ବିକାଶର ମାପଦଣ୍ଡରେ ଓଡିଶାର ପଞ୍ଚାୟତିରାଜ ସଂସ୍ଥାମାନେ ଦେଶର ପଥ ପ୍ରଦର୍ଶକ ହୋଇଛନ୍ତି –ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର : ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଆଜି ଲୋକସେବା ଭବନର କନ୍‌ଭେସନ୍ ହଲ୍ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁ ପଞ୍ଚାୟତିରାଜ ଅନୁଷ୍ଠାନ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବ ତାକୁ ରାଜ୍ୟ ସରକାର, କେନ୍ଦ୍ର ସରକାର ଦେଉଥିବା ପୁରସ୍କାରର ୬ ଗୁଣ ଅର୍ଥ ରାଶି ପୁରସ୍କାର ଭାବରେ ଦିଆଯିବ । ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନକୁ ୩ ଗୁଣ ଓ ତୃତୀୟ ସ୍ଥାନ ପାଇଥିବା ଅନୁଷ୍ଠାନକୁ ୨ ଗୁଣ ଆର୍ଥିକ ପୁରସ୍କାର ଦିଆଯିବ । ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ମଧ୍ୟରେ ବିକାଶ ପାଇଁ ଏକ ସୁସ୍ଥ ପ୍ରତିଯୋଗିତା ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Omkar Vasthu
Omkar Vasthu

ଏହି ଘୋଷଣା ଅନୁଯାୟୀ ଜାତୀୟ ସ୍ତରରେ ପ୍ରଥମ ହୋଇଥିବା ଗଞ୍ଜାମ ଜିଲ୍ଲା ପରିଷଦକୁ ୩୦ କୋଟି ଟଙ୍କା, ପ୍ରଥମ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ୧୨ କୋଟି ଟଙ୍କା ପୁରସ୍କାର ଦିଆଯାଇଥିଲା । ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର କାଞ୍ଚୁରୁ ପଞ୍ଚାୟତ, ଭଞ୍ଜନଗର ବ୍ଲକର କୁଲଦା ପଞ୍ଚାୟତ, ହିଞ୍ଜିଳିକାଟୁର ଶାସନ ଆମ୍ବଗାଁ ଓ ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତକୁ ୨ କୋଟି ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଥିଲା । ତୃତୀୟ ସ୍ଥାନ ହାସଲ କରିଥିବା ସୁନ୍ଦରଗଡ ବଣାଇ ବ୍ଲକର ବଣାଇଗଡ ପଞ୍ଚାୟତକୁ ୧ କୋଟି ଟଙ୍କା ପୁରସ୍କାର ଦିଆଯାଇଥିଲା । ସମୁଦାୟ ୭ଟି ପଞ୍ଚାୟତିରାଜ ଅନୁଷ୍ଠାନକୁ ୫୨ କୋଟି ଟଙ୍କାର ପୁରସ୍କାର ଦିଆଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

ପୁରସ୍କୃତ ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ସଂସ୍ଥା ମାନଙ୍କୁ “ଗାଁ’ର ସରକାର” ବୋଲି ଅଭିହିତ କରି ସ୍ବାଗତ ଜଣାଇଥିଲେ। ସେ କହିଲେ ଯେ ଆମ କାମ ହେଉଛି ଆମର ପରିଚୟ । ଆଜି ବିକାଶର ବିଭିନ୍ନ ମାପଦଣ୍ଡରେ ଓଡିଶାର ପଞ୍ଚାୟତିରାଜ ଅନୁଷ୍ଠାନମାନେ ଆଜି ସାରା ଦେଶର ପଥ ପଦର୍ଶକ ହୋଇଛନ୍ତି । ଲୋକଙ୍କ ଆସ୍ଥା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ସଂସ୍ଥା ମାନଙ୍କୁ ପରାମର୍ଶ ଦେଇଥିଲେ ।

