ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଜାମପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡିବାରୁ ଗୋଟିଏ ପରିବାରର ଭାଇ ଭଉଣୀଙ୍କ ମୃତ ଘଟିଛି। ମୃତ ଭଉଣୀଙ୍କ ନାମ ମୋନିକା ସାଗର (୬) ସେ ସଇଁତଲା ଶିଶୁ ମନ୍ଦିର ପାଠ ପଢୁଥିବା ବେଳେ ଭାଇ ଭାବଗ୍ରାହୀ ସାଗର (୯) ଗାଁ ସ୍କୁଲରେ ଚତୁର୍ଥ ପଢୁଥିଲେ ବୋଲି ଜଣାପଡିଛି। ପ୍ରକାଶ ଯେ, ଜାମପଦର ଗାଁର ବିକାଶ ସାଗର ଓ ହେମଲତା ସାଗରଙ୍କ ୨ ପୁଅ ଝିଅ ରାତି ଖାଇପିଇ ସାରି ବାପାଙ୍କ ସହିତ ହୋଇଥିବାବେଳେ ମାଆ ଅନ୍ୟ ଏକ ଖଟରେ ଶୋଇଥିଲେ। ସକାଳୁ ଉଠିବା ପରେ ଉଭୟ ଭାଇ ଭଉଣୀ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ବେଳେ ଗାଁର ଭକ୍ତି ସାଗର ନାମକ ଜୈନିକ ବ୍ୟକ୍ତି ସଇଁତଲା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ମୋନିକାକୁ ମୃତ ଘୋଷଣା କରିଥିବା ବେଳେ ଭାବଗ୍ରାହୀଙ୍କୁ ଆକ୍ସିଜେନ ଦ୍ୱାରା ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଉଭୟ ଶବକୁ ଜବତ କରି ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଥିଲେ।
ଖବର ପାଇଁ ବନ ବିଭାଗ ଫରେଷ୍ଟ ଗାର୍ଡ ସତ୍ୟନନ୍ଦ ପ୍ରଧାନ, ପାରା ଫରେଷ୍ଟର ପୁରୁନ୍ଦର ଜାଲ ଓ ବନ୍ୟପ୍ରାଣୀ ସଂରକ୍ଷକ ବିକି ଜି ନାଗ ପହଂଚି ଶୋଇଥିବା ଘରୁ ବିଷାକ୍ତ ସାପକୁ ଉଦ୍ଧାର କରି ବରଘାଟି ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ। ସଇଁତଲା ତହସିଲ ବିଭାଗର ରାଜସ୍ୱ ନିରୀକ୍ଷକ ଅଜିତ ସାହୁ ମଧ୍ୟ ପହଂଚି ଘଟଣାର ତଦନ୍ତ କରି ରିପୋର୍ଟ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ କଲତା ପହଂଚି ଶୋକାକୂଳ ପରିବାରଙ୍କୁ ସମବେଦନା ଜଣାଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି।