ଶକ୍ତି ଉପାସନା ଓ ମା’ ମାଣିକେଶ୍ଵରୀ

✒️ଜୟନ୍ତ କୁମାର ବେହେରା

ଶ୍ରୀଚଣ୍ଡି ପୁରାଣରେ ବର୍ଣ୍ଣିତ ଶ୍ରୀଚଣ୍ଡି ମହାଲକ୍ଷ୍ମୀ ହିଁ ମହିଷାମର୍ଦ୍ଦିନୀ ଦୁର୍ଗା ରୂପେ ଯୁଗେଯୁଗେ ଶାରଦୀୟ ନବରାତ୍ରି ଅବସରରେ ଉପାସିତା ହୋଇଆସୁଛନ୍ତି । ମା’ ସରସ୍ଵତୀ ହେଉଛନ୍ତି ମହାମାୟାଙ୍କର ଜ୍ଞାନଶକ୍ତିର ପ୍ରତୀକ । ଦେବତାଙ୍କୁ ସ୍ମୃତିଫଳରେ ସେ ପାର୍ବତୀଙ୍କ ଦେହରୁ ଆବିର୍ଭୂତା ହୋଇଥିଲେ । ସେ ହେଉଛନ୍ତି ମହାଶକ୍ତି, ଶ୍ରୀଚଣ୍ଡି, ମହାମାୟା । ଭାରତବର୍ଷରେ ଭକ୍ତମାନେ ପଲ୍ଲୀ, ସହର, ନଗର ଓ ମହାନଗରମାନଙ୍କରେ ଶାରଦୀୟ ଦୁର୍ଗାପୂଜା ସମୟରେ ସେହି ମହାଶକ୍ତିଙ୍କୁ ଅତି ନିଷ୍ଠାର ସହିତ ଉପାସନା କରିଥାନ୍ତି । ଶାସ୍ତ୍ରାନୁଯାୟୀ ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ଏକାଦଶୀ ପର୍ଯ୍ୟନ୍ତ ଚାରିମାସ ସକଳ ଦେବାଦେବୀ ଶୟନ କରିଥାନ୍ତି ଏବଂ ଏହି ଦେବାଦେବୀ ଶୟନ କାଳରେ କୌଣସି ଶୁଭକାର୍ଯ୍ୟ ହୋଇନଥାଏ । ଏହି ସମୟରେ ମଧ୍ୟ ମା’ ଜଗତ୍‌ଜନନୀ ଦୁର୍ଗା ମଧ୍ଯ ଶୟନ କରିଥାନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ର ଶରତ କାଳରେ ଅର୍ଥାତ୍ ଅକାଳରେ ଦେବୀଙ୍କୁ ଜାଗ୍ରତ କରାଇ ବିଶେଷ ପୂଜାର୍ଚ୍ଚନା କରିଥିଲେ । ଏହା ଅକାଳବୋଧକ ନାମରେ ଖ୍ୟାତ । ରାମକୃଷ୍ଣ ପରମହଂସ, ସ୍ଵାମୀ ବିବେକାନନ୍ଦ, ମହଯୋଗୀ ଶ୍ରୀଅରବିନ୍ଦଙ୍କ ଭଳି ସିଦ୍ଧ ସାଧକମାନେ ଏହି ଶକ୍ତି ରହସ୍ୟ ଭିତରେ ଦାର୍ଶନିକ ବ୍ୟାଖ୍ୟା ଉଲ୍ଲେଖ କରିଥିବା ଜଣାଯାଏ । ଭାରତର ବିଭିନ୍ନ ସ୍ଥାନରେ ଏହି ମହାଶକ୍ତିଙ୍କୁ ଅମ୍ବା, କାମାକ୍ଷା, ବୈଷ୍ଣୋଦେବୀ, ଭୈରବୀ, ଭବାନୀ, କାଳୀ, ତାରା କିମ୍ବା ଦୁର୍ଗା ରୂପରେ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିଆସୁଛନ୍ତି । ଓଡ଼ିଶାରେ ଏହି ମହାଶକ୍ତିଙ୍କୁ ବିରଜା, ବିମଳା, ଚର୍ଚ୍ଚିକା, ମଙ୍ଗଳା, ଭୁବନେଶ୍ଵରୀ, ଚଣ୍ଡି, ତାରିଣୀ, ଭଗବତୀ, ନାରାୟଣୀ, ସମଲେଶ୍ଵରୀ, ତାରାତାରିଣୀ, କୀଚକେଶ୍ୱରୀ, ମାଣିକେଶ୍ଵରୀ, ଲଙ୍କେଶ୍ଵରୀ କିମ୍ବା ହରଚଣ୍ଡୀ, ଶ୍ୟାମାକାଳୀ, ଦକ୍ଷିଣକାଳୀ ଅଥବା ସାର୍ବଜନୀନ ବନଦୁର୍ଗା ରୂପେ ଉପାସନା କରିଆସୁଛନ୍ତି । ମୂଳାଷ୍ଟମୀ ଠାରୁ ଦୁର୍ଗାଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନରେ ଷୋହଳ ପୂଜାର ବିଧାନ ରହିଛି । ଦେବୀପୀଠ ମାନଙ୍କରେ ଏହି ଷୋହଳ ଦିନରେ ଷୋହଳ ପୂଜା ଉପାସନା ପଦ୍ଧତି କେତେ ଆବହନମାନ କାଳରୁ ଚାଲିଆସୁଅଛି ।

