ଧରି ନଗର ପରିକ୍ରମା କରିଥିଲେ। ଏହାପରେ ଖେଳ ପଡିଆରେ ପହଞ୍ଚି ଏକତ୍ରିତ ହେବାପରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନୀ ପତାକା ଉତ୍ତୋଳନ କରି କ୍ରୀଡାର ଶୁଭାରମ୍ଭ କରିଥିଲେ। ଦାମୋଦର ଉଚ୍ଚ ବିଦ୍ୟାଳୟ ତୁଳାପଡାର କ୍ରୀଡା ଶିକ୍ଷକ ସନ୍ତୋଷାନନ୍ଦ ନାୟକଙ୍କ ତତ୍ତ୍ବାବଧାନରେ କ୍ରୀଡା ଶିକ୍ଷକ ନାରାୟଣ ପଧାନ (୧), ନାରାୟଣ ପଧାନ (୨), ସୁରେଶ ନାୟକ, ଶରତ ନାୟକ ଓ ଧୃବ ନାଗ ପ୍ରମୂଖ କ୍ରୀଡା ପରିଚାଳନା କରିଥିଲେ । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଜାନୀ, ସମ୍ମାନିତ ଅତିଥି ଭାବରେ ତୁଳାପଡା ସରପଞ୍ଚ ମଲ୍ଲିହାର ପଧାନ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଅଞ୍ଜଳି ପଧାନ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସର୍ବ ପ୍ରଥମେ ହକି ଖେଳ ଅନୁଷ୍ଠିତ ହୋଇଥିଲା। ଏହାପରେ ୧୦୦, ୨୦୦, ୪୦୦, ୬୦୦ ମିଟର ଦୌଡ ପ୍ରତିଯୋଗୀତା ସହ ଫୁଟବଲ୍, ଭଲିବଲ୍, ଚୌକିବସା, ସଟଫୁଟ, ଡିସକସ୍ ଥ୍ରୋ ଆଦି ଖେଳ ଅନୁଷ୍ଠିତ ହେବ ଏବଂ ଶନିବାର ଏହା ଉଦଜାପିତ ହେବ ବୋଲି କ୍ରିଡ଼ା ପରିଚାଳକ ସନ୍ତୋଷାନନ୍ଦ ନାୟକ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.