ବ୍ରିଜଭୂଷଣଙ୍କୁ କାହିଁକି ସୁରକ୍ଷା ଦେଉଛି ମୋଦୀ ସରକାର -କେଜ୍ରିଓ୍ୱାଲ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପରେ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀ ଜନ୍ତରମନ୍ତରେ ଭେଟିଛନ୍ତି। ନିଜ ସରକାରୀ ବାସଭବନ ନବୀକରଣ କରିବାକୁ ଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ମାମଲା ସାମ୍ନାକୁ ଆସିବା ପରେ ପ୍ରଥମ ଥର ପାଇଁ ମିଡିଆ ସାମ୍ନାକୁ ଆସି କେନ୍ଦ୍ର ସରକାର ବିରୋଧରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ରେସଲର ସଂଘର ସଭାପତି ବ୍ରିଜଭୂଷଣଙ୍କୁ କେନ୍ଦ୍ରର ମୋଦୀ ସରକାର କାହିଁକୁ ସୁରକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ବ୍ରିଜଭୂଷଣଙ୍କ ବିରୋଧରେ ଦୁଇଟି ଏତଲା ଦାୟର ହୋଇଛି। ଏହାପରେ ବ୍ରିଜଭୂଷଣଙ୍କ ଗିରଫ ଦାବି କରିବା ସହ ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି ଧାରଣାରତ କୁସ୍ତିଯୋଦ୍ଧା। ଯାହାକୁ ଆଜି ପ୍ରେସମିଟ୍ କରି ଖାରଜ କରିଛନ୍ତି ବ୍ରିଜଭୂଷଣ। ସେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହିତ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସାମ୍ନା କରିବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ଗୌରବାନ୍ୱିତ କରିଛନ୍ତି ଏହି କ୍ରୀଡ଼ାବିତ୍। କିନ୍ତୁ ସପ୍ତାହେ ହେବ ସେମାନେ ଜନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି, କାହିଁକି? କାରଣ ଜଣେ ବଡ଼ ରାଜନେତା ମହିଳା ଏବଂ ଦେଶକୁ ଗର୍ବିତ କରିଥିବା ଆମ ଭଉଣୀମାନଙ୍କ ପ୍ରତି ଅପମାନ କରିବେ ବୋଲି କେଜ୍ରିଓ୍ୱାଲ ଜନ୍ତରମନ୍ତରରେ ମଲ୍ଲଯୋଦ୍ଧାଙ୍କୁ ଭେଟିବା ପରେ କହିଛନ୍ତି। ଏହି ଦେଶକୁ ଭଲ ପାଉଥିବା ପ୍ରତ୍ୟେକ ନାଗରିକ କୁସ୍ତିଯୋଦ୍ଧାଙ୍କ ସହ ଛିଡା ହୋଇ ସମର୍ଥନ କରିବା ଆବଶ୍ଯକ ବୋଲି କେଜ୍ରିଓ୍ୱାଲ କହିଛନ୍ତି। ଦେଶ ପାଇଁ ଗୌରବ ଆଣିଥିବା ଏହି ମହିଳା ଖେଳାଳିମାନେ ହେଉଛନ୍ତି ଆମ ଝିଅ, ସେମାନଙ୍କୁ ନ୍ୟାୟ ମିଳିବା ଦରକାର। ଅଭିଯୁକ୍ତ ଯେତେ ଶକ୍ତିଶାଳୀ ହେଉନା କାହିଁକି ତାଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବା ଉଚିତ ବୋଲି କେଜ୍ରିଓ୍ୱାଲ ଟୁଇଟ୍ କରିଛନ୍ତି। ଆନ୍ଦୋଳନରତ ଏହି କୁସ୍ତିଯୋଦ୍ଧାଙ୍କୁ ଅନେକ ବିରୋଧୀ ଦଳର ନେତା ଭେଟି ସମର୍ଥନ ଜଣାଇସାରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.