କଳାହାଣ୍ଡି ଅଞ୍ଚଳ ଦଶମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ସୋମବଂଶୀ କାଳଚୁରୀ, ଚିନ୍ଦକ ନାଗ, ଗଙ୍ଗ ଓ ଚୋଳ ପ୍ରଭୃତି ରାଜାମାନଙ୍କ ଶାସନାଧିନ ଥିଲା । ଏହି ମଧ୍ଯରେ ଅଶାନ୍ତିକର ଓ ଦୁଃଖଦମୟ ସମୟ ଥିଲା । ଏକଦା ଅସୁରଗଡ଼, ବୁଢ଼ୀଗଡ଼, ରାଜପଦର, ଜୁନାଗଡ଼, ବଜ୍ରଗଡ଼ ପ୍ରଭୃତି ନଗର ସଭ୍ୟତାର ପତନ ଘଟିଥିଲା । କଳାହାଣ୍ଡି ତ୍ରିକଳିଙ୍ଗର ଅନ୍ତର୍ଭୁକ୍ତ ଥିଲା । ଅନେକ ରାଜାମାନେ ତାଙ୍କର ପ୍ରଶସ୍ତିରେ ତ୍ରିକଳିଙ୍ଗ ଉପାଧି ପ୍ରୟୋଗ କରୁଥିବା ଐତିହାସିକମାନେ ମତପୋଷଣ କରିଛନ୍ତି । ଯୁଦ୍ଧ ଓ ଅଶାନ୍ତିକର ପରିସ୍ଥିତିରେ ରାଜା ମହାରାଜାମାନେ ମାତୃଶକ୍ତିକୁ ବିଭିନ୍ନ ରୂପରେ ତନ୍ତ୍ରବିଧିରେ ପୂଜାର୍ଚ୍ଚନା ସହ ଦେବୀମାନଙ୍କ ଅସ୍ତ୍ରଶସ୍ତ୍ରର ପୂଜା ଓ ବଳି ପ୍ରଥାର ବହୁଳ ଭାବରେ ପ୍ରଚଳିତ ଥିଲା । ଚିନ୍ଦକ ନାଗବଂଶୀମାନଙ୍କ ଇଷ୍ଟଦେବୀ ଥିଲେ ‘ମାଣିକ୍ୟଦେବୀ’ । ଚିନ୍ଦକ ନାଗବଂଶୀ ରାଜାମାନଙ୍କ ପରେ ଗଙ୍ଗ ରାଜାମାନଙ୍କ ଇଷ୍ଟଦେବୀ ରୂପେ ମାଣିକ୍ୟଦେବୀ ପୂଜା ପାଉଥ‌ିବା ଜଣାଯାଏ । କଳାହାଣ୍ଡିରେ ଦୀର୍ଘଦିନର ଗଙ୍ଗଶାସନ ପରେ ପରେ ନାଗବଂଶ ରାଜତ୍ଵ କରିଥିଲେ ।