Udyog Nursery
Udyogi Nursery

ଗତ ୨୩ ବର୍ଷ ଧରି ତାଙ୍କ ସରକାର ଓଡିଶାବାସୀଙ୍କ ସେବା କରିଆସୁଛି । ୫-ଟି କାର୍ଯ୍ୟକ୍ରମରେ ରୂପାନ୍ତର ଆସିଛି । ମିଶନ ଶକ୍ତି, ସ୍କୁଲ ରୂପାନ୍ତର, ଐତିହ୍ୟ ସ୍ଥାନର ରୂପାନ୍ତର, କ୍ରୀଡା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପରି ଯୋଜନା ବିକାଶର ହଲ୍‌ମାର୍କ ହୋଇଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ପଞ୍ଚାୟତିରାଜ ସଂସ୍ଥା ମାନଙ୍କର ସଫଳତା ଏଥିରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡିଛି । ଏ ଅବସରରେ ପଞ୍ଚାୟତ ସଂସ୍ଥା ମାନଙ୍କର ସଫଳତାକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ କେତକ ନୂଆ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ୨ ଟି ପଞ୍ଚାୟତ ଚିହ୍ନଟ କରାଯାଇ ୬୦ ଟି Panchayat Learning Center ସ୍ଥାପନ କରାଯିବ । ଏକ ଜ୍ଞାନ ସମ୍ବଳ କେନ୍ଦ୍ର ଭାବେ ଏହା ପଞ୍ଚାୟତ ଅନୁଷ୍ଠାନ ମାନଙ୍କର ଦକ୍ଷତା ବୃଦ୍ଧିରେ ସାହଯ୍ୟ କରିବ । ପଞ୍ଚାୟତ ମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ଲକ୍ଷ ନେଇ Local Champion Training Programme କରାଯିବ। ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଦ୍ୱାରା ଏହା କରାଯିବ । ଅନୁସୂଚିତ ଅଞ୍ଚଳର ୭୦ ଟି ବ୍ଲକରେ Satellite Interactive Terminal ସ୍ଥାପନ କରାଯାଇ ଦୂର ଶିକ୍ଷା ଯୋଗାଯୋଗ ବ୍ୟବସ୍ଥା କରାଯିବ । ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ (SIRD) ରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବ । ଏଥିରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ, ୨୫୦ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷ ଓ Satellite based Studio ସ୍ଥାପନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ Odisha Society for Social Audit, Accountability and Transparency ସଂସ୍ଥାର ଏକ website ଏବଂ ଆମ ପଞ୍ଚାୟତ ସେବା ପୋର୍ଟାଲର ଶୁଭାରମ୍ଭ କରିଥିଲେ । ପଞ୍ଚାୟତମାନଙ୍କ କାମରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଏହି ପୋର୍ଟାଲ ସହାୟକ ହେବ ।

ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଓଡିଶାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀମତୀ ଅଞ୍ଜଳି ସ୍ବାଇଁ, ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା, ହିଞ୍ଜିଳି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସରସ୍ବତୀ ସେଠୀ ଏବଂ ସୁନ୍ଦରଗଡ ବଣାଇଗଡ ପଞ୍ଚାୟତର ସରପଞ୍ଚ ନମିତା ନାଗ ପ୍ରମୁଖ ନିଜର ଅଭିଜ୍ଞତା ବର୍ଣ୍ଣନା କରି ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନର ପ୍ରଶଂସା କରିଥିଲେ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ ଯେ ରାଜ୍ୟ ଯେଉଁ ସୁନାମ ଆଣିଛି, ତାହା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ। ସଶକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ସୁଶିଲ କୁମାର ଲୋହାନୀ ସ୍ୱାଗତ ଭାଷଣ ଦେଇଥିଲେ । ପାନୀୟ ଜଳ ନିର୍ଦ୍ଦେଶକ ଶ୍ରୀ ବି. ପରମେଶ୍ବରନ ଧନ୍ୟବାଦ ଅର୍ପଣ କରିଥିଲେ ।

ପୁରସ୍କାର –

• ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲା ପରିଷଦକୁ ୩୦ କୋଟି ଟଙ୍କା

• ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ୧୨ କୋଟି ଟଙ୍କା

• ସ୍ବାସ୍ଥ୍ୟ ପାଇଁ ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ବ୍ଲକ୍‌ର କାଞ୍ଚୁରୁ ପଞ୍ଚାୟତକୁ ୨.୨୫ କୋଟି ଟଙ୍କା

• ସ୍ବଚ୍ଛ ଓ ସବୁଜ ପଞ୍ଚାୟତ ଭାବରେ ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ବ୍ଲକ୍‌ର ଶାସନ ଆମ୍ବଗାଁ ପଞ୍ଚାୟତକୁ ୨.୨୫ କୋଟି ଟଙ୍କା

• ସାମାଜିକ ସୁରକ୍ଷା କ୍ଷେତ୍ରରେ ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଭଂଜନଗର ବ୍ଲକ୍‌ର କୁଲଦା ପଞ୍ଚାୟତକୁ ୨.୨୫ କୋଟି ଟଙ୍କା

• କାରବନ ନ୍ୟୁଟ୍ରାଲ ପଞ୍ଚାୟତ ଭାବରେ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିବା ବଣାଇ ବ୍ଲକ୍‌ର ବଣାଇଗଡ ପଞ୍ଚାୟତକୁ ଏକ କୋଟି ଟଙ୍କା

• ଗ୍ରାମ ଉର୍ଜ୍ଜା ସ୍ବରାଜ ପଞ୍ଚାୟତ ଭାବରେ ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପାତ୍ରପୁର ବ୍ଲକ୍‌ର ଆଙ୍କୁଲି ପଞ୍ଚାୟତକୁ ୨.୨୫ କୋଟି ଟଙ୍କା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.