ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ବନମଣ୍ଡଳ ସମସ୍ତ ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ମାନେ ବଡ଼ମାଳ ଠାରେ ପୂର୍ଵତନ ସାଂସଦ ତଥା ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ତଥା ଡଃ ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯେ କେନ୍ଦୁପତ୍ର କର୍ମଚାରୀ ମାନଙ୍କୁ ସରକାର ୧୯୭୩ ମସିହା ଜାତୀୟ କରଣ ହେବା ଠାରୁ ଆଜି ପର୍ଯ୍ୟନ୍ତ ଖଟାଇ ଆସିଛନ୍ତି। ଗତ ୨୦୨୨ ଶସ୍ୟ ବର୍ଷରେ ଅସ୍ଥାୟୀ ସିଜିନାଳ କର୍ମଚାରୀ ଓ ତୋଳାଳୀ ଗରିବ ଖଟିଖିଆ କଠିନ ପରିଶ୍ରମ କରି ରାଜ୍ୟ କୋଷକୁ ୫୨୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଲାଭାଂଶ ଦେଇଛନ୍ତି। ପୂର୍ବତନ ପିସିସିଏଫ୍ ମହାଶୟ ମାନେ ସର୍କଳ ଚେକର, ବାଇଣ୍ଡିଙ୍ଗ୍ ଚେକର୍, ଚେକର, ମୁନସୀ ଓ ଚପରାସି ମାନଙ୍କ କାର୍ଯ୍ୟ ଦିବସ ବୃଦ୍ଧି ପାଇଁ ସରକାରଙ୍କୁ ଜଣାଇଛନ୍ତି। ଯେହେତୁ ଜଙ୍ଗଲ ବିଭାଗରେ ଅନେକ କାମ ରହିଛି କେନ୍ଦୁପତ୍ର କାମ ସରିଗଲା ପରେ ଜଙ୍ଗଲ ବିଭାଗରେ କାମ ଦେବା ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ସରକାର ଏହି କର୍ମଚାରୀ ଓ ତୋଳାଳୀଙ୍କ ପ୍ରତି ବୈମାତୃକ ମନୋଭାବ କରୁଥିବା ଦେଖିବାକୁ ମିଳିଛି। ତେଣୁ ସରକାର ତୁରନ୍ତ ଦୃଷ୍ଟି ଆକର୍ଷଣ କରିବା ସହ ଜଣେ କର୍ମଚାରୀ ବର୍ଷ ସାରା କିପରି କାମ ପାଇବ ସେ ବିଷୟ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। କେନ୍ଦୁପତ୍ର ସିଜିନାଳ କର୍ମଚାରୀ, ସର୍କଳ ଚେକର, ବାଇଣ୍ଡିଙ୍ଗ୍ ଚେକର୍ ମାନଙ୍କୁ ୮ ମାସ ରୁ ୧୨ ମାସ, ଚେକର , ମୁନସୀ ଓ ଚପରାସି ମାନଙ୍କୁ ୩ ମାସ ରୁ ୬ ମାସକୁ ବୃଦ୍ଧି, ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଉ ଏବଂ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପଦୋନ୍ନତି କରାଯାଉ ଏହି ପରି ଦାବି ଗୁଡ଼ିକ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ସଇଁତଲା ରେଞ୍ଜ ସଭାପତି ପ୍ରଶାନ୍ତ ମେହେର, ଜିଲ୍ଲା ଚାଷୀ ମୂଲିଆ ସଂଘର ସଭାପତି ପ୍ରେମାନନ୍ଦ ଭୋଇ, ଆଦିକନ୍ଦ ଭୋଇ, ନାରଦ ବିଶି, କାମଧର ସାହୁ, ଅରବିନ୍ଦ ସାହୁ, ଅଦିତ୍ୟ ସାହୁ, ରୋହିତ ସାହୁ, ସହଦେବ ସାହୁ, ରଞ୍ଜିତ ସାହୁ, ପ୍ରେମାନନ୍ଦ ଭୋଇ ଓ କେନ୍ଦୁପତ୍ର ଓ ତୋଳାଳୀ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।