କଳାହାଣ୍ଡି ନାଗବଂଶର ଷଷ୍ଠ ରାଜା ହରିଶ୍ଚନ୍ଦ୍ର ଦେଓଙ୍କ ମୃତ୍ୟୁପରେ, ବିଧବା ରାଣୀ ଗର୍ଭବତୀ ଥ‌ିବା ଅବସ୍ଥାରେ ତାଙ୍କ ବାପାଘରକୁ ଚାଲିଯାଇଥିଲେ । ସେଠାରେ ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା । ନାବାଳକ ପୁତ୍ର ରାମଚନ୍ଦ୍ର ଦେଓଙ୍କ ସହ ଗଙ୍ଗବଂଶୀୟ ବାପଘର ‘ଗଦାପୁର’କୁ ଆସି ରହିଥିଲେ । କିଛି ବର୍ଷ ପରେ ରାଣୀ ଓ ପୁଅ ରାମଚନ୍ଦ୍ର ଦେଓ କଳାହାଣ୍ଡିକୁ ଫେରି ଆସିଥିଲେ । କନ୍ଧ ‘ଉମରା’ ଓ ଅନ୍ୟମାନେ ରାଣୀ ଓ ପୁଅଙ୍କୁ ରାଜ୍ୟକୁ ଆଣିବାରେ ସାହାଯ୍ୟ କଲେ । ରାମଚନ୍ଦ୍ର ଦେଓ ମାମୁଁଘରୁ ତାଙ୍କ ଇଷ୍ଟଦେବୀ ମାଣିକ୍ୟଦେବୀଙ୍କୁ ସାଙ୍ଗରେ ନେଇ ଆସିଥିଲେ । ସେ ପରବର୍ତ୍ତୀ କାଳରେ ମାଣିକେଶ୍ଵରୀ ନାମରେ ପରିଚିତା । ଯୁଗସାଏପାଟଣାଠାରେ ରାଜ୍ୟାଭିଷେକ ହୋଇଥିଲେ । ପୁରାତନ ରାଜପ୍ରାସାଦ ଭଗ୍ନାବଶେଷ ଯୁଗସାଏପାଟଣା ଠାରେ ଏବେ ମଧ୍ୟ ଦେଖିବାକୁ ମିଳେ । ରାଜପ୍ରାସାଦର କିଛି ଦୂରରେ ମାଣିକେଶ୍ଵରୀ ମନ୍ଦିର ଅବସ୍ଥିତ ।

କଳାହାଣ୍ଡିର ଆରାଧ୍ୟ ଦେବୀ ହେଉଛନ୍ତି ମା’ ମାଣିକେଶ୍ଵରୀ । କଳାହାଣ୍ଡିର ନାଗବଂଶୀ ରାଜାମାନଙ୍କର ଇଷ୍ଟଦେବୀ ମା’ ମାଣିକେଶ୍ଵରୀ ଦେବୀ । କଳାହାଣ୍ଡି ରାଜଧାନୀ ଭବାନୀପାଟଣାସ୍ଥ ରାଜବାଟି ପରିସରରେ ଏକ ସୁନ୍ଦର ମନ୍ଦିରରେ ପୂଜା ପାଉଛନ୍ତି । ଥୁଆମୂଳ ରାମପୁର ପାର୍ଶ୍ୱସ୍ଥ ଇନ୍ଦ୍ରାବତୀ ନଦୀର ଉଦ୍‌ଗମସ୍ଥଳୀ ମର୍ଡିଗୁଡ଼ା ନିକଟସ୍ଥ ଥୁଆମୂଳ ଠାରେ ମହାଦେବୀ ମା’ ମାଣିକେଶ୍ଵରୀଙ୍କ ଆଦିପୀଠ ଅବସ୍ଥିତ । ଥୁଆମୂଳ ରାମପୁରଠାରେ ଓଡ଼ିଶା ସରକାରଙ୍କ ସହାୟତାରେ ଏକ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ସଂପ୍ରତି ଆଗେଇ ଚାଲିଛି । ଆଦିପୀଠଟି ୧୩୨୪–୧୩୨୫ରେ ଥୁଆମୂଳଠାରେ ପୂଜିତା ହୋଇଥିଲେ ବୋଲି ଶୁଣିବାକୁ ମିଳେ । ଅନ୍ୟ କେତେକ ଐତିହାସିକଙ୍କ ମତରେ ୧୭୯୬-୧୭୯୭ ମଧ୍ୟରେ ମହାରାଜା ପୁରୁଷୋତ୍ତମ ଦେବଙ୍କ ଦ୍ଵାରା ମାଣିକେଶ୍ଵରୀ ଯୁଗସାଏପାଟଣା ଠାରୁ ଆନିତ ହୋଇଥିଲେ । ଦଶହରା ଶୁକ୍ଳପକ୍ଷ ଅଷ୍ଟମୀ ଦିନ ମହାଷ୍ଟମୀ ସନ୍ଧିପୂଜା ପରେ ନବମୀ ପ୍ରାତଃ ସମୟରେ ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଦିପୀଠରୁ ଭବାନୀପାଟଣାକୁ ଆନିତ ହେବାରୁ ସ୍ମୃତିରେ ବୋଧହୁଏ ଏହି ଛତର ଯାତ୍ରା ବୋଲି କେତେକ ଗବେଷକ ମତପୋଷଣ କରନ୍ତି । ଏହାକୁ ବିଜୟ ଛତର ଯାତ୍ରା ମଧ୍ୟ କୁହାଯାଉଛି ।

କଳାହାଣ୍ଡି ଜିଲ୍ଲାର ସର୍ବତ୍ର ଆଶ୍ୱିନ ମାସ ସାରା ଉତ୍ସବ ମୁଖରିତ ହୋଇଥାଏ । ବିଭିନ୍ନ ଗ୍ରାମଦେବୀଙ୍କ ଠାରୁ ଆରମ୍ଭ କରି ସବୁ ଦେବାଦେବୀ ମୁଖ୍ୟତଃ ଭବାନୀପାଟଣା ଓ ଥୁଆମୂଳ ରାମପୁରର ମାଣିକେଶ୍ଵରୀ ପୀଠ, ତାଳଗୁଡ଼ ଓ ମଦନପୁର ରାମପୁର ଡୋକରୀ ପୀଠ ଓ ଜୁନାଗଡ଼ର ଲଙ୍କେଶ୍ଵରୀଙ୍କ ପୀଠ ଠାରେ ଶାରଦୀୟ ଉତ୍ସବ ବିଶେଷ ଭାବେ ପାଳିତ ହୁଏ । ଆମପାଣିସ୍ଥ ବୁଢ଼ାରାଜା ଦେବଙ୍କ ମଧ୍ଯ ଦଶହରା ପର୍ବ ଧୁମ୍‌ଧାମ୍‌ରେ ପାଳିତ ହୁଏ । କଳାହାଣ୍ଡି ନାଗବଂଶୀ ମହାରାଜା ଫତେନାରାୟଣ ଦେବ ମା’ ମାଣିକେଶ୍ଵରୀଙ୍କୁ ପୂଜାର୍ଚ୍ଚନା କରି ଭବାନୀପାଟଣା ରାଜପ୍ରାସାଦ ମଧ୍ଯରେ ସ୍ଥାପନ କରିଥିଲେ । ପରେ ନାଗବଂଶର ଅନ୍ୟତମ ମହାରାଜା ଉଦିତ ପ୍ରତାପ ଦେବ ୧୮୫୪-୮୧ ମସିହା ପର୍ଯ୍ୟନ୍ତ ରାଜତ୍ଵ କରିଥିଲେ ଏବଂ ୧୮୮୦ ମସିହାରେ ମାଣିକେଶ୍ଵରୀ ମନ୍ଦିରର ଭିତ୍ତିଭୂମି ପ୍ରସ୍ତୁତ କଲେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କର ନାତି ମହାରାଜା ବ୍ରଜମୋହନ ଦେଓ ୧୯୧୭-୩୯ ମସିହା ରାଜତ୍ଵ ସମୟରେ ୧୯୩୫ ମସିହାରେ ଏହି ମନ୍ଦିର ପୂର୍ଣ୍ଣାଙ୍ଗ ହୋଇଥିଲା । ଏହି ମନ୍ଦିର ଅଷ୍ଟକୋଣ ତରାକା ନକ୍ସାରେ ନିର୍ମିତ ହୋଇଛି । ମୁଖ୍ୟ ମନ୍ଦିର ଓ ମୁଖଶାଳା ଭିନ୍ନମୂଖୀ । ଏହି ମନ୍ଦିର ପଞ୍ଚାୟତନ ନକ୍ସାରେ ତିଆରି ହୋଇଥିବା ତଥା କୋଶଳୀ ପଦ୍ଧତିରେ ରେଖାମନ୍ଦିର ନକ୍ସାରେ ତିଆରି ହୋଇଛି ବୋଲି ଐତିହାସିକମାନେ ମତ ଦିଅନ୍ତି । ଏହି ମନ୍ଦିର ଦେହରେ ନାଗସାପ ଫଣା ପରି ଗାର ଗାର ହୋଇ ଉଠିଥିବାରୁ କାଳଚୂରୀ ବଂଶର ରାଜାମାନଙ୍କର ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଅନୁସରଣ କରାଯାଇଛି ବୋଲି ଗବେଷକମାନେ ମତ ଦେଇଛନ୍ତି ।

ଏହି ମନ୍ଦିର ସାମ୍ନାରେ ଏକ ସିଂହଦ୍ଵାର ଅଛି ଏବଂ ଦ୍ଵାରରେ ହାତୀ ଉପରେ ବସିଥ‌ିବା ସିଂହମୂର୍ତ୍ତି ଦୁଇଟି ସ୍ଥାପିତ ହୋଇଛି l ତନ୍ତ୍ରବିଦ୍ୟାରେ ଦଶମହାବିଦ୍ୟା ତାନ୍ତ୍ରିକ ଶାସ୍ତ୍ରରେ ଚିତ୍ରମାନ ମଧ୍ୟ ଚିତ୍ରିତ ହୋଇଥିଲା । ମନ୍ଦିର ଚୂଡ଼ାରେ ଅଁଳା, କଳସ ଓ ତ୍ରୀଶୁଳ ଅବସ୍ଥିତ । ଏହି ମନ୍ଦିରର ତିନି ଦିଗରେ ତିନୋଟି ଛୋଟଛୋଟ ମନ୍ଦିର ଅବସ୍ଥିତ ।

ଦଶମହାବିଦ୍ୟାରେ ଦେବୀ କାଳୀ, ତାରା, ଷୋଡ଼ଶୀ, ଛିନ୍ନମସ୍ତା, ଭୁବନେଶ୍ଵରୀ, ବଗଳାମୁଖୀ, ଧୂମାବତୀ, କମଳ, ମାତାଙ୍ଗୀ ଓ ଭୈରବୀ । ମଣ୍ଡପର ଉତ୍ତର ଦ୍ଵାରରେ ଏକ ପାର୍ଶ୍ଵ ମନ୍ଦିରରେ ମହାଭୈରବ ବୁଢ଼ାରାଜା ନାମରେ ପୂଜା ପାଉଛନ୍ତି । ବୁଢ଼ାରଜା ମନ୍ଦିର ବର୍ଷସାରା ବନ୍ଦ ରହେ । କେବଳ ଦଶହରା ମହାଷ୍ଟମୀ ରାତ୍ର ମହାବଳି (ପୋଢ଼ ବଳି) ସମୟରେ ଏହି ମନ୍ଦିରର କବାଟ ଖୋଲାଯାଏ ଏବଂ ଗୁପ୍ତରେ ତାନ୍ତ୍ରିକ ରୀତିରେ ପୂଜାର୍ଚ୍ଚନା କରାଯାଏ । ଗବେଷକ ଉମାଶଙ୍କର କରଙ୍କ ମତରେ, ଏ ଅଞ୍ଚଳରେ ରତ୍ନ ପଥର ଓ ମାଣିକ୍ୟ ପଥର ପ୍ରଚୁର ମିଳୁଥ‌ିବାରୁ ଅଞ୍ଚଳର ମୁଖ୍ୟଦେବୀ ମାଣିକେଶ୍ଵରୀଙ୍କ ନାମକରଣ ହୋଇଥିବା ଜଣାଯାଏ ।

ମା’ ମାଣିକେଶ୍ଵରୀ ଦେବୀଙ୍କ କୌଣସି ପ୍ରତିମା ନାହିଁ । ଯନ୍ତ୍ର ଉପରେ ସ୍ଥାପିତ ଏକ ସ୍ତମ୍ଭ ଉପରେ ଛିଟକନାର ଘୋଡ଼ଣୀ ଏବଂ ଉପରେ ଏକ ମୃଣ୍ମୟ ମସ୍ତକ ସ୍ଥାପିତ । ଆଶ୍ୱିନ ମାସର କୃଷ୍ଣପକ୍ଷ ଅଷ୍ଟମୀ ମୂଳାଷ୍ଟମୀ ତିଥିରେ ମା’ ମାଣିକେଶ୍ଵରୀଙ୍କ ମନ୍ଦିରରେ ମୃଣ୍ମୟ ମସ୍ତକ ସ୍ଥାପନ ପୂର୍ବକ ପ୍ରତିବର୍ଷ ମଧ୍ୟରାତ୍ରରେ ଗୁପ୍ତ ପୂଜା ଅନୁଷ୍ଠିତ ହୋଇଥାଏ । ଏହି ତିଥ‌ିରେ ରାତ୍ରରେ କଞ୍ଚାମାଟିରେ ନିର୍ମିତ ଏକ ମସ୍ତକ ସ୍ଥାପନ କରାଯାଏ । ସୁନା, ରୂପା, ମୋତି, ମାଣିକ୍ୟରେ ମା’ଙ୍କୁ ସୁସଜ୍ଜିତ କରାଯାଇ ମା’ଙ୍କର ଷୋଡ଼ଶ ପୂଜା ଷୋହଳ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ମୂଳାଷ୍ଟମୀ ଠାରୁ ଦୁର୍ଗାଷ୍ଟମୀ ପର୍ଯ୍ୟନ୍ତ ହୋଇଥାଏ । ଏହି ପୂଜାର୍ଚ୍ଚନା ସମୟରେ ପ୍ରତିଦିନ ବଳି ମଧ୍ଯ ପଡ଼ିଥାଏ । ବରାହ, ବୋଦା, ପୋଢ଼ ଆଦି ବଳି ଦିଆଯାଇଥାଏ । ସ୍ତମ୍ଭେଶ୍ୱରୀ ଉପାସନା କଳାହାଣ୍ଡିରେ ପଞ୍ଚମ ଶତାବ୍ଦୀରୁ ପ୍ରଚଳିତ ହୋଇଆସୁଛି । ସେଥ‌ିପାଇଁ କଳାହାଣ୍ଡିର ଅନେକ ସ୍ଥାନରେ ଖମ୍ବେଶ୍ୱରୀ ମନ୍ଦିର ଦେଖିବାକୁ ମିଳେ ।

ମା’ ମାଣିକେଶ୍ଵରୀ ପାର୍ବଣ ବା ଶାରଦୀୟ ଉତ୍ସବର ଶେଷ ପର୍ଯ୍ୟାୟରେ ମହାଷ୍ଟମୀ ମଧ୍ୟରାତ୍ର ସନ୍ଧିପୂଜା ସମାପନ କରି ମନ୍ଦିରର ଉତ୍ତର ଦ୍ଵାରା ନିକଟରେ ଅବସ୍ଥିତ ଭୈରବ ବୁଢ଼ାରଜାଙ୍କ ଠାରେ ପୋଢ଼ବଳି ଦେବା ପରେ ମା’ଙ୍କ ଛତର ସହରର ପଶ୍ଚିମ ଉପଖଣ୍ଡରେ ଥ‌ିବା ଜେନାଖାଲକୁ ନିଶାର୍ଦ୍ଧରେ ନିଆଯାଏ । ଜେନାଖାଲରେ ଗୁପ୍ତରେ ପୂଜାର୍ଚ୍ଚନା କରାଯାଇ ବୋଦାବଳି ଦେବାପରେ ପ୍ରାତଃକାଳରେ ମହାନବମୀ ତିଥିରେ ପ୍ରାୟ ୪ କି.ମି. ପର୍ଯ୍ୟନ୍ତ ରାଜରାସ୍ତାରେ ମା’ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ବା ବିଜୟ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଛତର ଯାତ୍ରାରେ ଘୁମୁରା ନୃତ୍ୟ ଦଳ, ଜେନାବାଦ୍ୟ, ସିଂବଜା, ଘଣ୍ଟଦଳ ଏବଂ ଅନେକ ପ୍ରକାରର ଲୋକବାଦ୍ୟ ସାମିଲ ହୋଇଥାନ୍ତି । ଛତର ଦର୍ଶନ ନିମନ୍ତେ ଲକ୍ଷାଧିକ ଆବାଳ ବୃଦ୍ଧ ବନିତାଙ୍କର ସମାଗମ ହେବା ସହିତ ହଜାର ହଜାର ସଂଖ୍ୟାରେ ରାସ୍ତାର ଦୁଇପାର୍ଶ୍ଵରେ ବଳିଦେବାର ପରମ୍ପରା ଆଜିଯାଏ ପ୍ରଚଳିତ ହୋଇଆସୁଛି । ଫଳରେ ୪ କି.ମି. ପର୍ଯ୍ୟନ୍ତ ରାଜରାସ୍ତା ରକ୍ତରଂଜିତ ହୋଇଥାଏ । ମା’ ମାଣିକେଶ୍ଵରୀ ଛତର ମନ୍ଦିରକୁ ପହଂଚିବା ମାତ୍ରେ ନାଗବଂଶ ରାଜା ନିଜେ ପୂଜାର୍ଚ୍ଚନା କରି ପାଛୋଟି ନିଅନ୍ତି । ବିଜୟାଦଶମୀ ଦିନ ଅପରାହ୍ନରେ ପୁଣିଥରେ ମା’ଙ୍କର ଛତର ମନ୍ଦିରରୁ ବାହାରି ନକଟିଗୁଡ଼ାସ୍ଥ ଆମ୍ବତୋଟା ନିକଟକୁ ଯାଇ ଲାଖବିନ୍ଧା ପାଳନ କରାଯାଇଥାଏ । ଏବେ ଆଉ ସେ ଆମ୍ବତୋଟା ନାହିଁ । ପୂଜାର୍ଚ୍ଚନା ବୋଦାବଳି ପରେ ଲାଖବିନ୍ଧା ଆରମ୍ଭ ହୁଏ । ସୁଉଚ୍ଚ ଆମ୍ବଗଛ ଉପରେ ଲାଖ ଦିଆଯାଇଥ‌ିବା ମାଟିକୁଣ୍ଡିକୁ ବନ୍ଧୁକଧାରୀମାନେ ଲକ୍ଷ୍ୟଭେଦ କରିଥାନ୍ତି । ଏହି ପ୍ରତିଯୋଗିତାକୁ ଲାଖବିନ୍ଧା ପର୍ବ କୁହାଯାଏ । ବିଜେତାଙ୍କୁ ସସମ୍ମାନେ ରାଜପ୍ରାସାଦକୁ ନେଇ ପୁରସ୍କୃତ କରାଯାଇଥାଏ ।

ଦେବୀ ମାଣିକେଶ୍ଵରୀଙ୍କ ପରିକଳ୍ପନା ଏକପକ୍ଷରେ ଦଶମହାବିଦ୍ୟାର ଛିନ୍ନମସ୍ତା ଭାବେ ହୋଇଥ‌ିବା ବେଳେ ଅନ୍ୟପକ୍ଷରେ କିନ୍ତୁ ତାଙ୍କ ପୂଜାର୍ଚ୍ଚନା ଦକ୍ଷିଣକାଳୀଙ୍କ ‘କ୍ରୀଂ’ ବୀଜ ମନ୍ତ୍ରରେ ପୂଜା ହୋଇଥାଏ । ଏକାକ୍ଷରୀ ମନ୍ତ୍ରରେ ପୂଜିତା ଦେବୀ କାଳୀଙ୍କ ପ୍ରତ୍ୟୟ ଛିନ୍ନମସ୍ତା ଦଶମହାବିଦ୍ୟା ଆଧାରରେ ଧ୍ୟାୟିତା । ଜ୍ଞାନର ଦେବୀ ଭାବେ ପରିଗଣିତ ଦଶମହାଦେବୀଙ୍କୁ ହିନ୍ଦୁ ଧର୍ମରେ ଉପାସନା କରାଯାଏ । ଏହି ଦଶ ମହାବିଦ୍ୟା ହେଉଛନ୍ତି କାଳୀ, ତାରା, ଷୋଡ଼ଶୀ, ଛିନ୍ନମସ୍ତା, ଭୁବନେଶ୍ଵରୀ, ବଗଳାମୁଖୀ, ଧୂମାବତୀ, କମଳା, ମାତାଙ୍ଗୀ ଏବଂ ଭୈରବୀ । ଏହି ଦଶଦେବୀଙ୍କୁ ଆଦ୍ୟାଶକ୍ତି ଭାବେ ଉପାସନା କରାଯାଇଥାଏ । କାଳୀ ସର୍ବାଗ୍ରେ ପୂଜିତା । କାଳୀ ଅର୍ଥାତ୍ ରାତ୍ରି । ତାଙ୍କର ରୂପ ଅତ୍ୟନ୍ତ ଭୟଙ୍କର । ରାତ୍ରି ଅର୍ଥ ‘ଦେବୀ’ । ସେ ସୁଖ, ଶାନ୍ତି ଓ ଆଶୀର୍ବାଦ ପ୍ରଦାୟିନୀ ।

ମା’ ମାଣିକେଶ୍ଵରୀ ପ୍ରତ୍ୟକ୍ଷ ଦେବୀ ଭାବରେ ପୂଜିତା । ନାଗବଂଶୀ ରାଜ ଇଷ୍ଟଦେବୀ ହେଲେ ମଧ୍ୟ କଳାହାଣ୍ଡିବାସୀଙ୍କ ଇଷ୍ଟଦେବୀ ଭାବରେ ପୂଜିତା । ଲୋକଙ୍କ ଅଗାଢ଼ ଭକ୍ତି ଓ ବିଶ୍ୱାସ । ମା’ ମାଣିକେଶ୍ଵରୀ ପୀଠମାନଙ୍କରେ ଆଶ୍ୱିନ ଦଶମୀ ତିଥିରେ ନୂଆ ଅନ୍ନ ଲାଗି ହୁଏ । ଭୈରବ ବୁଢ଼ାରଜା ପାଖରେ ଦଶହରା ନବମୀ ତିଥିରେ ନୂଆ ଅନ୍ନ ଲାଗି ହୁଏ । ରାଜ ପରିବାର ନବମୀ ତିଥିରେ ବୁଢ଼ାରଜାଙ୍କ ପାଖରେ ନୂଆ ଲାଗିଲେ ନୂଆ ସେବନ କରିଥାନ୍ତି ।

ମା’ ମାଣିକେଶ୍ଵରୀ ପୀଠରେ ଏବଂ ଛତର ଯାତ୍ରା ସମୟରେ ବଳିକୁ ନେଇ ଅନେକଙ୍କ ମଧ୍ୟରେ ସପକ୍ଷ ଓ ବିପକ୍ଷ ମତ ଆସୁଅଛି । ବଳିପ୍ରଥା ବନ୍ଦ କରିବାକୁ ଜନସାଧାରଣଙ୍କୁ ଅନୁରୋଧ ପ୍ରତିବର୍ଷ କରାଯାଉଛି । ଜିଲ୍ଲା ପ୍ରଶାସନ ତରଫରୁ ସଚେତନତା ପାଇଁ ଅନେକ ପ୍ରକାର ରେଲି, ଶୋଭାଯାତ୍ରା, ପଥପ୍ରାନ୍ତ ନାଟକ, ଲୋକନୃତ୍ୟ ମାଧ୍ୟମରେ ଏବଂ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ବଳିପ୍ରଥା ବନ୍ଦ କରିବା ପାଇଁ ଅନୁରୋଧ ବାର୍ତ୍ତା ଦେଉଛନ୍ତି ।

ଛତର ଯାତ୍ରା ସମୟରେ ଅଧ‌ିକରୁ ଅଧ‌ିକ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ମାନସିକ ପୂରଣ ପାଇଁ ବଳିପ୍ରଥା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏତଦ୍‌ବ୍ୟତୀତ ସାଂସ୍କୃତିକ ଦଳ ମାନ ମଧ୍ୟ ଅଧ‌ିକ ହେଉଛି । ତଦ୍ୱାରା ମାଣିକେଶ୍ଵରୀଙ୍କ ଛତର ମନ୍ଦିର ପ୍ରବେଶରେ ବିଳମ୍ବ ଦେଖାଯାଉଛି । ଯୁବ ପିଢ଼ି ଆଗେଇ ଆସି ଆହୁରି ଅଧିକ ଗବେଷଣା କଲେ ମା’ ମାଣିକେଶ୍ଵରୀଙ୍କ ସମ୍ବନ୍ଧରେ ଅନେକ ତଥ୍ୟ ଉନ୍ମୋଚିତ ହୋଇପାରନ୍ତା ।

ମହାବୀର ପଡ଼ା, ଭବାନୀପାଟଣା
ମୋ: ୮୮୯୫୩୮୧୦୦୬
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.